ପଟ୍ଟାମୁଣ୍ଡାଇ ବ୍ଲକରେ ମିଳିତ ଜନଶୁଣାଣୀ ଶିବିର ୮୫ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ



ପଟ୍ଟାମୁଣ୍ଡାଇ ୨୩/୯ -ପଟ୍ଟାମୁଣ୍ଡାଇ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଏସପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ ତଥା ପିଡ଼ି ନିଲୁ ମହାପାତ୍ର, ସହକାରୀ ଜିଲ୍ଲାପାଳ ପଲ୍ଲବୀ ପ୍ରିୟଦର୍ଶନୀ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ବିଡ଼ିଓ ଶୁଭ୍ରାଂଶୁ ସାହୁ, ତହସିଲଦାର ପଂଚାନନ ନାୟକ ପ୍ରମୁଖ ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିଥିଲେ । ବିଜୁ ପଟ୍ଟନାୟକ ଛକରେ ଅସ୍ଥାଇ ବସଷ୍ଟାଣ୍ଡ ହୋଇଥିବାରୁ ଯାତ୍ରୀମାନେ ବସର ଅପେକ୍ଷା କରୁଥିବା ବେଳେ ଅନ୍ୟାନ ଗାଡିଚଳାଚଳ କରୁଛନ୍ତି । ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି । ଏହାଛଡା ଏଣୁ ଟ୍ରାଫିକ ସମସ୍ୟା ଦୂର ପାଇଁ ଟ୍ରାଫିକ ପୋଲିସ ବ୍ୟବସ୍ଥା ସହ ଅବାଧ ବିଚରଣ କରି ରାସ୍ତା ଅବରୋଧ କରୁଥିବା ବୁଲା ଗାଇ ଗୋରୁଙ୍କୁ ହଟାଇବା ଦିଗରେ ପଦକ୍ଷେପ ନେବାକୁ ବ୍ଲକ ଅଧକ୍ଷ ସାମନ୍ତରାୟ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକର ଉପାନ୍ତ ପଂଚାୟତ ସିଂହଗାଁ ପଂଚାୟତର ରାଉଳିଆ ପୋଲ ଓ ତନ୍ତିଆ ନାଳ ପୋଲ ନିର୍ମାଣ ତ୍ୱରାନ୍ୱିତ କରିବା ସହିତ ଏହି ପଂଚାୟତରେ ସ୍ଥାୟୀ ପିଇଓ ନିଯୁକ୍ତ କରିବାକୁ ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ ଦାବୀ କରିଥିଲେ । ବଡ଼ମୂଳବସନ୍ତ ସରପଂଚ ସନ୍ତୋଷ ସେଠୀ ପାନୀୟ ଜଳ, ରାସ୍ତାଘାଟ ନିର୍ମାଣ ଓ ମରାମତି, ବନ୍ଧସାହି ଗ୍ରାମରେ ନଳକୂପ ଖନନ,ନପଙ୍ଗ ଏଲଆଇ ସେଂଟର ଗୃହ ଉନ୍ନତିକରଣ ସହ ଯୋଗ୍ୟ ହିତାଧିକାରୀଙ୍କୁ ରାସନ ଓ ଲେବର କାର୍ଡ ପ୍ରଦାନ ସହ ବିଧବା ସବିତା ଦାସଙ୍କୁ ଭତା ତୁରନ୍ତ ପ୍ରଦାନ କରିବା ପାଇଁ ଦାବୀ କରିଥିଲେ । ନରସିଂହପୁର ସରପଂଚ ଦିପ୍ତିମୟୀ ପରିଡା ଅଠରବାଟିଆ, ପଛପଡା, ଅଇନପଡା ଗ୍ରାମରେ ଅତିରିକ୍ତ ବୋରିଂ ସହ ଅଢାଖଣ୍ଡ -ମଠସାହି ଗ୍ରାମର ରାହାସ ବିହାରୀ ଦାସ ଘର ଠାରୁ ବାଜିଆ ବିଶ୍ୱାଳ ଘର ପର୍ଯ୍ୟନ୍ତ ଢ଼ଳେଇ ରାସ୍ତା ନିର୍ମାଣ ପାଇଁ ଦାବୀ କରିଥିଲେ । ପଟ୍ଟାମୁଣ୍ଡାଇ ବସଷ୍ଟାଣ୍ଡ ନିର୍ମାଣକୁ ତ୍ୱରାନ୍ୱିତ କରିବା, ପଟ୍ଟାମୁଣ୍ଡାଇ କଲେଜକୁ ୫ଟି ନୂଆ-ଓ ସମେତ କଲେଜକୁ ଆସିଥିବା ଅନ୍ୟାନ୍ୟ ପ୍ରକଳ୍ପ ବାବଦ ଅନୁଦାନ ଅର୍ଥର ବାଟମରଣାର ଭିଜିଲାନ୍ସ ତଦନ୍ତ, ଦୁର୍ଘଟଣା ଏଡାଇ ବା ପାଇଁ ନୂଆ ବାଇପାସ ବିଜୁ ପଟ୍ଟନାୟକ ଛକ ଠାରେ ସ୍ପିଡ଼ ବ୍ରେକର ନିର୍ମାଣ କରିବା, କଚେରୀ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟ ସଂପୂର୍ଣ୍ଣ କରିବା, ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତ କରିବା, ଏମଏନ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ନିଯୁକ୍ତି କରିବା, ସାପ୍ତାହିକ ହାଟକୁ ପୂର୍ବ ସ୍ଥାନକୁ ଫେରାଇ ଆଣିବା ସର୍ବୋପରି ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ନିର୍ମାଣ କରିବା ଆଦି ଦାବୀ ନେଇ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି ଗୋପୀ ବଲ୍ଲଭ ନାୟକ ଓ ସମ୍ପାଦକ ଗୋପୀନାଥ ତ୍ରିପାଠୀ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ବାଛରା ସରପଂଚ ରଂଜିତା ସାହୁ ଛୋଟ ପିଲାମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ବନ୍ଦ ଥିବା ବାଛରା ପ୍ରାଥମିକ ବିଦ୍ୟାଳୟ ଖୋଲିବା ଓ ପଂଚାୟତ ଅଫିସ ସମ୍ମୁଖରେ ଥିବା ଜମିରେ ଖେଳ ପଡିଆ ନିର୍ମାଣ ପାଇଁ ଦାବୀ କରିଥିଲେ । ମେଗା ପାନୀୟଜଳ ପ୍ରକଳ୍ପର ଠିକାଦାର ପାଇପ ବିଛାଇବା ପାଇଁ ବିଭିନ୍ନ ସ୍ଥାନରେ ରାସ୍ତା ଖୋଳିି ଦେଇଥିବାରୁ ଜନସାଧାରଣ ଯାତାୟାତରେ ବାଧା ସୃଷ୍ଟି ହେଉଥିବା ବେଳେ ଦୋଷିଆ ପଂଚାୟତ ଗ୍ରାମ୍ୟ ଉନ୍ନୟନ ରାସ୍ତା ଉପରେ ନିର୍ମିତ ପୋଲ ଖଣ୍ଡିଆ ଥିବାରୁ ଯାତାୟାତରେ ମଧ୍ୟ ଅସୁବିଧା ହେଉଛି । ଜିଲ୍ଲାପାଳ ଏହାର ପ୍ରତିକାର ଦିଗରେ ପଦକ୍ଷେପ ନେବାକୁ ସାମାଜିକକର୍ମୀ ଜ୍ୟୋତିପ୍ରକାଶ ପ୍ରଧାନ ଦାବୀ କରିଥିଲେ । ଏହି ଜନଶୁଣାଣୀ ଶିବିରରେ ଆଗତ ୮୫ ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯଇଥିଲା । ଏଥିରେ ଉଦ୍ୟାନ ବିଭାଗ ଉପନିର୍ଦେଶକ ଅଶୋକ ସାମଲ, ବ୍ଲକ ସହନିର୍ବାହୀ ଯନ୍ତ୍ରୀ ଇଂ ଜଳଧର ବେହେରା, ସିଡିଏମ ଓ ଅନିତା ପଟ୍ଟନାୟକ, ଡିଇଓ ପ୍ରଦୀପ ନାଗ,ପୂର୍ତ ବିଭାଗ ନିର୍ବାହୀଯନ୍ତ୍ରୀ ରାଜଶ୍ରୀ ବେହେରା, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବସନ୍ତ ନାୟକ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ସ୍ମୃତି ରଞ୍ଜନ ରଥ,ପଟ୍ଟାମୁଣ୍ଡାଇ ଏସଡ଼ିପିଓ କ୍ଷମା ସାଗର ପଣ୍ଡା ଆଦର୍ଶ ଥାନା ଆଇଆଇସି ସୁଶାନ୍ତ ସାହୁ,ପୌରନିର୍ବାହୀ ଅଧିକାରୀ ଅଜିତ ନାରାୟଣ ନାରାୟଣ ଗିରି ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିଥିଲେ ।


Discover more from

Subscribe now to keep reading and get access to the full archive.

Continue reading