କେନ୍ଦ୍ରାପଡ଼ା,୨୨ା୧୧: କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଜଣେ ରାଜନେତା ଓ ଅନ୍ୟ ଜଣେ ସମାଜସେବୀଙ୍କ ମଧ୍ୟରେ ଶୁକ୍ରବାର ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ପରିସ୍ଥିତି ଏପରି ହୋଇଥିଲା ଯେ ଉଭୟ ଉଭୟଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷା ପ୍ରୟୋଗ କରିବାକୁ ମଧ୍ୟ ପଛାଇ ନଥିଲେ। ସମାଜସେବୀ ଅଜୟ ରାଉତ ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳରୁ ଟିକେଟ ପାଇବାକୁ ଆଶାୟୀ ଥିଲେ। ଡେରାବିଶ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସରୋଜ ସାହୁ ମଧ୍ୟ ସେହି ଦଳରୁ ଟିକେଟ ଆଶାୟୀ ଥିଲେ। ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସରୋଜଙ୍କର ଦବ୍ଦବା ରହିଛି। ସମାଜସେବୀ ଶ୍ରୀ ରାଉତ ତୃତୀୟ ମହଲା ସହିତ ଯୋଗାଯୋଗ କରି ଟିକେଟ ଫାଇନାଲ କରିଥିବା ସରୋଜଙ୍କୁ କହିଥିଲେ। ନିର୍ବାଚନ ସମୟରେ ସାଂଗଠନିକ କାର୍ଯ୍ୟ ଜରିଆରେ ସରୋଜ ଭୋଟ କରେଇଦବା ପାଇଁ ଅଜୟଙ୍କୁ ପ୍ରତିଶୃତି ଦେଇଥିଲେ। ଏହାବଦଳରେ ଅଜୟ ସରୋଜଙ୍କୁ ୧୨ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ରାଜନୈତିକ ପାଣିପାଗ ବଦଳି ଯାଇଥିଲା। ଅଜୟ ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ। ସରୋଜ ବିଜେପିକୁ ଡେଇଁ ପଡିଥିଲେ। ନିର୍ବାଚନ ଶେଷ ହେବା ପରେ ଅଜୟ ସରୋଜଙ୍କୁ ୧୨ଲକ୍ଷ ଟଙ୍କା ଫେରାଇ ଦେବା ପାଇଁ ବହୁବାର କହିଥିଲେ। କିନ୍ତୁ ସରୋଜ ଉତ୍ତର ରଖିଥିଲେ ଯେ ଟଙ୍କା ସେ ନେଇ ନାହାନ୍ତି ବୋଲି। ଶୁକ୍ରବାର ଡେରାବିଶ ପଞ୍ଚାୟତ ସମିତିର ଅଧିବେଶନ ଥିଲା। ଏଥିରେ ପଞ୍ଚାୟତ ସମିତି ସଭ୍ୟ ଭାବେ ସରୋଜ ଯୋଗଦେଇଥିଲେ। ଖବର ପାଇ ଅଜୟ ଡେରାବିଶ ବ୍ଲକକୁ ଯାଇଥିଲେ। ବୈଠକ ଶେଷ ହେବା ପରେ ବ୍ଲକ ହତାରେ ସରୋଜ ଓ ଅଜୟ ଭେଟା ଭେଟି ହୋଇଯାଇଥିଲେ। ଫଳରେ ଅଜୟ ସରୋଜଙ୍କୁ ସେ ଦେଇଥିବା ୧୨ଲକ୍ଷ ଟଙ୍କା ଫେରାଇ ଦେବାକୁ କହିଥିଲେ। ଏହି ସମୟରେ ସରୋଜ ଅଜୟଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା କେତେକ ଗଣମାଧ୍ୟମ ପ୍ରତିନିଧି ଉଭୟଙ୍କୁ ବୁଝାଶୁଝା କରିଥିଲେ। କିନ୍ତୁ ଉଭୟ ସଦର ଥାନାରେ ଏତଲା ଦେଇଛନ୍ତି। ଉଭୟ ଏତଲାକୁ ଭିତ୍ତିକରି ସଦର ଥାନା ପୋଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ବିମଳ ମଲ୍ଲିକ ସୂଚନା ଦେଇଛନ୍ତି। ଏହି ରୋଚକ ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି ହୋଇଛି।