କେନ୍ଦ୍ରାପଡା, ୧୮ା୧୦: ପବିତ୍ର କୁମାର ପୂର୍ଣ୍ଣିମା ଉପଲକ୍ଷେ ବାରୁଅସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିରସବୁଜ ଅକ୍ଷୟ ମହାନ୍ତି କକ୍ଷରେ କୁମାର ଉତ୍ସବ-୨୦୨୪ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନ ତଥା ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାକୁ ଉଦ୍ଘାଟିତ କରିବା ସହିତ କୁମାର ପୂର୍ଣ୍ଣିମାରେ କୁମାର ଉତ୍ସବ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏଥିରେ କବି ଭାବଗ୍ରାହୀଙ୍କ ଦ୍ୱାରା ସଂସ୍ଥାପିତ ବାଣୀ ବିନୋଦ ସାହିତ୍ୟ ସେବା ନିକେତନର ସଭାପତି ନିରଞ୍ଜନ ପରିଡା ମୁଖ୍ୟବକ୍ତା, ସତୀର୍ଥ ସଭାପତି ଅମର ପ୍ରସାଦ ରାଉତ, କବି ଡା. ରତ୍ନାକର ମଲିକ, ସେୟାରର ସଂପାଦକ ସମାଜସେବୀ କିଶୋର ସ୍ୱାଇଁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କୁମାର କାର୍ତ୍ତିକେୟଙ୍କ ଜନ୍ମ ରହସ୍ୟ ସମେତ ଚାନ୍ଦ ପୂଜା ଓ ବନ୍ଦାପନା ଏବଂ ଗଜଲକ୍ଷ୍ମୀ ପୂଜା ସମ୍ପର୍କରେ ଆଲୋକପାତ କରିଥିଲେ । ଗାୟକ ତଥା ଗୀତିକାର ବିମଳ ପରିଡା ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ସହିତ କୁମାର ଉତ୍ସବ ପାଳନର ଉଦ୍ଦେଶ୍ୟ ସଂପର୍କିତ ଆଲୋଚନା ପ୍ରସଙ୍ଗରେ କେନ୍ଦ୍ରାପଡା ହାଇସ୍କୁଲ୍ରେ ୧୯୭୦ ଦଶକରୁ ଆରମ୍ଭ କରି ୧୯୯୦ ଦଶକ ଶେଷ ପର୍ଯ୍ୟନ୍ତ ଚିରସବୁଜ ଅକ୍ଷୟ ମହାନ୍ତିଙ୍କୁ ନେଇ ପାଳିତ ହୋଇ ଆସୁଥିବା କୁମାର ଉତ୍ସବର ସ୍ମୃତିଚାରଣ କରିଥିଲେ ଏବଂ ସେହି ସ୍ମୃତିକୁ ଉଜ୍ଜିବୀତ ରଖିବାକୁ ଭାବଗ୍ରାହୀର ଏହି ପ୍ରୟାସ ସଂପର୍କରେ ସୂଚନା ଦେଇଥିଲେ । ପ୍ରଥମେ ଅତିଥିମାନେ ଅକ୍ଷୟ ମହାନ୍ତି, ଭିକାରୀ ବଳ, କବି ଭାବଗ୍ରାହୀ ପରିଡା ଏବଂ ଧର୍ମପ୍ରାଣା ସରୋଜିନୀ ପରିଡାଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରିଥିଲେ । ବିମଳ ପରିଡା, ନିରୁପାମା ଜେନା, ରଂଜନ ବରାଳ, ସୁରେନ୍ଦ୍ର ରାଉତ୍ ଅକ୍ଷୟଙ୍କ କାଳଜୟୀ ସଂଗୀତ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ରଶ୍ମୀତା ସୂତାର, ସ୍ମୃତିରେଖା ବିଶ୍ୱାଳ, କୁସୁମ ପଣ୍ଡା, ନିବେଦିତା, ପ୍ରତୀକ୍ଷା, ଅଙ୍କିତା, ଅର୍ପିତା, ଅର୍ଚ୍ଚିତା, ଅର୍ଚ୍ଚନା, ରାଜଲକ୍ଷ୍ମୀ, ଅଭିଲିପ୍ସା ପ୍ରମୁଖ ନୃତ୍ୟ ଶିଳ୍ପୀମାନେ କୁଆଁର ପୁନେଇଁ ଏବଂ ଯା ରେ ଭାସି ଭାସିଯା ଗୀତରେ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ବେହେରା ଶିଳ୍ପୀମାନଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟକାର ଭୀମସେନ ପ୍ରଧାନ, କେଦାର ସ୍ୱାଇଁ, ନୃତ୍ୟଗୁରୁ ପ୍ରକାନ୍ତ ମହାରଣା, କବି ରାମନାରାୟଣ ମହାନ୍ତି, ମାନସ ପରିଡା, ହେନାଞ୍ଜଳି ଜେନା, ରଂଜନ ଜେନା, ଶୈଳେନ୍ଦ୍ର ନାୟକ, ପ୍ରଭାତ ବେହେରା, ବିକ୍ରମ ପରିଡା, ବିଜୟ ଦାସ, ମାଗୁଣି ସାହୁ, ଚୈତନ୍ୟ ରାଉତ, ଗଣେଶ୍ୱର ଦାସ, ଇଂ ବିଶ୍ୱଜିତ୍ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ସଂଚାଳନରେ ସହଯୋଗ କରିଥିଲେ । ଶେଷରେ ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।