ହୁରାସାହି କୋରୁଆ ରାସ୍ତା ଖାଲଖମାରେ ପୂର୍ଣ୍ଣ ମରାମତି ପାଇଁ ଜିଲ୍ଲାପାଳଙ୍କୁ ଗୁହାରିକଲେ ଅଞ୍ଚଳବାସୀ



କେନ୍ଦ୍ରାପଡ଼ା,୨୫ା୮: କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ବଙ୍ଗାଳପୁର ଗ୍ରାମପଞ୍ଚାୟତର ହୁରାସାହି- କୋରୁଆ ଭାୟା ମାହାଳ ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ ହୋଇଯାଇଛି। ଫଳରେ ସେହି ରାସ୍ତାଦେଇ ଯିବାଆସିବା କରୁଥିବା ସ୍ଥାନୀୟ ୧୦ଟି ପଞ୍ଚାୟତର ଅଞ୍ଚଳବାସୀଙ୍କ ସମେତ ବାଟୋଇମାନେ ନାହିଁନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ରାସ୍ତା ମରାମତି ପାଇଁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଅଞ୍ଚଳବାସୀ କହିଛନ୍ତି ବଙ୍ଗାଳପୁର, ସାନଅଢଙ୍ଗା, ଓଢଙ୍ଗା, କଳାବୁଦା, ତଳକୁସୁମା, ତିକନପୁର, ବଡବେତରା, ମଧୁ ପ୍ରଭୃତି ଗ୍ରାମପଞ୍ଚାୟତର ଲୋକମାନେ ଏହି ରାସ୍ତା ଦେଇ ଚାନ୍ଦୋଳକୁ ଯାଇ ସେଠାରୁ କଟକ ଓ ଭୁବନେଶ୍ୱର ପ୍ରଭୃତି ସ୍ଥାନକୁ ଯାଇଥାନ୍ତି। ସେହିପରି ଏହି ରାସ୍ତାଦେଇ କେନ୍ଦ୍ରାପଡା ସଦର ମହକୁମାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ କାର୍ଯ୍ୟାଳୟକୁ ଆସିଥାନ୍ତି। କିନ୍ତୁ ଏହି ରାସ୍ତାର ଅବସ୍ଥା ସଂଗୀନ ହୋଇପଡିବାରୁ ଲୋକମାନେ ଯିବାଆସିବା କରିବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଖାଲଖମା ଯୋଗୁଁ ପ୍ରତିଦିନ ଛୋଟ ବଡ ଦୁର୍ଘଟଣାମାନ ଘଟୁଛି। ଏହାଦ୍ୱାରା ଲୋକେ ଆହତ ହେଉଛନ୍ତି। ବିଶେଷ କରି ସ୍କୁଲ ପିଲାମାନେ ଯିବାଆସିବା କରିବାରେ ହଇରାଣ ହରକତ ହେଉଛନ୍ତି। ସେହିପରି ବିଭିନ୍ନ ଗ୍ରାମର ବରିଷ୍ଠ ନାଗରିକମାନେ ମଧ୍ୟ ସାଇକେଲ କିମ୍ବା ବାଇକରେ ଯିବାଆସିବା କରିବାକୁ ସୁରକ୍ଷିତ ମନେକରୁ ନାହାନ୍ତି। କାରଣ ଏହି ରାସ୍ତାରେ ଥିବା ଖାଲଖମାରେ ଗାଡି ଚକା ପଡି ଗାଡି ନିୟନ୍ତ୍ରଣ ହରାଉଛି। ଫଳରେ ବରିଷ୍ଠ ନାଗରିକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଦେଇ ସାଇକେଲରେ ଯାଉଥିବା ବରିଷ୍ଠ ନାଗରିକ କୁଳମଣୀ ଦାସ କୁହନ୍ତି ରାସ୍ତା ଖାଲଖମା ନେଇ ଆମେ ସ୍ଥାନୀୟ ନେତା ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛୁ। ହେଲେ ଏହାର ପ୍ରତିକାର ବ୍ୟବସ୍ଥା ନା ନେତା ନା ଅଧିକାରୀ କେହି କରିପାରୁନାହାନ୍ତି। ଫଳରେ ଆମେ ଦୁର୍ଘଟଣାର ଶିକାର ହେଉଛୁ। ଯୁଦ୍ଧକାଳିନ ଭିତ୍ତିରେ ଏହି ରାସ୍ତା ମରାମତି କରାଯିବା ଉଚିତ। ଏହା ନହେଲେ ଆଗାମୀ ଦିନରେ ଦୁର୍ଘଟଣା ବୃଦ୍ଧି ପାଇବ।


Discover more from

Subscribe now to keep reading and get access to the full archive.

Continue reading