
କେନ୍ଦ୍ରାପଡା,୧୩ା୮ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ପାଇଁ ଛାତ୍ରଛାତ୍ରୀମାନେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିକଟରେ ଦାବି କରିଛନ୍ତି। ଛାତ୍ରଛାତ୍ରୀମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ହେଉଛି ଜିଲ୍ଲାର ସର୍ବପୁରାତନ ମହାବିଦ୍ୟାଳୟ। ଏହା ୧୯୫୯ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହି ମହାବିଦ୍ୟାଳୟରୁ ଅଧ୍ୟୟନ କରି ବହୁ ଛାତ୍ରଛାତ୍ରୀ ଦେଶ ବିଦେଶରେ ସୁନାମ ଅର୍ଜ୍ଜନ କରିଛନ୍ତି। ଏହି ମହାବିଦ୍ୟାଳୟରେ ଏବେ ୨୫ଶହରୁ ଅଧିକ +୨ ଛାତ୍ରଛାତ୍ରୀ ଓ ୩୫ଶହରୁ ଅଧିକ +୩ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେହିପରି ୧୫ଟି ବିଷୟରେ ପିଜି ପାଠ୍ୟକ୍ରମ ରହିଛି। ଏଥିରେ ୩୫୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁିଛନ୍ତି। ଏହାସହ ବିବିଏ, ବିସିଏ, ବି.ଲାଇବ୍ରେରୀ ଭଳି ସ୍ୱତନ୍ତ୍ର ପାଠ୍ୟକ୍ରମ ରହିଛି। ଏଥିରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବା ପାଇଁ ବହୁ ସୁନାମ ଧନ୍ୟ ଅଧ୍ୟାପକ, ଅଧ୍ୟାପିକା ଅଛନ୍ତି। ମହାବିଦ୍ୟାଳୟ ପରିସରରେ ଲାବୋରୋଟୋରୀ, ଜିମନାସିଅମ, ପ୍ରେକ୍ଷାଳୟ, ଛାତ୍ରାବାସ ଓ ଛାତ୍ରୀନିବାସ, ଇନଡୋର ଷ୍ଟାଡିୟମ, ପ୍ରଶାସନିକ ଭବନ ରହିଛି। ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱ ବିଦ୍ୟାଳୟ ଏହା ପରିସରରେ କାର୍ଯ୍ୟ କରୁଛି। ଦୀର୍ଘ ଦିନ ଧରି କେନ୍ଦ୍ରାପଡାର ଜନସାଧାରଣ ଏହାକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା ପାଇଁ ୧୯୯୦ମସିହାରୁ ଦାବି କରି ଆସୁଛନ୍ତି। ଏହି ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଛି। ତେଣୁ ଏହାକୁ ତୁରନ୍ତ ସରକାରୀ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଉ ବୋଲି ଛାତ୍ରଛାତ୍ରୀମାନେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଶୁଭଶ୍ରୀ ଭୁୟାଁ, ଇପସିତା ଜେନା, ଧ୍ରୁତିଲତା ସାମଲ, ଶୁଭମ ସାହୁ, ବାସୁଦେବ ସାହୁ ପ୍ରମୁଖ ଛାତ୍ରଛାତ୍ରୀମାନେ ସାଂସଦଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।











