ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରରେ ଚିତାଲାଗି ଅମାବାସ୍ୟା ନୀତି ପାଳିତ : ମହାପ୍ରଭୁଙ୍କ ମସ୍ତକରେ ଝଲସିଲା ସୁବର୍ଣ୍ଣ ଚିତା ଓ ମର୍କତ ମଣି



କେନ୍ଦ୍ରାପଡ଼ା, ତା ୦୪/୦୮: ତୁଳସୀକ୍ଷେତ୍ରର ପରମ ଆରାଧ୍ୟ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରରେ ଚିତାଲାଗି ଅମାବାସ୍ୟା ନୀତି ପାଳିତ ହୋଇଯାଇଛି । ଆଜି ପ୍ରତ୍ୟୁଷରେ ପହଡ଼ ଖୋଲା ଯାଇ ଜୟ ମଙ୍ଗଳା ଆଳତି କରାଯାଇଥିଲା । ପରେ ପରେ ନୀତି ସ୍ନାନ, ଗୋପାଳ ବଲ୍ଲଭ ଏବଂ ଦ୍ୱାରପାଳ ପୂଜା ସମ୍ପନ୍ନ ହୋଇଥିଲା । ଦିବା ୧୨ ଘଟିକା ସମୟରେ ସକାଳ ଧୂପ ଲାଗି ହେବା ପରେ ମହାପ୍ରଭୁଙ୍କ ବସ୍ତ୍ର ଓଲାଗି କରାଯାଇ ନୂତନ ବସ୍ତ୍ରପାଟ ମଉଳି ପିନ୍ଧା ଯାଇଥିଲା । ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଭଣ୍ଡାର ଘର ଖୋଲାଯାଇ ସୁବର୍ଣ୍ଣ ଚିତା ଅଣାଯାଇଥିଲା । ସୁନେରି ସେବାୟତଙ୍କୁ ଏହା ହସ୍ତାନ୍ତର କରିବା ପରେ ଆଉ କିଛି ଅଳଙ୍କାର ମିଶାଇ ସମସ୍ତ ସୁବର୍ଣ୍ଣ ଚିତା ଓ ଅଳଙ୍କାର ସେ ଭଣ୍ଡାର ମୋହରଙ୍କୁ ଦେଇଥିଲେ । ବିଧି ଅନୁସାରେ ଭଣ୍ଡାର ମୋହର ଏହାକୁ ପାଳିଆ ପଣ୍ଡା ଅଥବା ପୂଜା ପଣ୍ଡାଙ୍କୁ ରତ୍ନ ସିଂହାସନ ନିକଟରେ ଦେବା ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ଦୁର୍ଲ୍ଲଭ ସୁବର୍ଣ୍ଣ ଚିତା ଲାଗି ବେଶ । ଶ୍ରଦ୍ଧା ଓ ସମର୍ପଣର ସହ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗକୁ ରୌପ୍ୟ ଅଳଙ୍କାରରେ ସଜ୍ଜିତ କରିବା ପରେ ଶ୍ରୀ ବଳଦେବ, ମା ସୁଭଦ୍ରା ଏବଂ ଶ୍ରୀ ଜଗନ୍ନାଥଙ୍କ ମସ୍ତକରେ ଲାଗି ହୋଇଥିଲା ସୁବର୍ଣ୍ଣ ରାମାନନ୍ଦୀ ଚିତା । ଶ୍ରୀ ବଳଦେବଙ୍କ ସୁବର୍ଣ୍ଣ ଚିତା ଉପରେ ଶୋଭା ପାଉଥିଲା ଏକ ମର୍କତ ମଣି । ଭୋଗ ମଣ୍ଡପରେ କଳସ ଘଟ ସ୍ଥାପନ ପୂଜା ସମ୍ପନ୍ନ କରାଯାଇ ଚିତଉ ପିଠା ଓ କ୍ଷୀର ଶ୍ରୀଜୀଉଙ୍କୁ ଲାଗି କରାଯାଇଥିଲା । ଆଜି ଦିନ ୧ଟାରୁ ସାଢ଼େ ୩ଟା ମଧ୍ୟରେ ଏହି ନୀତି ସମ୍ପନ୍ନ ହୋଇଥିଲା । ଏହି ଦୁର୍ଲ୍ଲଭ ବେଶ ଏବଂ ଗୁପ୍ତ ନୀତି ସମୟରେ ଗର୍ଭଗୃହକୁ ସର୍ବସାଧାରଣ ପ୍ରବେଶ ନିଷେଧ ରହିଥିଲା । ସଂଧ୍ୟା ଆଳତି ପରେ ରୌପ୍ୟ ଅଳଙ୍କାରେ ସଜ୍ଜିତ ଓ ସୁବର୍ଣ୍ଣ ଚିତାରେ ବିଭୂଷିତ ତିନିଠାକୁରଙ୍କୁ ଭକ୍ତମାନେ ଦର୍ଶନ କରିଥିଲେ । ଏହି ଅପୂର୍ବ କମନୀୟ ବେଶ ଦର୍ଶନ ନିମନ୍ତେ ସନ୍ଧ୍ୟାରେ ଅସମ୍ଭବ ଭିଡ଼ ଲାଗି ରହିଥିଲା । ସୂଚନାଯୋଗ୍ୟ, ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଓଡ଼ିଶାର ଏକ ଗଣପର୍ବ । ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ପିଠା ଅର୍ପଣ କରିବାର ପରମ୍ପରା ରହିଛି । ଚିତାଲାଗି ଅମାବାସ୍ୟା ତିଥିରେ ବ୍ରହ୍ମ ତାଳଧ୍ୱଜ ରଥର ଦଧି କଳସ ଖୋଲା ଯାଇଥାଏ । ଏହା ପରଠୁ ଆରମ୍ଭ ହୁଏ ରଥଭଙ୍ଗା ନୀତି । ଜ୍ୟେଷ୍ଠ ପୂର୍ଣ୍ଣିମାଠାରୁ ଚିତା ଖୋଲା ଯାଇ ଭଣ୍ଡାର ଘରେ ରହିଥାଏ ଏବଂ ଶ୍ରାବଣ ମାସର ଅମାବାସ୍ୟା ତିଥିରେ ଶ୍ରୀ ବଳଦେବ, ମା ସୁଭଦ୍ରା ଏବଂ ଶ୍ରୀ ଜଗନ୍ନାଥଙ୍କ ମସ୍ତକରେ ସୁବର୍ଣ୍ଣ ଚିତା ଲାଗି କରାଯାଇ ଏହି ପବିତ୍ର ନୀତି ପାଳିତ ହୋଇଥାଏ ।


Discover more from

Subscribe now to keep reading and get access to the full archive.

Continue reading