ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରରେ ଚିତାଲାଗି ଅମାବାସ୍ୟା ନୀତି ପାଳିତ : ମହାପ୍ରଭୁଙ୍କ ମସ୍ତକରେ ଝଲସିଲା ସୁବର୍ଣ୍ଣ ଚିତା ଓ ମର୍କତ ମଣି



କେନ୍ଦ୍ରାପଡ଼ା, ତା ୦୪/୦୮: ତୁଳସୀକ୍ଷେତ୍ରର ପରମ ଆରାଧ୍ୟ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରରେ ଚିତାଲାଗି ଅମାବାସ୍ୟା ନୀତି ପାଳିତ ହୋଇଯାଇଛି । ଆଜି ପ୍ରତ୍ୟୁଷରେ ପହଡ଼ ଖୋଲା ଯାଇ ଜୟ ମଙ୍ଗଳା ଆଳତି କରାଯାଇଥିଲା । ପରେ ପରେ ନୀତି ସ୍ନାନ, ଗୋପାଳ ବଲ୍ଲଭ ଏବଂ ଦ୍ୱାରପାଳ ପୂଜା ସମ୍ପନ୍ନ ହୋଇଥିଲା । ଦିବା ୧୨ ଘଟିକା ସମୟରେ ସକାଳ ଧୂପ ଲାଗି ହେବା ପରେ ମହାପ୍ରଭୁଙ୍କ ବସ୍ତ୍ର ଓଲାଗି କରାଯାଇ ନୂତନ ବସ୍ତ୍ରପାଟ ମଉଳି ପିନ୍ଧା ଯାଇଥିଲା । ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଭଣ୍ଡାର ଘର ଖୋଲାଯାଇ ସୁବର୍ଣ୍ଣ ଚିତା ଅଣାଯାଇଥିଲା । ସୁନେରି ସେବାୟତଙ୍କୁ ଏହା ହସ୍ତାନ୍ତର କରିବା ପରେ ଆଉ କିଛି ଅଳଙ୍କାର ମିଶାଇ ସମସ୍ତ ସୁବର୍ଣ୍ଣ ଚିତା ଓ ଅଳଙ୍କାର ସେ ଭଣ୍ଡାର ମୋହରଙ୍କୁ ଦେଇଥିଲେ । ବିଧି ଅନୁସାରେ ଭଣ୍ଡାର ମୋହର ଏହାକୁ ପାଳିଆ ପଣ୍ଡା ଅଥବା ପୂଜା ପଣ୍ଡାଙ୍କୁ ରତ୍ନ ସିଂହାସନ ନିକଟରେ ଦେବା ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ଦୁର୍ଲ୍ଲଭ ସୁବର୍ଣ୍ଣ ଚିତା ଲାଗି ବେଶ । ଶ୍ରଦ୍ଧା ଓ ସମର୍ପଣର ସହ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗକୁ ରୌପ୍ୟ ଅଳଙ୍କାରରେ ସଜ୍ଜିତ କରିବା ପରେ ଶ୍ରୀ ବଳଦେବ, ମା ସୁଭଦ୍ରା ଏବଂ ଶ୍ରୀ ଜଗନ୍ନାଥଙ୍କ ମସ୍ତକରେ ଲାଗି ହୋଇଥିଲା ସୁବର୍ଣ୍ଣ ରାମାନନ୍ଦୀ ଚିତା । ଶ୍ରୀ ବଳଦେବଙ୍କ ସୁବର୍ଣ୍ଣ ଚିତା ଉପରେ ଶୋଭା ପାଉଥିଲା ଏକ ମର୍କତ ମଣି । ଭୋଗ ମଣ୍ଡପରେ କଳସ ଘଟ ସ୍ଥାପନ ପୂଜା ସମ୍ପନ୍ନ କରାଯାଇ ଚିତଉ ପିଠା ଓ କ୍ଷୀର ଶ୍ରୀଜୀଉଙ୍କୁ ଲାଗି କରାଯାଇଥିଲା । ଆଜି ଦିନ ୧ଟାରୁ ସାଢ଼େ ୩ଟା ମଧ୍ୟରେ ଏହି ନୀତି ସମ୍ପନ୍ନ ହୋଇଥିଲା । ଏହି ଦୁର୍ଲ୍ଲଭ ବେଶ ଏବଂ ଗୁପ୍ତ ନୀତି ସମୟରେ ଗର୍ଭଗୃହକୁ ସର୍ବସାଧାରଣ ପ୍ରବେଶ ନିଷେଧ ରହିଥିଲା । ସଂଧ୍ୟା ଆଳତି ପରେ ରୌପ୍ୟ ଅଳଙ୍କାରେ ସଜ୍ଜିତ ଓ ସୁବର୍ଣ୍ଣ ଚିତାରେ ବିଭୂଷିତ ତିନିଠାକୁରଙ୍କୁ ଭକ୍ତମାନେ ଦର୍ଶନ କରିଥିଲେ । ଏହି ଅପୂର୍ବ କମନୀୟ ବେଶ ଦର୍ଶନ ନିମନ୍ତେ ସନ୍ଧ୍ୟାରେ ଅସମ୍ଭବ ଭିଡ଼ ଲାଗି ରହିଥିଲା । ସୂଚନାଯୋଗ୍ୟ, ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଓଡ଼ିଶାର ଏକ ଗଣପର୍ବ । ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ପିଠା ଅର୍ପଣ କରିବାର ପରମ୍ପରା ରହିଛି । ଚିତାଲାଗି ଅମାବାସ୍ୟା ତିଥିରେ ବ୍ରହ୍ମ ତାଳଧ୍ୱଜ ରଥର ଦଧି କଳସ ଖୋଲା ଯାଇଥାଏ । ଏହା ପରଠୁ ଆରମ୍ଭ ହୁଏ ରଥଭଙ୍ଗା ନୀତି । ଜ୍ୟେଷ୍ଠ ପୂର୍ଣ୍ଣିମାଠାରୁ ଚିତା ଖୋଲା ଯାଇ ଭଣ୍ଡାର ଘରେ ରହିଥାଏ ଏବଂ ଶ୍ରାବଣ ମାସର ଅମାବାସ୍ୟା ତିଥିରେ ଶ୍ରୀ ବଳଦେବ, ମା ସୁଭଦ୍ରା ଏବଂ ଶ୍ରୀ ଜଗନ୍ନାଥଙ୍କ ମସ୍ତକରେ ସୁବର୍ଣ୍ଣ ଚିତା ଲାଗି କରାଯାଇ ଏହି ପବିତ୍ର ନୀତି ପାଳିତ ହୋଇଥାଏ ।


Next Post

ପଦ୍ମା ରାଉତ ଭିନ୍ନକ୍ଷମ ବାଳିକା ମେଧାବୃତ୍ତି ଓ ସଫଳ ସମର୍ଥା ସମ୍ମାନ ପ୍ରଦାନ

Mon Aug 5 , 2024
କେନ୍ଦ୍ରାପଡା,୪/୮: ମାଧପୁରସ୍ଥିତ ପୁନର୍ବାସ ପରିସରରେ ପଦ୍ମା ରାଉତ ଭିନ୍ନକ୍ଷମ ବାଳିକା ମେଧାବୃତ୍ତି ଓ ସଫଳ ସମର୍ଥା ସମ୍ମାନ ପ୍ରଦାନ କରାଯାଇଛି । ବିଶିଷ୍ଟ କଥାକାର ତଥା ପୁନର୍ବାସର ମୁଖ୍ୟ ଉପଦେଷ୍ଟା ଡ଼. ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ କବି ତଥା ପ୍ରାକ୍ତନ ଅଧ୍ୟକ୍ଷା ଡ. ଅପର୍ଣ୍ଣା ମହାନ୍ତି, ବିଶିଷ୍ଟ ଚିକିତ୍ସକ […]

KANIKA