କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜା ଓ ମେଲଣ ଉତ୍ସବ ପାଇଁ ଜରୁରୀ ବୈଠକ



କେନ୍ଦ୍ରାପଡ଼ା,୨୨ା୧୦: କେନ୍ଦ୍ରାପଡା ସହରରେ ଚଳିତ ବର୍ଷ ପାଇଁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଓ ଭଷାଣୀ ଉତ୍ସବ ଶାନ୍ତି ଓ ଶୃଙ୍ଖଳାର ସହିତ ପାଳନ କରାଯିବା ନିମନ୍ତେ ସମସ୍ତ ମେଢ କମିଟିର ସଭାପତି, ସମ୍ପାଦକ ଓ ସରକାରୀ ପଦାଧିକାରୀମାନଙ୍କୁ ନେଇ ଏକ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ପୈାରସଂସ୍ଥା ଟାଉନହଲ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଜରୁରୀ ବୈଠକର ଉଦେଶ୍ୟ ଜ୍ଞାପନ କରିଥିଲେ। ସମ୍ଭାବ୍ୟ ବାତ୍ୟା “ଦାନା” ପରିପ୍ରେକ୍ଷୀରେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାର ମେଲଣ ଶୋଭାଯାତ୍ରା ଓ ଭଷାଣୀ ଉତ୍ସବକୁ ସୁଚାରୁରୂପେ ପରିଚାଳନା କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମସ୍ତ ମେଢ କମିଟିର କର୍ମକର୍ତ୍ତା ଓ ସମନ୍ୱୟ କମିଟିର କେତେକ ସଦସ୍ୟଙ୍କ ମତାମତ ଗ୍ରହଣ କରାଯିବା ପରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଓ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ପ୍ରଶାସନିକ ତଥା ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ଆଜି ରାତି ୧୦ଘଟିକା ସୁଦ୍ଧା ସମସ୍ତ ପୂଜା ମଣ୍ଡପର ସୁସଜ୍ଜିତ ତୋରଣ ଓ ଆଲୋକମାଳାକୁ ଅପସାରଣ କରିବା ନିମନ୍ତେ ସମସ୍ତ ପୂଜା ମଣ୍ଡପର କର୍ମକର୍ତ୍ତାମାନଙ୍କୁ ଅନୁରୋଧ କରାଯିବା ସହିତ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିସହିତ ପୂର୍ବରୁ ଧାର୍ଯ୍ୟ ହୋଇଥିବା ମା’ଲକ୍ଷ୍ମୀଙ୍କ ବିସର୍ଜନ, ମେଲଣ ଓ ଭଷାଣୀ ଦିବସକୁ ପରିବର୍ତ୍ତନ କରାଯାଇ ୨୩ତାରିଖ ବୁଧବାର ସନ୍ଧ୍ୟା ୫ଘଟିକା ସୁଦ୍ଧା ମେଲଣ ଏବଂ ଭଷାଣୀ ପର୍ବ ସମାପନ କରିବା ନିମନ୍ତେ ସର୍ବସମ୍ମତି କ୍ରମେ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଶେଷରେ କେନ୍ଦ୍ରାପଡା ତହସିଲଦାର ତାପସରଞ୍ଜନ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ କେନ୍ଦ୍ରାପଡା/ପଟ୍ଟାମୁଣ୍ଡାଇ ଓ ବିଭିନ୍ନ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ, ସମସ୍ତ ମେଢର କର୍ମକର୍ତ୍ତାଙ୍କ ସମେତ ସମନ୍ୱୟ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading