ପାବନ କ୍ଷେତ୍ରରେ ଦେବ ଦୀପାବଳି ଉତ୍ସବ



କେନ୍ଦ୍ରାପଡା,୩ା୧୨: ସନ୍ଧ୍ୟାରେ କୋରୋସ୍ଥିତ ପାବନ କ୍ଷେତ୍ରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବ ଦୀପାବଳି ଉତ୍ସବ ଯଥାବିଧି ପାଳିତ ହୋଇଯାଇଛି । ମନ୍ଦିର ପରିଚାଳନା ସମିତିର ସଂପାଦକ ସୀତାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭାବଗ୍ରାହୀ କଳା ନିକେତନ ତଥା ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡା ଯୋଗଦେଇ ଦେବ ଦୀପାବଳିର ତାତ୍ପର୍ଯ୍ୟ ସଂପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ । ଶ୍ରୀ ମନ୍ଦିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦେବ ଦୀପାବଳି ଅବସରରେ ତାଙ୍କର ପିତୃ ପୁରୁଷ ଯଥାକ୍ରମେ ସତ୍ୟ ଯୁଗର ମାର୍କଣ୍ଡେୟ ଋଷି, ତ୍ରେତୟାର ପିତା ଦଶରଥ ମାତା କୌଶଲ୍ୟା, ଦ୍ୱାପରର ବସୁଦେବ, ଦେବକୀ ଏବଂ ନନ୍ଦ ଓ ଯଶୋଦାଙ୍କୁ ପିଣ୍ଡ ଦାନ କରନ୍ତି । ସେଥିପାଇଁ ଶ୍ରୀମନ୍ଦିର ସମେତ ବଡ ଦାଣ୍ଡରେ ବହୁ ସଂଖ୍ୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଏ । ଏହି ଅବସରରେ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ସୌଜନ୍ୟରୁ ବାରୋସ୍ଥିତ ମହ୍ଲାର ଅକେଷ୍ଟ୍ରାର କଳାକାରମାନେ ଭଜନ ଓ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରିଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀ ବିମଳ ପ୍ରସାଦ ପରିଡା, ନିରୁପମା ଜେନା, ରଂଜନ ବରାଳ, ଅଜୟ ଜେନା, ଅମର ବିଶ୍ୱାଳ ଭଜନ ଗାଇଥିଲେ । ସ୍ମୃତିରେଖା ବିଶ୍ୱାଳ ଓଡିଶୀ ଏବଂ ଭଜନରେ ନୃତ୍ୟ ପରିବେଷଣ କରିଥିଲେ । ସ୍ଥାନୀୟ ଶ୍ରଦ୍ଧାଳୁ ଭକ୍ତମାନେ କାର୍ଯ୍ୟକ୍ରମ ଉପଭୋଗ କରିବା ସହିତ ଭଜନ ଏବଂ ନୃତ୍ୟ ମାଧ୍ୟମରେ ଭାବ ବିହ୍ୱଳ ହୋଇଥିଲେ । ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା କଳାକାରମାନଙ୍କୁ ସ୍ୱାଗତ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ମନ୍ଦିର ପ୍ରଶାସନ ତରଫରୁ ରାଜକିଶୋର ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading