
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ସ୍ଥିତ ପଦ୍ମଲୋଚନ ବିଦ୍ୟାପୀଠରେ ଆବଶ୍ୟକୀୟ ଶିକ୍ଷକ ନଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଯିବାକୁ ବିରୋଧ କରି ଶନିବାର ଅଭିଭାବକ, ଗ୍ରାମବାସୀ ଓ୍ର ଛାତ୍ରୀଛାତ୍ରୀମାନେ ସ୍କୁଲ ଗେଟରେ ତାଲା ପାକାଇବା ସହ ଧାରଣାରେ ବସିଥିବା ଜଣାପଡ଼ିଛି ।
ସୂଚନା ମୁତାବକ ଚନ୍ଦନନଗର ପଂଚାୟତର ପଦ୍ମଲୋଚନ ବିଦ୍ୟାପୀଠରେ ଆଖପାଖ ପଞ୍ଚାୟତରୁ ପାଖାପାଖି ୫ ଶହରୁ ଅଧିକ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି । ସେଥିରୁ ପ୍ରାଥମିକ ଶିକ୍ଷାରେ ୨୬୩ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ମାତ୍ର ଚାରିଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ଆବଶ୍ୟକୀୟ ଶିକ୍ଷକ ନଥିଲେ ମଧ୍ୟ ଜେନେତେନେ ପ୍ରକାର ଶିକ୍ଷାଦାନ ଚାଲିଆସୁଥିଲା । ତେବେ ଗତ କିଛିଦିନ ପୂବେ କେନ୍ଦ୍ରାପଡା ଡିଇଓ ପ୍ରଦିପ କୁମାର ନାଗ ଶିକ୍ଷୟିତ୍ରୀ ନନ୍ଦିତା ସାହୁଙ୍କୁ ଡେପୁଟେସନରେ ଡେରାବିଶ ବ୍ଲକ ଭାରତୀ ବିଦ୍ୟାପୀଠକୁ ପଠାଇବାକୁ ଅର୍ଡର ହୋଇଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ପଟ୍ଟାମୁଣ୍ଡାଇ ବିଇଓଙ୍କୁ ଭେଟି ଏହାର ପ୍ରତିବାଦ କରିଥିଲେ । ମାତ୍ର କେନ୍ଦ୍ରାପଡା ଡିଇଓ ତୁରନ୍ତ ଡେପୁଟେସନରେ ଭାରତୀ ବିଦ୍ୟାଳୟରେ ପାଠ ପଢାଇବାକୁ ଶିକ୍ଷୟତ୍ରୀ ନନ୍ଦିତାଙ୍କୁ ନିର୍ଦେଶ ଦେଇଥିଲେ । ନିବେଦନ ପରେ ମଧ୍ୟ କାହିଁକି ଡେପୁଟେସନରେ ଶିକ୍ଷକଙ୍କୁ ନେଉଛନ୍ତି ବୋଲି ଅଭିଯୋଗ କରି ଅଭିଭାବକମାନେ ଛାତ୍ରୀଛାତ୍ରଙ୍କୁ ଧରି ସ୍କୁଲରେ ତାଲା ପକାଇ ଧାରଣାରେ ବସି ପ୍ରତିବାଦ କରିଥିଲେ । ଯେ ପର୍ଯ୍ୟନ୍ତ ଆବଶ୍ୟକ ଶିକ୍ଷକ ନିଯୁକ୍ତି ନ କରାଯାଇଛି ସେ ପ୍ରତିବାଦ ଓ ଧାରଣା ଜାରି ରହିବ ବୋଲି ଅଭିଭାବକ ରିତାଞ୍ଜଳି ଦାସ, ମଞ୍ଜୁଲତା ନାଥ, କବିତା ଦାଶ, ଶାନ୍ତିଲତା ନାୟକ, ସୁମିତ୍ରା ନାଥ, ଭାରତୀ ନାଥ, ରେଖାରାଣୀ ପଣ୍ଡା, ଅଞ୍ଜଳି ମଲିକ, ଗଣେଶ ଦାସ, ରବିନ୍ଦ୍ର ଘଡେଇ, ଅଲେଖ ବେହେରା ପ୍ରମୁଖ କହିଛନ୍ତି ।
ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଉନ୍ନତ ମାନର ଗୁଣାତ୍ମକ ଶିକ୍ଷା ଦେବା ଉଦ୍ଦେଶ୍ୟରେ କୋଟି କୋଟି ଅର୍ଥ ବ୍ୟୟରେ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ଯୋଜନା ଗୁଡିକ କାର୍ୟ୍ୟକାରୀ ହେଉନଥିବା ରୁ ଦିନକୁ ଦିନ ଶିକ୍ଷା ବ୍ୟବସ୍ଥା ଭୁଷୁଡିବାରେ ଲାଗିଛି। କେଉଁଠି ଶିକ୍ଷକ ଅଭାବ ଥିବା ବେଳେ କେଉଁଠି ଶ୍ରେଣୀ ଗୃହର ଅଭାବ ଲାଗିରହିଛି ଏପରି ଏକ ଉଦାହରଣ ସର୍ବପୁରାତନ ବିଦ୍ୟାଳୟ ପଦ୍ମଲୋଚନ ବିଦ୍ୟାପିଠ । ଏହି ବିଦ୍ୟାପିଠରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ୫୦୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ମାତ୍ର ୪ ଜଣ ଶିକ୍ଷକରେ ପାଠ ପଢା ଚାଲିଥିବା ବେଳେ ପ୍ରାୟ ୩ ରୁ ୪ ବର୍ଷ ହେବ କୌଣସି ଶିକ୍ଷକ ନିଯୁକ୍ତ ହୋଇନାହାନ୍ତି। ଅନ୍ୟପକ୍ଷରେ ଏଠି କାର୍ୟ୍ୟରତ ଜଣେ ଶିକ୍ଷକଙ୍କ ଅନ୍ୟତ୍ର ବଦଳି କରାଯାଉଛି ।ଏଥିରୁ ସହଜେ ଅନୁମେୟ ଯେ ସରକାରୀ ଅଧିକାରୀଙ୍କ ମନମାନୀ ଯୋଗୁଁ କିଭଳି ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି ବୋଲି ଅଭିଭାବକ କୃଷ୍ଣଚନ୍ଦ୍ର କର, ଶାନ୍ତିଲତା ନାୟକ,ସରପଂଚ ବନଜ ସେଠୀ, ପରିଚାଲନା କମିତି ଅଧକ୍ଷ ନିରଞ୍ଜନ ସତପଥୀ ପ୍ରମୁଖ କହିଛନ୍ତି।
ଏ ସଂପର୍କରେ ଡିିଇଓ ନାଗ୍ଙ୍କୁ ପଚାରିବାରୁ ଶିକ୍ଷୟିତ୍ରୀ ନନ୍ଦିତାଙ୍କ ଡେପୁଟେସନ୍ ଅର୍ଡର ହୋଇଥିଲା । ମାତ୍ର ତାହାକୁ ରଦ୍ଧ କରାଯାଇ ପଟ୍ଟାମୁଣ୍ଡାଇ ବିଇଓଙ୍କୁ ନିର୍ଦ୍ଦେଶ କରାଯାଇଛି । ଯେପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ନ ହୋଇଛନ୍ତି ଶିକ୍ଷୟତ୍ରୀ ନନ୍ଦିତା ପ୍ରଦ୍ମଲୋଚନ ବିଦ୍ୟାପିଠରେ ଶିକ୍ଷାଦାନ କରିବେ ବୋଲି ସେ କହିଛନ୍ତି ।










