
କେନ୍ଦ୍ରାପଡା, ୪/୧୦: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ୨୦୧୯ ମସିହାଠାରୁ ଏକ ସାମ୍ବିଧାନିକ ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଗଠନ କରାଯାଇ ସମାଜର ବିଭିନ୍ନ ବର୍ଗର ୨୫୦ରୁ ଅଧିକ ସକ୍ରିୟ ବରିଷ୍ଠ ନାଗରିକମାନଙ୍କୁ ନେଇ ଜିଲ୍ଲାରେ ଏକ ବଳିଷ୍ଠ, ସମ୍ମାନଜନକ ସଂଗଠନ ରୂପେ କାର୍ଯ୍ୟ କରିବାର ସୌଭାଗ୍ୟ ଅର୍ଜନ କରିପାରିଛି । ପରିବର୍ତ୍ତିତ ସମୟାନୁଯାୟୀ ଏହାର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଏହାର ସଦସ୍ୟ/ସଦସ୍ୟା ତଥା ଜିଲ୍ଲାର ସମସ୍ତ ବରିଷ୍ଠ ନାଗରିକମାନଙ୍କ ସାମାଜିକ ସମ୍ମାନ, ସୁରକ୍ଷା, ନିରାପତ୍ତା ଓ ସେବା ସହାୟତା ପ୍ରଦାନକୁ ସୁନିଶ୍ଚିତ କରାଇବା ପ୍ରତି ଯଥେଷ୍ଟ ସଚେତନ । ଏଥିସହିତ ଯତ୍ନବାନ ହେବା ସହ ବିଭିନ୍ନ ସାମାଜିକ ତଥା ଜନମଙ୍ଗଳକାରୀ କାର୍ଯ୍ୟ ଯଥା ବୃକ୍ଷରୋପଣ, ରକ୍ତଦାନ ଶିବିର, ଘରପୋଡି ସାହାଯ୍ୟ, ସ୍ୱଚ୍ଛ ଭାରତ ଅଭିଯାନ ପ୍ରଭୃତି ସଂଗଠିତ କରିବା ଓ ସମାଜରେ ପୀଡିତ, ଅସହାୟ ଓ ଦୁଃଖୀ ଲୋକମାନଙ୍କୁ ଏବଂ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ଇତ୍ୟାଦି ସାମାଜିକ କାର୍ଯ୍ୟମାନ କରିଆସୁଛନ୍ତି । କେନ୍ଦ୍ରାପଡା ସହରରେ ଏକ ସ୍ଥାୟୀ କାର୍ଯ୍ୟାଳୟ ନିହାତି ଆବଶ୍ୟକ । ଏଥିନିମନ୍ତେ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ଶୁକ୍ରବାର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସମ୍ପାଦକ କୈଳାସ ଚନ୍ଦ୍ର ସ୍ୱାଇଁ, ଫକୀର ଚରଣ ଖଟୁଆ, ପରମାନନ୍ଦ ସେଠୀ, ପ୍ରହଲ୍ଲାଦ ମଲ୍ଲ, ନରୋତ୍ତମ ଜେନା, ରବିନ୍ଦ୍ର ନାଥ ବାରିକ, ଉପେନ୍ଦ୍ର ନାଥ ପ୍ରଧାନ, ବୈଷ୍ଣବ ଚରଣ ସ୍ୱାଇଁ, ରବିନ୍ଦ୍ର ରଥ, ସୟଦ୍ ଅକମଲ ଅଲ୍ଲୀ, ନିରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।











