ଜିିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନରେ ଶପଥ ପାଠ



କେନ୍ଦ୍ରାପଡ଼ା,୨୮ା୧୦: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ଅକ୍ଟୋବର ୨୮ତାରିଖ ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଓ କର୍ମଚାରୀଙ୍କୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଲୋକସେବା ଭବନର କନଭେନ୍‌ସନ୍ ସଭାଗୃହରୁ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ । ସୋମବାର ପୂର୍ବାହ୍ନ ୧୧ଘଟିକା ସମୟରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକଶିତ ଗାଁ ଓ ବିକଶିତ ଓଡ଼ିଶା ଗଠନ ଉପରେ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ ଓ ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି । ରାଜ୍ୟ ସରକାର ଦୁର୍ନୀତି ମୂଳୋତ୍ପାଟନ ପାଇଁ ତୃଣମୂଳସ୍ତରରୁ ପ୍ରାୟସ ଜାରି ରଖିଛନ୍ତି । କ୍ୟାନସର ବା ମଧୁମେୟ ରୋଗ ଯେପରି ଶରୀରକୁ ଦୁର୍ବଳ କରିବା ସହ ମୃତ୍ୟୁ ମୁଖକୁ ଟାଣି ନିଏ ସେହିପରି ଦୁର୍ନୀତି ସମାଜକୁ ଦୁର୍ବଳ ଓ ଧ୍ୱଂସ କରିଦିଏ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଯୋଜନାର ଅର୍ଥରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଟ୍ରାନ୍ସଫର ହେଉଥିବାରୁ ଗୋଟିଏ ଟଙ୍କା ହେଲେବି ବାଟମାରଣା ହୋଇପାରୁ ନାହିଁ । ୨୦୨୯ ମସିହା ମଧ୍ୟରେ ରାଜ୍ୟକୁ ଭାରତ ବର୍ଷର ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ସ୍ଥାନିତ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାସ୍ତରୀୟ ଶପଥ ପାଠ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପଜିଲ୍ଲାପାଳ ଅଶୋକ କୁମାର ଦାସ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାୟ, ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡା, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁ, ଜିଲ୍ଲା କାର୍ଯ୍ୟଳୟର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇ ସେମାନଙ୍କ କର୍ତ୍ତବ୍ୟ ଓ କାର୍ଯ୍ୟଧାରାରେ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖିବାକୁ ଅବିରତ ଉଦ୍ୟମ କରିବେ ଏବଂ ମୂଲ୍ୟଭତ୍ତିକ ସେବା ଯୋଗାଇ ଦେବେ ବୋଲି ଶପଥ ନେଇଥିଲେ । କର୍ମଚାରୀମାନେ ଶପଥ ପାଠରେ ଆଇନ ମୁତାବକ ଜନସାଧାରଣଙ୍କ ହିତ ପାଇଁ ସୁସ୍ଥ, ନିରପେକ୍ଷ, ସଚ୍ଚୋଟତା ଭାବେ କାର୍ଯ୍ୟ କରିବେ ଏବଂ ଲାଞ୍ଚ ନେବେ ନାହିଁ କି ଲାଞ୍ଚ ଦେବେ ନାହିଁ ବୋଲି ଶପଥ ପାଠ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading