
କେନ୍ଦ୍ରାପଡ଼ା, ୨୧ା୯: ଲୁଣା-କରାଣ୍ଡିଆ ନଦୀର ବସପୁର ପୋଲ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା କରୁଥିବା ଘଟଣା ବୃଦ୍ଧି ପାଉଥିବା ଯୋଗୁଁ ପୋଲର ଉଭୟ ପାଶ୍ୱର୍ର ବାଡାକୁ ୬ଫୁଟ ଉଚ୍ଚତାରେ ତାର ଜାଲି ଦେଇ ଆବଦ୍ଧ କରାଯିବାକୁ ଦାବି କରାଯାଇଛି। କେନ୍ଦ୍ରାପଡା ବିକାଶ ପରିଷଦ ପକ୍ଷରୁ ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଜିଲ୍ଲା ସଦର ମହକୁମାରୁ ପ୍ରାୟ ୮କିଲୋମିଟର ଦୂରରେ ଥିବା ଲୁଣା- କରାଣ୍ଡିଆ ନଦୀର ବସପୁର ଠାରେ ନିର୍ମିତ ପୋଲର ଉଭୟ ପାଶ୍ୱର୍ ବାଡା ମାତ୍ର ୪ଫୁଟ ଉଚ୍ଚ ରହିଛି। ବିଭିନ୍ନ ସମୟରେ ପାରିବାରିକ ବିବାଦ, ପ୍ରେମ – ପ୍ରତାରଣା ତଥା ଅନ୍ୟାନ୍ୟ ହତାଶା ଭାବର ଶୀକାର ହୋଇ ସରଳ, ଅସହାୟ ବ୍ୟକ୍ତି ବିଶେଷତଃ ମହିଳା ଓ ଯୁବକ ଯୁବତୀମାନେ ଏହି ପୋଲ ବାଡରୁ ନଦୀକୁ ଡେଇଁ ବହୁ ସଂଖ୍ୟାରେ ଆତ୍ମ ହତ୍ୟା କରୁଥିବା ଦେଖାଯାଉଛି। ଦିନକୁ ଦିନ ଏଭଳି ବର୍ଦ୍ଧିତ ଆତ୍ମହତ୍ୟା ଘଟଣାକୁ ନେଇ କେନ୍ଦ୍ରାପଡା ବିକାଶ ପରିଷଦ ମର୍ମାହତ ବୋଲି କହିଛି। ଏଣୁ ଏହାର ନିରାକରଣ ପାଇଁ ପ୍ରଶାସନ ଘଟଣାକୁ ଗୁରୁତ୍ୱ ଦେଇ ଏହି ନଦୀ ପୋଲର ଉଭୟ ପାଶ୍ୱର୍ ବାଡା ଉପରେ ଅନ୍ୟୁନ୍ୟ ୬ଫୁଟ ଉଚ୍ଚତାର ତାର ଜାଲି ଘେରାଇବାକୁ ପରିଷଦ ପକ୍ଷରୁ ଦାବି କରାଯାଇଛି। ଏଥିସହିତ ନଦୀରେ ବୁଡି ଯାଉଥିବା ଲୋକଙ୍କୁ ଉଦ୍ଧାର ନିମନ୍ତେ ସ୍ଥାନୀୟ ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହ ଆବଶ୍ୟକ ସାମଗ୍ରୀ ମହଜୁଦ ରଖାଯିବା ଓ ସେହି ସ୍ଥାନରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କରାଯିବାକୁ ଦାବି କରାଯାଇଛି। ବିକାଶ ପରିଷଦ ପକ୍ଷରୁ ଅମରବର ବିଶ୍ୱାଳ ଓ ନଗେନ୍ଦ୍ର ଜେନା ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି।











