ମହିଳାଙ୍କୁ ବଳାତ୍କାର ଉଦ୍ୟମ,ଦୋଷୀକୁ ୪ ବର୍ଷ ଜେଲ ଦଣ୍ଡ


 

କେନ୍ଦ୍ରାପଡ଼ା,୨୩ା୮: କେନ୍ଦ୍ରାପଡ଼ା ଆଡହକ ଅତିରିକ୍ତ ଦୌରାଜଜ ତ୍ରୀବିକ୍ରମ କେଶରୀ ଚିନ୍ନାରା ଏକ ବଳାତ୍କାର ଉଦ୍ୟମ ମାମଲାର ବିଚାର କରି ଆସାମୀ ଅଶୋକ ମଳିକଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିବା ସହ ୫ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୩ ମାସ କାରାଦଣ୍ଡ ଭୋଗ କରିବାକୁ ପଡିବ ବୋଲି କୋର୍ଟ ରାୟ ଦେଇଛନ୍ତି। ଏଥିସହ ପିଡିତା ମହିଳାଙ୍କୁ ୩୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅଞ୍ଚଳର ଏକ ଗ୍ରାମର ଅଶୋକ ମଳିକ ୨୦୧୯ ମସିହା ଜୁନ୍ ୨୫ରିଖ ବିଳମ୍ବିତ ରାତିରେ ତାଙ୍କ ଗ୍ରାମର ଜନୈକ ମହିଳାଙ୍କ ଘରେ ପଶିଥିଲେ। ମହିଳାଙ୍କ ସ୍ୱାମୀ ଘରେ ନଥିବାର ସୁଯୋଗ ନେଇ ସେ ମହିଳାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିବାରେ ମହିଳା ଜଣକ ପାଟି କରି ତାଙ୍କୁ ବାଧା ଦେଇଥିଲେ। ଫଳରେ ଲୋକମାନେ ସେଠାରେ ପହଞ୍ଚିଯିବାର ଭୟରେ ଆସାମୀ ଅଶୋକ ମହିଳାଙ୍କୁ ଛାଡି ପଳାଉଥିଲା ବେଳେ ମହିଳାଙ୍କ ଶାଶୁ ବାଧା ଦେଇଥିଲେ। ଫଳରେ ଅଶୋକ ତାଙ୍କୁ ମାଡ଼ ମାରିଥିଲା। ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବ ବୋଲି ତାଙ୍କୁ ଧମକ ଦେଇ ଫେରାର ହୋଇ ଯାଇଥିଲା। ମହିଳା ଜଣକ ଏ ସମ୍ପର୍କରେ ପାଟକୁରା ଥାନାରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗକୁ ଭିତ୍ତିକରି ପାଟକୁରା ଥାନା ପୋଲିସ ଥାନାକେଶ ନମ୍ବର ୧୭୧/୨୦୧୯ରେ ଏକ ମାମଲା ରୁଜୁ କରିବା ସହିତ ଗୋଲକକୁ ପୋଲିସ ଗିରଫ କରି ଜେଲକୁ ପଠାଇଥିଲା। ସେହି ମାମଲାର ଅଭିଯୋଗଫର୍ଦ୍ଦ କୋର୍ଟରେ ଦାଖଲ ହେବା ପରେ ଜିଆର ନଂ. ୯୪୯/୨୦୧୯ ଓ ଏସଟି ନମ୍ବର- ୧୦/୨୦୨୨ର ଶୁଣାଣି ଆରମ୍ଭ ହୋଇଥିଲା। ଏହି ମାମଲାରେ ୮ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି ଆଡହକ ଅତିରିକ୍ତ ଦୌରାଜଜ ଶ୍ରୀ ଚିନ୍ନାରା ଆସାମୀ ଅଶୋକ ମଳିକଙ୍କୁ ଭାରତୀୟ ଦଣ୍ଡବିଧୀ ଆଇନର ଦଫା ୪୫୭ ଓ ୩୫୪ରେ ୪ବର୍ଷ ଜେଲ ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସଞ୍ଜୟ କୁମାର ଜେନା କୋର୍ଟରେ ମାମଲାର ପରିଚାଳନା କରୁଥିଲେ।


Discover more from

Subscribe now to keep reading and get access to the full archive.

Continue reading