ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଦଳିତ ଜାତିସଂଘର ଦାବୀପତ୍ର

ପଟ୍ଟାମୁଣ୍ଡାଇ ୨୧/୧୧ -ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୋପବନ୍ଧୁ ଏକାଡ଼େମୀର ମହାନିର୍ଦ୍ଦେଶକ ଜି. ମାଥିଭାଥନନ ଭା.ପ୍ର.ସେ ବୁଧବାର କେନ୍ଦ୍ରାପଡ଼ା ଜିଲା ଗ୍ରସ୍ତରେ ଆସି ଗୁରୁବାର ପଟ୍ଟାମୁଣ୍ଡାଇ ବ୍ଲକ ଗସ୍ତ କରି ବିଭିନ୍ନ ଯୋଜନା ବୁଲି ଦେଖିଛନ୍ତି। ସଚିବ ପ୍ରଥମେ ପେଣ୍ଠପାଳ ପଂଚାୟତ କୁଳସାହି ଆଶ୍ରମ ସ୍କୁଲରେ ପରିଦର୍ଶନ କରି ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଛାତ୍ରୀମାନଙ୍କ ସହ ପାଠପଢ଼ା ସମ୍ବନ୍ଧରେ ଆଲୋଚନା କରିବା ସହ ବାଳିକାବାଳକ ରହିବା କକ୍ଷ ବୁଲିଦେଖିଥିଲେ। ପରେ ଖାଦ୍ୟ ପ୍ରସ୍ତୁତ କେନ୍ଦ୍ର ବୁଲିଦେଖିବା ସହ ପିଲାମାନଙ୍କ ଭଲମନ୍ଦ ପଚାରି ବୁଝୀଥିଲେ । ତାଙ୍କ ସହ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ପଟ୍ଟାମୁଣ୍ଡାଇ ବିଡିଓ ଶୁଭ୍ରାଂଶୁ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ଡବ୍ଲୁଓ ସୁଭ୍ରଜିତ ରାଉତ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ପରେ ସଚିବ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରିୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚି ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ବିଭାଗ ବୁଲି ଦେଖିବା ସହ କେତେଜଣ ଡାକ୍ତର ଅଛନ୍ତି ଏବଂ କ’ଣ ସମସ୍ୟା ରହିଛି ସେନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ପ୍ରମୋଦ କୁମାର ପ୍ରହରାଜ, ମେଡିକାଲ ଅଫିସର ଡା.ନିରାକାର ପରିଡାଙ୍କୁ ପଚାରି ବୁଝିବାଥିଲେ। ପରେ ଔଷଧ ବିତରଣ କେନ୍ଦ୍ର ବୁଲି ଦେଖି ସହ ସ୍ୱାସ୍ଥ୍ୟକେନ୍ଦ୍ରର ପରିଷ୍କାର ପରିଚ୍ଛନ୍ନତା ତଦାରଖ କରିଥିଲେ । ପରିଦର୍ଶନ ସମୟରେ ବିଭିନ୍ନ ପ୍ରସଙ୍ଗରେ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ପରିଡାଙ୍କ ସହିତ ଆଲୋଚନା କରିଥିଲେ । ଏହି ପରିଦର୍ଶନ ସମୟରେ ଆମ୍ବେଦକର ଦଳିତ ଜାତି ସଂଘ ପକ୍ଷରୁ ସର୍ବେଶ୍ୱର ସେଠୀ, କଳ୍ପତରୁ ମଲିକ, ଗୋଲକ ମଲିକ, ଉତମ ମଲିକ, ଦିଲ୍ଲୀପ ମଲିକ ଓ ଖଗେଶ୍ୱର ମଲିକ ପ୍ରମୁଖ ବହୁ ସଦସ୍ୟ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସବଡିଭିଜନ ହସ୍ପିଟାଲ ମାନ୍ୟତା ପାଇଥିଲେ ମଧ୍ୟ ଡାକ୍ତର ଅଭାବ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ହସ୍ପିଟାଲରେ ୧୧ଜଣ ଓ ଗ୍ରାମାଂଚଳରେ ୭ଜଣ ଡାକ୍ତର ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ରୋଗୀ ସେବା କ୍ଷେତ୍ରରେ ଥିବା ଅବ୍ୟବସ୍ଥା ଦେଖାଯାଉଛି । ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ଭେଷଜ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞ , ସ୍ତ୍ରୀ ରୋଗ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ, ସର୍ଜରୀ ବିଶେଷଜ୍ଞ ଓ ନିଦାନ ବିଶେଷଜ୍ଞ ଆଦି ପଦବୀ ଖାଲି ପଡିଥିବାରୁ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ସହ ଖାଲି ପଡ଼ିଥିବା ଡାକ୍ତର ନିଯୁକ୍ତ କରିବା ପାଇଁ ଏକ ଦାବୀପତ୍ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥିଭାଥନନଙ୍କୁ ପ୍ରଦାନ କରିଥିଲେ ।











