ମିଳିତ ଟ୍ରକ ମାଲିକ ସଂଘ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ , ଦାବି ପୂରଣ ନ ହେଲେ ରାସ୍ତାରୋକ ଚେତାବନୀ



କେନ୍ଦ୍ରାପଡ଼ା,୨୦ା୧୧: କେନ୍ଦ୍ରାପଡା ଜିଲ୍ଲା ମିଳିତ ଟ୍ରକ ମାଲିକ ସଂଘ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ ଗୌରୀଶଙ୍କର ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମିଳିତ ଟ୍ରକ ମାଲିକ ସଂଘ କ୍ରିୟାନୁଷ୍ଠାନ କମିଟିର ଗତ ୩ ତାରିଖରେ ଅନୁଷ୍ଠିତ ହୋଇଥିବା ବୈଠକରେ ପାରିତ ପ୍ରସ୍ତାବଗୁଡିକ ଅନୁଯାୟୀ କ୍ରିୟାନୁଷ୍ଠାନ କମିଟି ତରଫରୁ ରାଜ୍ୟ ସରକାରଙ୍କୁ ଲଘୁ ଖଣିଜ ଦ୍ରବ୍ୟ ପରିବହନ ସୁପରିଚାଳନା ପାଇଁ ୧୧ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ପୂର୍ବ ନିଷ୍ପତ୍ତି ମୁତାବକ ନଭେମ୍ବର ୯ ତାରିଖ ସୁଦ୍ଧା ରାଜ୍ୟ ସରକାର ଆମ୍ଭର ନାଯ୍ୟ ଦାବୀଗୁଡିକୁ ପୂରଣ କରିବାକୁ ଅନୁରୋଧ କରାଯାଇଥିଲା । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଦାବୀଗୁଡିକ ସୁବିଚାର ପାଇଁ ଧାର୍ଯ୍ୟ ଦିନାଙ୍କ ମଧ୍ୟରେ ସରକାର କୌଣସି ପ୍ରକାର ପ୍ରୟାସ କଲେ ନାହିଁ । ଫଳରେ କମିଟିର ନିଷ୍ପତ୍ତି ମୁତାବକ ଗତ ୧୦ ତାରିଖଠାରୁ କେନ୍ଦ୍ରାପଡା ଓ ଭୁବନେଶ୍ୱର ସମେତ ରାଜ୍ୟର ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ଜିଲ୍ଲାରେ ସମସ୍ତ ପ୍ରକାର ଲଘୁ ଖଣିଜ ଦ୍ରବ୍ୟ ପରିବହନ ବନ୍ଦ ରହିଛି । ଏହି ବନ୍ଦରେ ପାଖାପାଖି ୩୦୦୦୦ରୁ ଉର୍ଦ୍ଧ୍ୱ ସମସ୍ତ ପ୍ରକାର ପରିବହନକାରୀ ଯାନ ସାମିଲ ଅଛନ୍ତି । ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଖଣି ସଚିବ, ପରିବହନ ସଚିବ, ପୋଲିସ କମିଶନର ଓ ୧୫ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ମାଇନିଂ ଅଫିସର ଇତ୍ୟାଦିଙ୍କୁ ଲିଖିତ ଭାବେ ପ୍ରସ୍ତାବିତ ଦାବୀଗୁଡିକର ସୁବିଚାର କରିବା ପାଇଁ ଆବେଦନ କରାଯାଇଛି । ଟ୍ରକ ଧର୍ମଘଟ ୧୧ତମ ଦିନରେ ପଦାର୍ପଣ କରିବା ସୁଦ୍ଧା ଏପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ଏହାର ପ୍ରଭାବରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ବ୍ୟାହତ ହେବା ସହ ହଜାର ହଜାର ନିର୍ମାଣ ଶ୍ରମିକ, ଦିନ ମଜୁରିଆ କାମ ନପାଇ ବେକାର ହେବାର ଦେଖାଯାଇଛି । ଏମିତି ବି ଗାଡି ନଚାଲିବାରୁ ବନ୍ଦ ଥିବା ପ୍ରତ୍ୟେକ ଗାଡିର ଡ୍ରାଇଭର, ହେଲପର ଇତ୍ୟାଦି ବହୁଳ ଭାବରେ ପ୍ରଭାବିତ ହୋଇଛନ୍ତି । ସରକାର ସମସ୍ୟାଗୁଡିକର ସମାଧାନ ପାଇଁ ତତ୍ପରତା ନଦେଖାଉଥିବାରୁ ଆଜିକାଲି ବୈଠକରେ କ୍ରିୟାନୁଷ୍ଠାନ କମିଟି ତରଫରୁ ଉଦ୍‌ବେଗ ପ୍ରକାଶ କରାଯାଇଛି । ମିଳିତ ଟ୍ରକ ମାଲିକ ସଂଘ କ୍ରିୟାନୁଷ୍ଠାନ କମିଟି ସହଯୋଗ ଦେଇଥିବା ପ୍ରାୟ ୨୫ରୁ ଉର୍ଦ୍ଧ୍ୱ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ବୈଠକରେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ଟ୍ରକ ମାଲିକମାନଙ୍କ ପ୍ରତି ବୈମାତୃକ ମନୋଭାବକୁ ସମସ୍ତେ ମିଳିତ ଭାବେ ନିନ୍ଦା କରିବା ସହିତ ଯେ ପର୍ଯ୍ୟନ୍ତ ଲଘୁ ଖଣିଜ ପଦାର୍ଥ ପରିବହନ ସୁପରିଚାଳନା ପାଇଁ ମାଲିକମାନଙ୍କ ଦ୍ୱାରା ଉପସ୍ଥାପିତ ଦାବୀଗୁଡିକର ସୁବିଚାର କରାନଯାଇଛି, ସେତେଦିନ ପର୍ଯ୍ୟନ୍ତ ଏହି ଟ୍ରକ ଧର୍ମଘଟ ଚାଲୁ ରହିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା । ଆଗକୁ ଧର୍ମଘଟକୁ ଆହୁରି ଦୃଢ ଏବଂ ଶାଣିତ କରାଯିବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି । ପ୍ରତ୍ୟେହ ନୂଆ ନୂଆ ଏରିଆର ଟ୍ରକ ମାଲିକାମାନେ ଏହି ଧର୍ମଘଟକୁ ସମର୍ଥନ ଦେଇ ସେମାନଙ୍କ ଅଞ୍ଚଳରେ ଲଘୁ ଖଣିଜ ପରିବହନ ବନ୍ଦ ରଖିଛନ୍ତି । ଏଥିପାଇଁ ସରକାରଙ୍କୁ ସଂଘ ତରଫରୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରାଯାଇଛି ଏବଂ ନିମ୍ନଲିଖିତ ସର୍ବନିମ୍ନ ଦାବୀ ପ୍ରତି ଧ୍ୟାନ ଦିଆନଗଲେ ଆମ୍ଭେ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲେଇବା ସହ ଆଇନକୁ ହାତକୁ ନେବୁ । ଏହି ଦାବିଗୁଡିକ ହେଉଛି- ଜିଲ୍ଲା ମଧ୍ୟରେ ଥିବା ଅବୈଧ ଲଘୁ ଖଣିଜ ଦ୍ରବ୍ୟ ସଇରାତର ନାମ, ଲିଜଧାରୀଙ୍କ ନାମ ଓ ଦ୍ରବ୍ୟର ସଠିକ୍ ମୂଲ୍ୟ ଜିଲ୍ଲାପାଳଙ୍କ ୱେବ୍‌ସାଇଟ୍‌ରେ ଦିଆଯାଉ, ପ୍ରତି ଟ୍ରିପ୍‌ରେ ଟ୍ରାନ୍‌ଜିଟ୍ ପାସ୍ ଦେବା ଲିଜଧାରୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଉ, ରାସ୍ତାରେ ଟ୍ରକ ଅଟକାଇ ବିଭିନ୍ନ ବିଭାଗ ଦ୍ୱାରା ହଇରାଣ କରାନଯାଉ, ଗତ ତା୨୫.୧୦.୨୦୨୪ରିଖରେ ଇସ୍ପାତ୍ ଓ ଖଣି ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିର ପୁନର୍ବିଚାର କରାଯାଉ, ଲଘୁ ଖଣିଜ ଦ୍ରବ୍ୟର ମୂଲ୍ୟ ବିକ୍ରି ବ୍ୟବସ୍ଥା ଓ ପରିବହନର ସୁବନ୍ଦୋବସ୍ତ କରାଯାଉ ବୋଲି ଜିଲ୍ଲା ସଂଘର ସଭାପତି ନାରାୟଣ ସ୍ୱାଇଁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ କ୍ଷୀରୋଦ ଦାସ, ସୌଭାଗ୍ୟ ପଣ୍ଡା, ଏସ୍‌କେ ରମତ୍‌, ସୁଶାନ୍ତ ପରିଡା, ସତ୍ୟନାରାୟଣ ପଣ୍ଡା, ପ୍ରମୋଦ ସ୍ୱାଇଁ, ପ୍ରୀତିରଞ୍ଜନ ପ୍ରଧାନ, ଆବାକସ ବେହେରା, ଅମୀୟ ମହାପାତ୍ର, ଅଜୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading