କେନ୍ଦ୍ରାପଡା ଜିଲ୍ଲା ସମନ୍ୱୟ ଓ ପରିଚାଳନା କମିଟି ବୈଠକ


କେନ୍ଦ୍ରାପଡ଼ା,୧୩ା୮: କେନ୍ଦ୍ରାପଡ଼ା ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି(ଦିସା) ବୈଠକ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟଜଳ ଯୋଗାଣ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ଜଳ ଜୀବନ ମିଶନ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ରାଜନଗର ବନଖଣ୍ଡ ଅଧିକାରୀ କେ.ସୁଦର୍ଶନ ଯାଦବ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ପ୍ରମୁଖ ଯୋଗଦେଇ ଜିଲ୍ଲାର ଜଳଜୀବନ ମିଶନ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକର କାର୍ଯ୍ୟକାରିତା ଓ କେତେ ପ୍ରତିଶତ ଲକ୍ଷ୍ୟ ହାସଲ ପୁରଣ ହୋଇଛ ସେ ସମ୍ପର୍କରେ ଏହି ବୈଠକରେ ସମୀକ୍ଷା ହୋଇଥିଲା। ଜଳଜୀବନ ମିଶନ ଶତ ପ୍ରତିଶତ ଲକ୍ଷ୍ୟ ପୂରଣ କରିବା କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ରହିଛି। ସମୀକ୍ଷାରୁ ଜଣାଯାଇଛିି ଯେ ଏହି ଯୋଜନାର କାର୍ଯ୍ୟକାରିତା କେନ୍ଦ୍ରାପଡ଼ା ଜିଲ୍ଲାର ୩୯୬ଟି ଗ୍ରାମରେ ଶୂନ ପ୍ରତିଶତ ରହିଛି। ତେଣୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟକାରୀ ହୋଇଥିବା ପାଇପ ମାଧ୍ୟମରେ ପାନୀୟଜଳ ଯୋଗାଣ ପ୍ରକଳ୍ପଗୁଡିକ ଆସନ୍ତା ମାର୍ଚ୍ଚ ୨୦୨୫ ମଧ୍ୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲା। ଶ୍ରୀ ପଣ୍ଡା କହିଥିଲେ ଯେ ୨୦୧୯ ଅଗଷ୍ଟ ୧୫ ତାରିଖରୁ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ଯୋଜନା ଆରମ୍ଭ ହୋଇଥିବା ବେଳେ ଜିଲ୍ଲାରେ ୬ଟି ମେଗା ପ୍ରକଳ୍ପ ଚାଲୁ ରହିଛି। ୨୦୦୯ରୁ ୨୦୧୯ ମଧ୍ୟରେ ସାଂସଦ ପାଣ୍ଠିରୁ ଅଧିକ ଖର୍ଚ୍ଚ ହୋଇଛି। ଯେଉଁଠି ପାନୀୟ ଜଳର ଅସୁବିଧା ଅଛି ସେଠାରେ ନଳକୂପ ସ୍ଥାପନ ଏବଂ ଅଚଳ ନଳକୂପକୁ ମରାମତି କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନ ସମୀକ୍ଷା ସମୟରେ ଜଣାପଡିଥିଲା ଯେ କେନ୍ଦ୍ରାପଡ଼ା ଜିଲ୍ଲାରେ ୩୯୯ ଡାକ୍ତର ପଦବୀ ମଧ୍ୟରୁ ମାତ୍ର ୧୬୩ ଜଣ ନିଯୁକ୍ତି ପାଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାତୃ ଯତ୍ନ କେନ୍ଦ୍ରର ମରାମତି ପାଇଁ ଜଣେ ପ୍ରତିନିଧି ବୈଠକରେ ଦାବି ଉପସ୍ଥାପନ କରିଥିଲେ। ପଟ୍ଟାମୁଣ୍ଡାଇରେ ରକ୍ତ ବ୍ୟାଙ୍କ ଖୋଲିବା, ପୁରୁଣା ଡାକ୍ତରଖାନାକୁ ସିଟି ହସ୍‌ପିଟାଲ କରିବା, ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଷ୍ଠୀ ଶୌଚାଳୟ କରିବା ସହ ଏହାର ରାସ୍ତାକୁ ଆଲୋକୀକରଣ କରିବା ପାଇଁ କେତେ ଜଣ ପ୍ରତିନିଧି ଦାବି ଉପସ୍ଥାପନ କରିଥିଲେ। ଆସନ୍ତା ଦିସା ବୈଠକରେ କୃଷି ଓ ଶିକ୍ଷା ଉପରେ ସମୀକ୍ଷା କରାଯିବ ବୋଲି ସ୍ଥିର କରାଯାଇଛି। ବୈଠକରେ ଜିଲ୍ଲାର ସମସ୍ତ ବିଡିଓ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଧିକାରୀ, ମୃତ୍ତିକା ସଂରକ୍ଷଣ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଉଦ୍ୟାନକୃଷି ଅଧିକାରୀ, କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ଆରମ୍ଭରେ ଜିଲ୍ଲାପାଳ ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ବୈଠକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଆଳି ବିଧାୟକ ପ୍ରତାପ କେଶରୀ ଦେବ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ପ୍ରମୁଖ ଯୋଗଦେଇନଥିଲେ।


Discover more from

Subscribe now to keep reading and get access to the full archive.

Continue reading