ପାଳପାଟଣା-ମହାସାହାଣୀ ସେତୁ ନିର୍ମାଣ ପାଇଁ ନିର୍ଦେଶ , ରାଜନଗର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି ବୈଠକ


କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ଥର ପାଇଁ ରାଜନଗର ନିର୍ବାଚନମଣ୍ଡଳୀ ବିକାଶ କମିଟି ବୈଠକ ଶୁକ୍ରବାର ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ଅଧ୍ୟକ୍ଷ ହେମନ୍ତ ସାହୁ, ରାଜନଗର ବ୍ଲକ ଅଧ୍ୟକ୍ଷା ପ୍ରତିଭା ପାତ୍ର, ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ, ରାଜନଗର ବିଡ଼ିଓ ନିଶାନ ମିଶ୍ର,ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ,ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିର, ପଟ୍ଟାମୁଣ୍ଡାଇ ପୂର୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଇଂ ରାଜଶ୍ରୀ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥବା ବେଳେ ବିଧାୟକ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ ଓ ମୁନିସିପାଲିଟି ଏବଂ ରାଜନଗର ବ୍ଲକର ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ସ୍ଥିତି ପରଖିବା ସହିତ ବାକି ଥିବା ବିଭିନ୍ନ ପ୍ରକଳ୍ପ ତୁରନ୍ତ ସଂପୂର୍ଣ୍ଣ କରିବା ସହ ନୂତନ ପ୍ରକଳ୍ପ କାର୍ଯ୍ୟ ନିର୍ଧାରିତ ସମୟରେ ସଂପୂର୍ଣ୍ଣ କରିବାକୁ ନିର୍ଦେଶ ଦେଇଥିଲେ ।


ରାଜନଗର ବିଧାୟକ ସର୍ବପ୍ରଥମେ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ବିକାଶ ପାଇଁ ୧୭ କୋଟି ଟଙ୍କାର କାର୍ଯ୍ୟ ଚାଲି ଥିବାବେଳେ ୫୫କୋଟି ବ୍ୟୟରେ ୩୮ଟି ଷ୍ଟାଫ କ୍ୱାଟର ନିର୍ମାଣ କରାଯିବା ପାଇଁ ବ୍ୟବସ୍ଥା ହୋଇଛି । ଏହି ଷ୍ଟାଫ କ୍ୱାଟର ନିର୍ମାଣ ପାଇଁ ହସ୍ପିଟାଲ ସଲଗ୍ନ ଅଂଚଳରେ ସରକାରୀ ଜାଗା ଯୋଗାଇ ଦେବାକୁ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୭ ଜଣ ଡାକ୍ତର ନିଯୁକ୍ତି ଦିିଆଯାଇ ଥିବାବେଳେ ସବଡିଭିଜନ ହସ୍ପିଟାଲରେ ୧୧ଜଣ ଡାକ୍ତର ନିଯୁକ୍ତି ଦିଆ ଯାଇଛି । ଅଧିକ ଡାକ୍ତର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ରାଜନଗର ସ୍ୱାସ୍ଥ୍ୟକେନ୍ଦ୍ର ଓ ଗ୍ରାମାଂଚଳ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ବ୍ୟବସ୍ଥା ସମୀକ୍ଷା କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ବ୍ୟବସ୍ଥା ସମୀକ୍ଷା କରି ୧୬୯ ଶିକ୍ଷକ ପଦବୀ ଖାଲି ଥିବା ସ୍ଥାନରେ ୧୨୯ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ବିଶେଷକରି ମିଞ୍ଜାଉଣୀ ସ୍କୁଲ କେହି ଶିକ୍ଷକ ନଥିବା ବେଳେ ସ୍କୁଲରେ ଶିକ୍ଷକ ନିଯୁକ୍ତି କରିବାଜୁ ନିର୍ଦେଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ଓ ସରକାରୀ ବାଳିକା ହାଇସ୍କୁଲରେ ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ । ରାଜନଗର ବ୍ଲକରେ ୨୦୧ ଶିକ୍ଷକ ପଦବୀ ଖାଲି ଥିବାବେଳେ ୧୬୯ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ଏହା ସତ୍ୱେ ଜଣେ ଶିକ୍ଷକ ଥିବା ସ୍କୁଲରେ ଶିକ୍ଷକ ନିଯୁକ୍ତି କରିବାକୁ ନିର୍ଦେଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟକ୍ରମ ସମୀକ୍ଷା କରିବା ସହିତ ପାନୀୟଜଳ ସ୍ଥିତି ସମୀକ୍ଷା କରି ବିଧାୟକ ଉଭୟ ବ୍ଲକରେ ଚାଲିଥିବା ମେଗା ପାନୀୟଜଳ ପ୍ରକଳ୍ପ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ପ୍ରତି ପଂଚାୟତର ଜଳକ୍ଳିଷ୍ଟ ଅଂଚଳରେ ଅତିରିକ୍ତ ନଳକୂପ ଖନନ ବ୍ୟବସ୍ଥା ସହ ସାନମୋହନପୁର ଠାରେ ଏକ ଅତିରିକ୍ତ ବୋରିଂ ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ, ମୁନିସିପାଲିଟି ଓ ରାଜନଗର ବ୍ଲକର ପୂର୍ତ ବିଭାଗ କାର୍ଯ୍ୟକ୍ରମ ସମୀକ୍ଷା କରି ସମସ୍ତ ରାସ୍ତା ସେତୁ ନିର୍ମାଣ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇଥିଲେ । ଆସନ୍ତା ଦୂର୍ଗା ପୂଜା ପୂର୍ବରୁ ପଟ୍ଟାମୁଣ୍ଡାଇ-ରାଜନଗର ବ୍ରାହ୍ମଣୀ ନଦୀବନ୍ଧ ରାସ୍ତା ମରାମତି ସଂପୂର୍ଣ୍ଣ କରିବା ସହିତ ପଟ୍ଟାମୁଣ୍ଡାଇ ମେଡିକାଲ ଛକ ଠାରୁ ବକ୍ତାରପୁର ପର୍ଯ୍ୟନ୍ତ ରାସ୍ତାରେ ଡ୍ରେନ ନିର୍ମାଣ କରି ଜଳନିଷ୍କାସନ ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଥିଲେ । ରାଜନଗର ବ୍ଲକରେ ଥିବା ରାସ୍ତା ଓ ସେତୁ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇଥିଲେ । ବିଧାୟକ ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକର ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟକ୍ରମ ସମୀକ୍ଷା କରି ବିଭାଗୀୟ ଅଧିକାରୀଙ୍କ ଉପରେ ବର୍ଷି ଥିଲେ । ଏହି ବିଭାଗକାର୍ଯ୍ୟକ୍ରମ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବିଧାୟକ ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ ନିର୍ମାଣଧୀନ ରାସ୍ତା ଓ ସେତୁ ନିର୍ମାଣ ନିର୍ଧାରିତ ସମୟରେ ସଂପୂର୍ଣ୍ଣ କରିବାକୁ ନିର୍ଦେଶ ଦେଇଥିଲେ । ବିଶେଷ କରି ବାରମ୍ବାର ଟେଣ୍ଡର ହୋଇ ବାତିଲ ହୋଇଥିବା ପଟ୍ଟାମୁଣ୍ଡାଇ ବ୍ଲକର ପାଳପାଟଣା-ମହାସାହାଣୀ ସେତୁ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ । ଏଥି ସହିତ ନିର୍ମାଣାଧୀନ ବଳଭଦ୍ରପୁର ପଂଚାୟତରେ ନିର୍ମାଣା ଧୀନ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ଠିକଣା ଭାବେ ଉତମ ଗୁଣ ବତା ସହ ସଂପୂର୍ଣ୍ଣ କରିବାକୁ ନିର୍ଦେଶ ଦେଇଥିଲେ । ପଟ୍ଟାମୁଣ୍ଡାଇରେ ବିଦ୍ୟୁତ ଡିଭିଜନ ଖୋଲିବା ଉପରେ ବିଧାୟକ ଗୁରୁତ୍ୱାରୋପ କରିବା ସହିତ ପଟ୍ଟାମୁଣ୍ଡାଇ ବିଦ୍ୟୁତ ଫିଡ଼ରୁ ଜରିଆ ଲାଇନ ଅଲଗା କରିବାକୁ ନିର୍ଦେଶ ଦେବା ସହିତ ପୁରୁଣା ଖୁଂଟ ଓ ତାର ବଦଳାଇବାକୁ ନିର୍ଦେଶ ଦେଇଥିଲେ । ଶେଷରେ ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading