ଡେରାବିଶ ମଣ୍ଡଳସ୍ତରୀୟ “ବର୍ଣ୍ଣାଳୀ” ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ


କେନ୍ଦ୍ରାପଡ଼ା,୪ା୧୨: ସୁଦର୍ଶନ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ଲଷ୍ଟର ଅଧୀନସ୍ଥ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ୩ ଦିନଧରି ଚାଲିଥିବା ଡେରାବିଶ ବ୍ଲକସ୍ତରୀୟ “ବର୍ଣ୍ଣାଳୀ” ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରକୁ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା ଉଦ୍‌ଘାଟନ କରିଥିଲେ । ଏହି ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ଜେନା, ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଦେବଦତ୍ତ ଶତପଥୀ, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ସଚ୍ଚିକାନ୍ତ ମିଶ୍ର, ନୋଡାଲ ସାଧନ କେନ୍ଦ୍ର ସଂଯୋଜକ ରମେଶ ଚନ୍ଦ୍ର ପତି, ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ସାଧନ କେନ୍ଦ୍ରର ସଂଯୋଜିକା ମାମୁନି ସିଂ, ସମ୍ପୃକ୍ତ ସାଧନ କେନ୍ଦ୍ରର କେନ୍ଦ୍ର ସଂଯୋଜିକା କନକଲତା ପୃଷ୍ଟି ଉପସ୍ଥିତ ଥିଲେ । ଏଥିରେ ଡେରାବିଶ ମଣ୍ଡଳର ୯ଟି ସାଧନ କେନ୍ଦ୍ରର ୩୩ଜଣ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷାର୍ଥୀ ଭାବେ ଯୋଗଦେଇ ପ୍ରଶିକ୍ଷଣ କାର୍ଯ୍ୟକୁ ସଫଳ କରିଥିଲେ । ଏହି ଶିବିରରେ ପ୍ରଶିକ୍ଷକ ଭାବେ ରାଜ୍ୟ ସାଧନ କର୍ମୀ ରାଧାମୋହନଜୀଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅର୍ଚ୍ଚନା ରଥ, ଆର୍ତ୍ତେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମନୋଜ ମହାଭୋଇ, ଫୋଗଳ ଜହ୍ନିମୂଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସସ୍ମିତା ସାମଲ, ଡାଳିଜୀ ବାଗ୍‌ଦେବୀ ବିଦ୍ୟାପୀଠର ମଧୁସ୍ମିତା ମଲ୍ଲ ପ୍ରଶିକ୍ଷକ ଭାବେ ପ୍ରଶିକ୍ଷଣ ଦାୟିତ୍ୱ ତୁଲାଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଲିଙ୍ଗ ସମ୍ବେଦନଶୀଳତା ଓ ଏହାକୁ ପାଠ୍ୟକ୍ରମରେ ସଂଯୋଗୀକରଣ ସମ୍ପର୍କରେ ତାଲିମ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରର ଉଦ୍‌ଯାପନୀ ଉତ୍ସବରେ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା ଏବଂ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଖଗେଶ୍ୱର ନାୟକ ଯୋଗଦେଇ “ବର୍ଣ୍ଣାଳୀ” କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିବା ସହ ଶିବିରର ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ଏହି “ବର୍ଣ୍ଣାଳୀ” ତାଲିମକୁ କିପରି ବିଦ୍ୟାଳୟ ପାଠ୍ୟକ୍ରମରେ ପିଲାମାନଙ୍କ ଜୀବନଚର୍ଯ୍ୟାରେ ପ୍ରତିଫଳିତ କରାଯାଇପାରିବ ସେ ବିଷୟରେ ସୂଚନା ଦେଇଥିଲେ । ୩ ଦିନ ଧରି ଚାଲିଥିବା ଉକ୍ତ ପ୍ରଶିକ୍ଷଣ ଶିବିରଟି ଉଭୟ ପ୍ରଶିକ୍ଷାର୍ଥୀ ଓ ପ୍ରଶିକ୍ଷକମାନଙ୍କ ପାଇଁ ଆନନ୍ଦଦାୟକ ହୋଇଥିଲା । ସର୍ବୋପରି ପ୍ରଶିକ୍ଷଣ ଦିଆଯାଉଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କର ବ୍ୟବହାର ଓ ଆତିଥ୍ୟ ଅତ୍ୟନ୍ତ ସନ୍ତୋଷଜନକ ଥିଲା ।


Discover more from

Subscribe now to keep reading and get access to the full archive.

Continue reading