କେନ୍ଦ୍ରାପଡା ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଭେଜାଲ ଘିଅ ଘଟଣା ଦୁର୍ଗନ୍ଧଯୁକ୍ତ ଘିଅ ଫେରାଇ ନେଇ ଖସିଗଲେ ଯୋଗାଣକାରୀ ସଂସ୍ଥା


କେନ୍ଦ୍ରାପଡ଼ା, ୬ା୧୦: ଶ୍ରୀବଳଦେବଜୀଉ ମନ୍ଦିର ମଣୋହି ନୀତି ପାଇଁ ଗଚ୍ଛିତ ଗୁଆ ଘିଅ ଦୁର୍ଗନ୍ଧଯୁକ୍ତ ହେବା ଘଟଣା ଚର୍ଚ୍ଚାକୁ ଆସିଥିବା ବେଳେ ଘିଅ ଯୋଗାଣକାରୀ ସଂସ୍ଥା ଏହି ଦୁର୍ଗନ୍ଧଯୁକ୍ତ ଘିଅକୁ ଫେରାଇ ନେଇ ନୂତନ ଘିଅ ପ୍ରଦାନ କରି ନିଜର ଭୁଲ୍ ସଂଶୋଧନ କରିବାକୁ ଉଦ୍ୟମ କରିଛି । କିନ୍ତୁ ଏହି ଦୁର୍ଗନ୍ଧଯୁକ୍ତ ଘିଅ ପାଇଁ କିଏ ଦାୟୀ ତାହାର ପର୍ଦ୍ଦାଫାସ ନ ହେବାରୁ ଶ୍ରୀବଳଦେବଜୀଉଙ୍କ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ଉପରେ ଏହା କୁଠାରଘାତ କରିଛି। ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଶ୍ରୀଜୀଉଙ୍କ ପାଇଁ ଅନ୍ନ ପ୍ରସାଦ ନୀତି ସହିତ ଅନ୍ୟାନ୍ୟ ଭୋଗ ତିଆରି ନିମନ୍ତେ ଏକ ସରକାରୀ ସ୍ୱୀକୃତିପ୍ରାପ୍ତ ସଂସ୍ଥାରୁ ଘିଅ କିଣାଯାଇଥାଏ । ମନ୍ଦିର ଦେବୋତ୍ତର ସଂସ୍ଥା କଟକ କୋପରେଟିଭ୍ ମିଲ୍କ ପ୍ରଡ୍ୟୁସରର୍ସ ୟୁନିଅନ (ଏକ କ୍ଷୀର ଯୋଗାଣକାରୀ ସଂସ୍ଥା) ଠାରୁ ଘିଅ କିଣିଥାନ୍ତି । ଏହି ଯୋଗାଣକାରୀ ସଂସ୍ଥା ମନ୍ଦିରକୁ ଦେଇଥିବା ଘିଅ ଦୁର୍ଗନ୍ଧଯୁକ୍ତ ବୋଲି ଗୁରୁବାର ସନ୍ଧ୍ୟାରେ ମଣୋହି ପ୍ରସ୍ତୁତି ପାଇଁ ଆଣିବା ସମୟରେ ଜଣା ପଡିଥିଲା । ଏହି ଘିଅ ଟିଣରେ ଘିଅ ନିର୍ମାଣକାରୀ ଏକ ସରକାରୀ ସ୍ୱୀକୃତିପ୍ରାପ୍ତ ସଂସ୍ଥାର ଷ୍ଟିକର୍ ମରାଯାଇଥିବା ବେଳେ ଏଥିରେ ବ୍ୟାଚ ନମ୍ବର, ପ୍ରସ୍ତୁତି ଏବଂ ବ୍ୟବହାର ଶେଷ ତାରିଖ ଲିପିବଦ୍ଧ ହୋଇନଥିଲା । କେଉଁ ପରିସ୍ଥିତିରେ ଯୋଗାଣକାରୀ ସଂସ୍ଥା ଏପରି ଟିଣ ଘିଅ ଦେଲେ ଏବଂ କେଉଁ ପରିସ୍ଥିତିରେ ଏହାକୁ ଦେବୋତ୍ତର ସଂସ୍ଥା ଗ୍ରହଣ କଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଭେଜାଲ ଘିଅ ସମ୍ପର୍କରେ ଶ୍ରୀବଳଦେବଜୀଉ ମନ୍ଦିର ଦେବୋତ୍ତର ସଂସ୍ଥା ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କଟକର ଯୋଗାଣକାରୀ ସଂସ୍ଥାକୁ ଏସମ୍ପର୍କରେ ଜଣାଇ ଦୁର୍ଗନ୍ଧଯୁକ୍ତ ଘିଅକୁ ଫେରାଇ ନେଇ ନୂତନ ଘିଅ ଦେବାକୁ କହିଥିଲେ । ସେହି ଅନୁଯାୟୀ ଶନିବାର ପୂର୍ବାହ୍ନରେ ଦୁର୍ଗନ୍ଧଯୁକ୍ତ ପାଞ୍ଚ ଟିଣ ଘିଅକୁ ସଂପୃକ୍ତ ସଂସ୍ଥା ଫେରାଇ ନେଇ ନୂତନ ପାଞ୍ଚ ଟିଣ ଘିଅ ଦେଇଛନ୍ତି । ହେଲେ ଏହି ଘିଅଟିଣରେ ଲଗାଯାଇଥିବା କାଗଜ ଷ୍ଟିକରରେ ଏକ ସରକାରୀ ସଂସ୍ଥାର ନାମ ଓ ଲୋଗୋ ଥିବା ବେଳେ ବିଶୁଦ୍ଧ ଘିଅ ଲେଖାଯାଇଛି । ପରିମାଣ ୧୫ଲିଟର ସହିତ (୧୩.୫୭୫ କି.ଗ୍ରା, ୪୦ ସେ. ଉତ୍ତାପରେ) ଲିପବଦ୍ଧ ହୋଇଛି । ଏଥିସହିତ ଓଡିଶାର ସମସ୍ତ ପ୍ରସିଦ୍ଧ ଦେବାଦେବୀ ମନ୍ଦିରରେ ବ୍ୟବହୃତ ଲେଖାଯାଇଛି । ମୂଲ୍ୟ (ଏମ୍‌ଆର୍‌ପି) ୮୯୯୦ ପ୍ରତି ଲିଟର ୬୬୬ଟଙ୍କା, ନିର୍ମାଣ (ଏମ୍‌ଏଫ୍‌ଜି) ୦୧/୧୦/୨୦୨୪, କର ସହିତ-ବି ନଂ-ସିଟିସି/୨୭୫/ଏ ଲିପିବଦ୍ଧ ହୋଇଛି । ଶେଷରେ ଡବା ଉପରେ ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିଃ, ଭୁବନେଶ୍ୱର ବୋଲି ଲେଖା ଅଛି । ଏହି ଘିଅ ଟିଣ ପ୍ରଦାନ କରିଥିବା ଯୋଗାଣକାରୀ ସଂସ୍ଥା ତାଙ୍କ ପ୍ୟାଡ୍‌ରେ ଚିଠି ମାଧ୍ୟମରେ ବଳଦେବଜୀଉ ମନ୍ଦିର ପ୍ରଶାସନକୁ ଜଣାଇଛନ୍ତି ଯେ ଏହି ଖବର ସମ୍ବାଦପତ୍ରରୁ ଜାଣିବା ପରେ ମନ୍ଦିରକୁ ଆସି ଘିଅକୁ ଯାଞ୍ଚ କରିଥିଲେ । ଘିଅରୁ ସାମାନ୍ୟ ଗନ୍ଧ ବାହାରୁଥିବା ଅନୁଭନ କରି ତିର୍ତ୍ତୋଲସ୍ଥିତ ପରୀକ୍ଷାଗାର ସହିତ ଯୋଗାଯୋଗ କରି ଅବଗତ ହୋଇଥିଲେ ଯେ ଉକ୍ତ ବ୍ୟାଚ୍‌ରେ ତିଆରି ହୋଇଥିବା ଘିଅରେ ସାମାନ୍ୟ ଆଦ୍ରତା ରହିଥିବାରୁ ଏହା ସାମାନ୍ୟ ଗନ୍ଧ ବାହାରୁଛି । ପରବର୍ତ୍ତୀ ସମୟରେ ପ୍ରେରଣ କରାଯାଉଥିବା ଘିଅର ଉତ୍ପାଦନ ତାରିଖ ଓ ସମାପ୍ତି ତାରିଖ ଉଲ୍ଲେଖ କରି ଶ୍ରୀବଳଦେବଜୀଉ ମନ୍ଦିରକୁ ଘିଅ ପ୍ରଦାନ କରାଯିବ ବୋଲି ତା-୪/୧୦/୨୦୨୪ ରିଖରେ ଚିଠି ମାଧ୍ୟମରେ ମାର୍କେଟିଂ ଇନ୍‌ଚାର୍ଜ ଲିଙ୍ଗରାଜ ପରିଡା ମନ୍ଦିର ପ୍ରଶାସନକୁ ଜଣାଇଥିଲେ । ଏହି ଚିଠି ଅନୁଯାୟୀ ଶନିବାର ୫ଟିଣ ଘିଅ ମନ୍ଦିର ପ୍ରଶାସନକୁ ପ୍ରଦାନ କରିଥିଲେ । ଗୋଟିଏ ଚିଠି ମାଧ୍ୟମରେ ଯୋଗାଣକାରୀ ସଂସ୍ଥା ଦୁଃଖ ପ୍ରକାଶ କରି ଖସିଗଲା । ପ୍ରକୃତ ରହସ୍ୟ ଜଣାପଡିଲା ନାହିଁ । ଆଗାମୀ ଦିନରେ ଏପରି କାହିଁକି ନ ହେବ ବୋଲି କେହି କହିପାରିବେ ନାହିଁ । ସୂଚନାଯୋଗ୍ୟ ଯେ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଶ୍ରୀ ଲିଙ୍ଗରାଜ ମନ୍ଦିରକୁ ଭୁବନେଶ୍ୱର ଓମ୍‌ଫେଡ୍‌ରୁ ସିଧାସଳଖ ଘିଅ ପ୍ରେରଣ କରାଯାଉଛି ବୋଲି ବଳଦେବଜୀଉ ମନ୍ଦିର ସେବାୟତ ନୃସିଂହ ପତ୍ରୀ କହିଛନ୍ତି । ଠିକ୍ ଏହିପରି ଶ୍ରୀବଳଦେବଜୀଉ ମନ୍ଦିରକୁ ସିଧାସଳଖ ଭୁବନେଶ୍ୱର ଓମ୍‌ଫେଡ୍‌ରୁ ଘିଅ ଅଣାଯିବା ଉଚିତ୍ ବୋଲି କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading