କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚନ୍ଦନପୁର ଗ୍ରାମପଞ୍ଚାୟତର ତମାଳ ଶାସନ ଗ୍ରାମର ବିଜୁ ଜନତା ଦଳର ବର୍ଷିୟାନ ନେତା ବୃନ୍ଦାବନ ମିଶ୍ରଙ୍କର ୯୨ବର୍ଷରେ ଦେହାନ୍ତ ହୋଇଯାଇଛି। ସେ ଶ୍ରୀଦଧିବାମନଜୀଉଙ୍କ ପୂଜକ, ଚନ୍ଦନପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଜଣେ ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ଝିଅ ଓ ଜ୍ୱାଇଁଙ୍କ ସମେତ ବନ୍ଧୁ ପରିଜନ ଉପସ୍ଥିତ ଥିଲେ। ତାଙ୍କର ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଏକମାତ୍ର ପୁତ୍ର ଗୋପାଳ ମିଶ୍ର ମୁଖାଗ୍ନି ଦେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କର ସେ ରାଜନୈତିକ ପରାମର୍ଶଦାତା ଥିଲେ। ସେ ବହୁ ପଦ, ପଦବୀରେ ଥାଇ ମଧ୍ୟ ଖଣ୍ଡେ ବାସଗୃହ, ରାସନକାର୍ଡ ବା କୈାଣସି ସରକାରୀ ସାହାଯ୍ୟ ପ୍ରାପ୍ତ ହୋଇନଥିଲେ। ସେ କହୁଥିଲେ ଶ୍ରୀଦଧିବାମନଜୀଉ ମୋର ସାହାଭରସା ଆଉ କେହି ନୁହେଁ। ଏକ ଭଙ୍ଗା ଦଦରା ଚାଳ ଛପର ଘରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୫ବର୍ଷ ପୂର୍ବରୁ ତାଙ୍କ ପତ୍ନୀଙ୍କର ବିୟୋଗ ହୋଇଯାଇଥିଲା। ସେ ଜଣେ ସ୍ୱାଭିମାନୀ ବ୍ୟକ୍ତିଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ବ୍ରାହ୍ମଣ ମହାସଭା ପକ୍ଷରୁ ଅନୁଆପଡାସ୍ଥିତ ମାତୃ ବାଟିକାରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।