ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ପାଳିତ



କେନ୍ଦ୍ରାପଡ଼ା, ୨ା୧୦: ଭୟ ଓ ଆତଙ୍କ ପୂର୍ଣ୍ଣ ଯୁଦ୍ଧୋନ୍ମୁଖୀ ଆନ୍ତର୍ଜାତୀୟ ପରିସ୍ଥିତିରେ ମାନବ ସମାଜର ସ୍ଥାୟିତ୍ୱ ତଥା ବିଶ୍ୱ ଶାନ୍ତି ପାଇଁ ଗାନ୍ଧିଜୀଙ୍କ ପ୍ରଦର୍ଶିତ ସତ୍ୟ ଓ ଅହିଂସା ବିଚାରର ଆବଶ୍ୟକତା ସମଗ୍ର ବିଶ୍ୱ ଅନୁଭବ କରୁଥିବା ବେଳେ ଆମେ ଭାରତୀୟମାନେ ଗାନ୍ଧିଜୀଙ୍କୁ ବୁଝିବା ଓ ତଦନୁଯାୟୀ ନିଜକୁ ଗଢିବା ପାଇଁ ତାଙ୍କୁ ଅଧିକରୁ ଅଧିକ ପଢିବାର ଆବଶ୍ୟକତା ଅଛି ବୋଲି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ଗାନ୍ଧୀ ପ୍ରଶ୍ନୋତ୍ତରୀ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ସଭାରେ ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ସଂଗଠନର ଜିଲ୍ଲା ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ପରିଚାଳନାରେ ସହରସ୍ଥିତ ଭାରତୀ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ଏହି ଉତ୍ସବରେ କେନ୍ଦ୍ରାପଡ଼ା ବ୍ଲକ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥି, ପୂର୍ବତଟ ରେଳବାଇର ଅବସରପ୍ରାପ୍ତ ଲୋକସମ୍ପର୍କ ଅଧିକାରୀ କବି ନିରାକାର ଦାସ ମୁଖ୍ୟବକ୍ତା ଓ ଅଧ୍ୟାପକ ଅଜୟ ସାମଲ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଜିଲ୍ଲାର ସମସ୍ତ ୯ ଗୋଟି ବ୍ଲକ ଓ ୨ ଟି ପୌରାଞ୍ଚଳରୁ ଆସିଥିବା କ୍ରୁତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ମାନବ ସମାଜର ଆଲୋକ ବର୍ତ୍ତିକା ମହାପୁରୁଷମାନଙ୍କ ଜୀବନୀ ପଢିବା ପାଇଁ ପରାମର୍ଶ ଦେଇଥିଲେ। ସଂଗଠନର ସମ୍ପାଦକ ଆଦିକନ୍ଦ ରାଉଳ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରକାଶ କରିଥିବା ବେଳେ ଅବଧୂତ ରାଉତ ଅତିଥି ପରିଚୟ ପ୍ରଦାନ ଓ ମହେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାଧ୍ୟାପକ ମୋହନ ଚରଣ ଜେନା, ବିଶିଷ୍ଟ ସାହିତ୍ୟିକ ଡ. ବାସୁଦେବ ଦାସ, ବିଜୟିନୀ ଦାଶ, କବି ଅବନ୍ତୀ ବେହେରା, ରମଣୀ ରଞ୍ଜନ ରାଉତରାୟ, ପ୍ରଦୀପ ଦାଶ, ଭାଗୀରଥି ଜେନା, ଶରତ ରାଉତ, ଡ. ଶ୍ରୀଧର ସାମଲ, କବି ପ୍ରେମାନନ୍ଦ ଖଣ୍ଡୁଆଳ, ଅଭିମନ୍ୟୁ ରାଉତ, ରଣଧୀର ଜେନା, କବି ନିରୂପମା ଦାସ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ସୁରେନ୍ଦ୍ରନାଥ ପତି, ରାଜେନ୍ଦ୍ର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading