ଜାତୀୟ କିକବକ୍ସିଂ ପ୍ରତିଯୋଗିତାରେ ମଣ୍ଡପଡା ସ୍କୁଲର ସଫଳତା

ଜାତୀୟ କିକବକ୍ସିଂ ପ୍ରତିଯୋଗିତାରେ ମଣ୍ଡପଡା ସ୍କୁଲର ସଫଳତା


ପଟ୍ଟାମୁଣ୍ଡାଇ ୨୨/୧୧- କେରଳର କୋଝିକୋଡେ ଠାରେ ଗତ ନଭେମ୍ବର ୧୩ ତାରିଖରୁ ୧୭ ତାରିଖ ମଧ୍ୟରେ ଅନୁଷ୍ଠିତ ଜାତୀୟ କିକବକ୍ସିଂ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ମଣ୍ଡପଡା ସ୍କୁଲର ଛାତ୍ରୀଛାତ୍ର ଅଂଶ ଗ୍ରହଣ କରି ଅନନ୍ୟ ସଫଳତା ହାସଲ କରିବା ସହିତ ଜାତୀୟ ସ୍ତରରେ ବିରଳ ସଫଳତା ପାଇ ଅଂଚଳ ମାଟିକୁ ଗୌରବାନ୍ୱିତ କରିଛନ୍ତିି । କେରଳରେ ଅନୁଷ୍ଠିତ ଜାତୀୟ ସ୍ତରର କିକବକ୍ସିଂ ପ୍ରତିଯୋଗିତାରେ ଓଡିଶା ରାଜ୍ୟର ୬୩ଜଣ ଖେଳାଳି ପ୍ରତିନିଧିତ୍ୱ କରିଥିଲେ । ଏହି ଖେଳାଳି ମାନଙ୍କ ମଧ୍ୟରୁ ୨୧ଜଣ ଅନନ୍ୟ ସଫଳତା ପାଇ ୨୧ଟି ସ୍ୱର୍ଣ୍ଣ ପଦକ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ଓଡିଶା ପୁରସ୍କୃତ ହୋଇଛି । ଓଡିଶା ଦଳରେ ପ୍ରତିନିଧିତ୍ୱ କରିଥିବା ମଣ୍ଡପଡା ସ୍କୁଲ ଛାତ୍ରୀଛାତ୍ର ମାନେ ସଫଳତା ହାସଲ କରି ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲା ଓ ପଟ୍ଟାମୁଣ୍ଡାଇ ମାଟିକୁ ଧନ୍ୟ କରିଛନ୍ତି । ସଫଳତା ହାସଲ କରିଥିବା ମଣ୍ଡପଡା ସ୍କୁଲ ଛାତ୍ରୀଛାତ୍ରମାନେ ହେଲେ ବିଶ୍ୱଜିତ ପ୍ରଧାନ ୧ ସ୍ୱର୍ଣ୍ଣ, ପ୍ରାର୍ଥନା ପ୍ରଧାନ ୧ ସ୍ୱର୍ଣ୍ଣ ୧ ବ୍ରୋଞ୍ଜ, ସଂକେତ ଭୂୟାଁ ୧ ସ୍ୱର୍ଣ୍ଣ ୧ ବ୍ରୋଞ୍ଜ ଓ ଆଦର୍ଶ ପ୍ରଧାନ ୧ ସ୍ୱର୍ଣ୍ଣ ୧ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ଏହି ଅନନ୍ୟ ସଫଳତାର ସୂତ୍ରଧର ପ୍ରଶିକ୍ଷକ ସୁଶୀଲ କୁମାର ସାମଲ କେନ୍ଦ୍ରାପଡ଼ା ଜିଲ୍ଲାର ନେତୃତ୍ୱ ନେବା ସହିତ ଓଡିଶା ଦଳର ମ୍ୟାନେଜର ଦାୟିତ୍ୱ ନିର୍ବାହ କରିଥିଲେ। ମାର୍ଶାଲ ଆର୍ଟ ଓବକ୍ସିଂକୁ ମିଶାଇ କିକ ବକ୍ସିଂ କରାଯାଇଛି । ଯେଉଁଥିରେ ଶରୀରର ପ୍ରତ୍ୟକ ଅଙ୍ଗ ପ୍ରତ୍ୟଙ୍ଗକୁ ବ୍ୟବହାର କରାଯାଇ ଆତ୍ମ ସୁରକ୍ଷା କରାଯାଇ ଥାଏ । ୧୯୯୩ ମସିହାରୁ ପ୍ରତି ବର୍ଷ ଭାରତର ବିଭିନ୍ନ ରାଜ୍ୟରେ ଏହି କିକବକ୍ସିଂ ପ୍ରତଯୋଗୀତା ଅନୁଷ୍ଠିତ ହୋଇଆସୁଛି। ମଣ୍ଡପଡା ସ୍କୁଲର ଛାତ୍ରୀଛାତ୍ର ମଣ୍ଡପଡା ଗାଁକୁ ଗୌରବାନ୍ୱିତ କରିଥିବାରୁ ଗ୍ରାମବାସୀମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏଥି ସହିତ ଏହି ବିରଳ ସଫଳତା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ମହଲରୁ ପ୍ରଶିକ୍ଷକ ଓ ମଣ୍ଡପଡା ସ୍କୁଲ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।