
ପଟ୍ଟାମୁଣ୍ଡାଇ ୧୦/୧୦-ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଶାରଦୀୟ ଦୂର୍ଗା ପୂଜା ପାଇଁ ସମଗ୍ର ଅଂଚଳ ଉତ୍ସବ ମୁଖର ହୋଇପଡିଛି । ପ୍ରାୟ ୬୦/୭୦ବର୍ଷର ପୁରୁଣା ଏହି ଶାରଦୀୟ ଉତ୍ସବର ଲମ୍ବା ଇତିହାସ ରହିଛି ଓ ସାମ୍ପ୍ରଦାୟିକ ସଂପ୍ରୀତିର ସହର ପଟ୍ଟାମୁଣ୍ଡାଇ ଅଂଚଳରେ ଆୟୋଜିତ ଶାରଦୀୟ ଦୁର୍ଗା ପୂଜା ଉତ୍ସବରେ ଉଭୟ ହିନ୍ଦୁ ଓ ମୁସଲମାନମାନେ ଭାଗ ନେବାର ବିରଳ ପରମ୍ପରା ରହିଛି । ଚଳିତବର୍ଷ ଶାରଦୀୟ ଦୁର୍ଗା ପୂଜା ଉତ୍ସବକୁ ଯାକଯମକରେ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିପୂର୍ଣ୍ଣ ଭାବେ ପାଳନ ପାଇଁ ପଟ୍ଟାମୁଣ୍ଡାଇ ବଣିକ ସଂଘ, ବିଭିନ୍ନ ପୂଜା କମିଟି ଓ ପ୍ରଶାସନ ପୁରା ଦମରେ ଲାଗିପଡିଛି । ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ସାଜସଜ୍ଜା ଆକର୍ଷଣୀୟ ହୋଇଛି ।

ପଟ୍ଟାମୁଣ୍ଡାଇ ଦୂର୍ଗା ପୂଜାର ସାରା ଓଡିଶାରେ ସ୍ୱତନ୍ତ୍ର ସୁନାମ ରହିଛି । କେନ୍ଦ୍ରାପଡ଼ା ଜିଲାରେ ପଟ୍ଟାମୁଣ୍ଡାଇ ଦୂର୍ଗା ପୂଜାର ନିଆରା ଆକର୍ଷଣ ସମସ୍ତଙ୍କୁ ପଟ୍ଟାମୁଣ୍ଡାଇ ମୁଁହା କରିଛି । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ପ୍ରତ୍ୟେକ ଘରେ ଘରେ ଉତ୍ସବ ଲାଗି ରହିବା ସହିତ ବନ୍ଧୁ ପରିଜନକୁ ନେଇ ଘର ପୁରି ଉଠିଛି । ଜିଲାର ଅନ୍ୟ ଅଂଚଳରେ ଦୁର୍ଗା ପୂଜା ହେଉଥିଲେ ମଧ୍ୟ ପଟ୍ଟାମୁଣ୍ଡାଇ ଉପରେ ସବୁରି ନଜର । ଚଳିତବର୍ଷ ପଟ୍ଟାମୁଣ୍ଡାଇ ସହରରେ ବଙ୍ଗାଳୀ ଦୁର୍ଗା, କଚେରୀ ଦୁର୍ଗା, ପୋଖରୀଆପଡା ଦୁର୍ଗା, ମା ଶାରଳା,ମହାବୀର, ଲକ୍ଷ୍ମୀନାରାୟଣ, ଗୃହଲକ୍ଷ୍ମୀ, ରାମଅଭିଷେକ, ନିତାଇ ଗଗୌର, ହରଗଗୌରୀ, ଲକ୍ଷ୍ମୀବରାହ, ମା’ ଗାୟତ୍ରୀ, ମା’ ସନ୍ତୋଷୀ,ଦଶ ଅବତାର, ମା’ ଅନ୍ନପୂର୍ଣ୍ଣା, ହରିହର ଭେଟ,ନୀଳମାଧବ, ସୂର୍ଯ୍ୟଦେବତା, ନୃସିଂହନାଥ, କୃଷ୍ଣ ବଳରାମ, ପଂଚମୁଖୀ ହନୁମାନ, ବାଳ ହନୁମାନ, ହରପାର୍ବତୀ, ବନଦୂର୍ଗା ରାଧାକୃଷ୍ଣ, ଗଙ୍ଗାମାତା ଆଦି ୨୬ଟି ମେଢ଼ ପୂଜା ଉତ୍ସବର ଶୋଭା ମଣ୍ଡନ କରିଛନ୍ତି । ଗୁରୁବାର ମଣ୍ଡପରେ ସପ୍ତମୀ ପୂଜା ଥିବାରୁ ବିଭିନ୍ନ ଦୁର୍ଗା ମୃର୍ତି ତୋରଣ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।

ପଟ୍ଟାମୁଣ୍ଡାଇ ସହରର ଦୁର୍ଗା ପୂଜା ଉତ୍ସବକୁ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିପୂର୍ଣ୍ଣ ଭାବେ ପାଳନ ପାଇଁ ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡା, ଆଦର୍ଶ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ସଶସ୍ତ୍ର ପୋଲିସ ବାହିନୀ ପଇଁତରା ମାରିବା ସହିତ ଆଇନ ଶୃଙ୍ଖଳା ଉପରେ କଡା ନଜର ରଖିଛି । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ଅଳପୁଆ, ତରଡ଼ିପାଳ, ଅମୃତମଣୋହି,ଚୌଦକୁଲାଟ ନୀଳକଣ୍ଠପୁର, ମାଳିପୁର, ବଡପଡା, ମଦନପୁର ଆଦି ବିଭିନ୍ନ ସ୍ଥାନରେ ଶାରଦୀୟ ଦୂର୍ଗା ପୂଜାର ମାହୋଲ ସମଗ୍ର ଅଂଚଳକୁ ଉତ୍ସବ ମୁଖର କରିଦେଇଛି । ଦୁର୍ଗା ପୂଜା ଅବସରରେ ବିଭିନ୍ନ ମେଢ଼ ମଧ୍ୟରେ ସାଜସଜ୍ଜାକୁ ନେଇ ପ୍ରତିଯୋଗିତା ଚାଲିଥିବାବେଳେ ବିଭିନ୍ନ ରାଜନୈତିକ ଦଳ ଓ ନେତାଙ୍କ ମଧ୍ୟରେ ଶୁଭେଚ୍ଛା ବ୍ୟାନରକୁ ନେଇ ରୀତିମତ ପ୍ରତିଯୋଗିତା ଚାଲିଛି । ପଟ୍ଟାମୁଣ୍ଡାଇ ସହର ଓ ଗ୍ରାମାଂଚଳରେ ବିଭିନ୍ନ ଦଳ ଓ ନେତାଙ୍କ ବ୍ୟାନର ଛାଇ ହୋଇଯାଇଛି ।

ଶାରଦୀୟ ଦୁର୍ଗା ପୂଜା ଅବସରରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ କିଶୋର ତରାଇ, ଅଂଶୁମାନ ମହାନ୍ତି,ଡ଼ ଅଲେଖ କୁମାର ଜେନା,ବିଜେପି ନେତା ଲଳିତ ବେହେରା, ଜିିଲାପରିଷଦ ରଞନ ବିଶ୍ୱାଳ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ପୌର ଅଧ୍ୟକ୍ଷ ହେମନ୍ତ ସାହୁ ପଟ୍ଟାମୁଣ୍ଡାଇବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
















