
କେନ୍ଦ୍ରାପଡ଼ା,୩୧ା୮: କେନ୍ଦ୍ରାପଡ଼ା ପୌରପରିଷଦ ପକ୍ଷରୁ ଆଜି ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ରାମଧୂନ ଓ ପ୍ରଭାତଫେରି କରାଯାଇଥିଲା। ଏଥିସହିତ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥିଲା। ଅପରାହ୍ନରେ ପୁରୁଣା ବସଷ୍ଟାଣ୍ଡରେ ନୂତନ ମାର୍କେଟ କମ୍ପେ୍ଲକ୍ସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହ ୨ନଂ. ୱାର୍ଡରେ ଶବଦାହ ଗୃହ, ୩ ନଂ. ୱାର୍ଡରେ ମିଶନଶକ୍ତି ଗୃହ ଓ ଶ୍ମ୍ମଶାନ, ୧୭ ୱାର୍ଡ ନଂ.ରେ ଚିତ୍ତ ବିନୋଦନଗୃହ ପ୍ରଭୃତିିର ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ସରିତା ସାହୁ, ପୌର ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ ସାହୁଙ୍କ ସମେତ ବିଭିନ୍ନ ୱାର୍ଡର କାଉନସିଲରମାନେ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ଟାଉନହଲ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ପୌରାଧ୍ୟକ୍ଷା ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥିଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ସଭାପତି ଲିଲିତା ଦାସ, ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ନିଲୁ ମହାପାତ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଲୋକସଭା ସାଂସଦଙ୍କ ପ୍ରତିନିଧି ସଲିମ ଖାନ୍ ସାଂସଦଙ୍କ ବାର୍ତ୍ତା ପାଠ କରିଥିଲେ। ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବେହେରା ତାଙ୍କ ଅଭିଭାଷଣରେ ପର୍ଯ୍ୟାୟକ୍ର୍ରମେ ବଡଲାଟଙ୍କ ଠାରୁ ଆରମ୍ଭ କରି ଗାନ୍ଧିଜୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସ୍ୱାୟତ୍ତ ଶାସନକୁ ଲୋକାଭିମୁଖି କରିବାକୁ କଳ୍ପନା କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସମୟରେ ୭୪ତମ ସମ୍ବିଧାନ ସଂଶୋଧନ କରାଯାଇ ସ୍ୱାୟତ୍ତଶାସନ ସଂସ୍ଥାକୁ ଅଧିକ ଦାୟୀତ୍ୱ ପ୍ରଦାନ କରାଯାଇଥିଲା। ରାଜ୍ୟରେ ୧୧୫ଟି ପୈାରସଂସ୍ଥା ଥିବା ବେଳେ କେନ୍ଦ୍ରାପଡା ପୈାରସଂସ୍ଥା ଭୈାଗଳିକ ସ୍ଥିତି କାରଣରୁ ଅଧିକ ଶଙ୍କଟର ସମ୍ମୁଖୀନ ହୋଇଛି। ତଥାପି ବନ୍ୟା, ବାତ୍ୟା ଏବଂ ବିଶେଷ କରି କୋଭିଡ ସମୟରେ କେନ୍ଦ୍ରାପଡା ପୈାରସଂସ୍ଥାର ଦାୟିତ୍ୱ ଉଲ୍ଲେଖନୀୟ। କେନ୍ଦ୍ରାପଡା ପୈାରସଂସ୍ଥା ବିକାଶର ଶିଖରରେ ପହଞ୍ଚିବାକୁ ପ୍ରୟାସ ଜାରି ରଖିଥିବା ବେଳେ ଆଜି ଗୋପ ଏବଂ ଫକିରାବାଦ ଠାରେ ଦୁଇଟି ଗୋଷ୍ଠିକେନ୍ଦ୍ର ପୈାରବାସୀଙ୍କ କଲ୍ୟାଣ ପାଇଁ ଲୋକାର୍ପିତ ହୋଇଛି। ତେଣୁ କେନ୍ଦ୍ରାପଡା ପୈାରସଂସ୍ଥା କେନ୍ଦ୍ରାପଡା ପୈାରବାସୀଙ୍କ ସେବା ଓ କଲ୍ୟାଣ ପାଇଁ ପ୍ରତିବଦ୍ଧ ହେବା ଉଚିତ ବୋଲି ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ। ଓଡିଶାର ସର୍ବପୁରାତନ ପୌରପାଳିକା କୁ ୧୫୫ ବର୍ଷ ପୁରିଛି। ତେଣୁ ପୌରାଞ୍ଚଳ ବିକାଶ ଦିଗରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ସହରକୁ ସରସସୁନ୍ଦର ସହର କରିବା ନିମନ୍ତେ ଅନେକ ଗୁଡିଏ କାର୍ଯ୍ୟକ୍ରମ କରାଯାଇଛି। ସେଥିମଧ୍ୟରୁ କେନ୍ଦ୍ରାପଡ଼ା କଲେଜ ଛକ, ତୁଳସୀ ମହିଳା ମହାବିଦ୍ୟାଳୟରେ ଥିବା ପାର୍କ, ଜିମ ସେଣ୍ଟର ଆଦି ଅନ୍ୟତମ ବୋଲି ଅତିଥିବୃନ୍ଦ ମତପ୍ରକାଶ କରିଥିଲେ। ଅପରପକ୍ଷରେ କାଉନସିଲର କାଳୀପ୍ରସାଦ ମିଶ୍ର, ଉମେଶ ଚନ୍ଦ୍ର ନାୟକ, ଜୟନ୍ତୀ ପାଣି ପ୍ରମୁଖ କହିଥିଲେ ଯେ ସର୍ବ ପୁରାତନ ପୌରପାଳିକାର ପରିଧି ବୃଦ୍ଧି ହେଉନଥିବାରୁ ବିକାଶ ଯେଭଳି ଭାବେ ହେବା କଥା ତାହା ହୋଇନାହିଁ। ଫଳରେ ବିକାଶ ବାଧାପ୍ରାପ୍ତ ହେଉଛି ବୋଲି ସେମାନେ କହିଥିଲେ। ଏହି ଅବସରରେ ବିଶିଷ୍ଠ ଚିକିତ୍ସକ ବିଶ୍ୱପ୍ରକାଶ କାନୁନଗୋ, ଜାତୀୟ ଭଲିବଲ ଖେଳାଳି ଏମ. ଡି ରାଜା ଓ କେତେକ ଅବସରପ୍ରାପ୍ତ ପୌର କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୌର ଅଧିକାରୀ ଆଶୁତୋଷ ଗୌରବ କର ବିବରଣୀ ପାଠ କରିଥିଲେ। ଉପାଧ୍ୟକ୍ଷ ଆକବରୀ ଖାତୁନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସାଧାରଣ ସଭାରେ କାଉନସିଲର ପୁଷ୍ପାଞ୍ଜଳି ବସ୍ତିଆ, ରଶ୍ମିତା ସିଂ, ଚୌଧୁରୀ ସୁକୁମାର ଦାସ, ପ୍ରଦୀପ୍ତ କୁମାର ଜେନା, ନିରାକାର ସ୍ୱାଇଁ, ସେକ ଅସଲମ, ଅସୀମା ନାୟକଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟସଭ୍ୟାମାନେ ମଞ୍ଚାସୀନ ଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।










