ବସପୁର ବାଲି ଖାଦାନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ



କେନ୍ଦ୍ରାପଡ଼ା, ୬ା୧୨: ବସପୁର ବାଲି ଖାଦାନକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଖବର ପାଇ କେନ୍ଦ୍ରାପଡା ସଦର ଥାନା ପୋଲିସ ଓ ଖଣି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫଳରେ ଉଭୟ ଗୋଷ୍ଠୀ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ସୂଚନା ଅନୁଯାୟୀ କେନ୍ଦୁଝରର ଯୋଗେନ୍ଦ୍ର ବେହେରା ଏହି ବାଲି ଘାଟରୁ ବାଲି ଉଠାଇବା ପାଇଁ ଅନୁମତି ନେଇଛନ୍ତି। କିନ୍ତୁ ସେ ନିଜେ ବାଲି ନଉଠାଇ ଜଣେ ବ୍ୟକ୍ତିଙ୍କୁ କ୍ଷମତାପତ୍ର(ପାୱାର ଅଫ୍ ଆଟର୍ଣ୍ଣି)ପ୍ରଦାନ କରିଥିଲେ। ସେହି କ୍ଷମତାପତ୍ର ବଳରେ ଉକ୍ତ ବ୍ୟକ୍ତି ଗତ ୨୦୨୨ମସିହାରୁ ଏହି ବାଲିଘାଟରୁ ବାଲି ଉଠାଣ କରିଆସୁଥିଲେ। ତେବେ ଉଭୟଙ୍କ ମଧ୍ୟରେ କୈାଣସି କାରଣକୁ ନେଇ ତିକ୍ତତା ସୃଷ୍ଟି ହେବାରୁ ନିଲାମଧାରୀ ଅସୁରେଶ୍ୱର ଅଞ୍ଚଳର ଜଣଙ୍କୁ କ୍ଷମତାପତ୍ର ପ୍ରଦାନ କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦୁଇମାସ ହେବ ଛକାପଞ୍ଝା ଲାଗି ରହିଛି। ଅସୁରେଶ୍ଵର ଗୋଷ୍ଠୀ ବାଲି ଉଠାଇବାକୁ ଉଦ୍ୟମ କରିବା ବେଳେ ତାଙ୍କୁ ପ୍ରଥମ ଗୋଷ୍ଟି ବିରୋଧ କରୁଛନ୍ତି। ଗତ ନଭେମ୍ବରମାସ ୭ତାରିଖରେ ଦିତୀୟ ଗୋଷ୍ଠି ବାଲି ଖାଦାନ ଭିତରେ ଏକ ଅସ୍ଥାୟୀ ଘର ନିର୍ମାଣ କରିବା ପାଇଁ ବିଭିନ୍ନ ନିର୍ମାଣ ସାମଗ୍ରୀ ନେଇ ଯାଉଥିବା ବେଳେ ପ୍ରଥମ ତାହାକୁ ବିରୋଧ କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହାକୁ ନେଇ ସଂଘର୍ଷମୟ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ସଦର ଥାନା ଅଧିକାରୀ ବିମଳ ମଲ୍ଲିକ ଓ ଖଣି ଅଧିକାରୀ ରଞ୍ଜିତ ବେହେରା ଘଟଣା ସ୍ଥଳରେ ପହଞ୍ଚି ତାହାକୁ ନିୟନ୍ତ୍ରଣ କରିଥିଲେ। ଏହାସହ କୈାଣସି ଗୋଷ୍ଠୀ ବାଲି ଉଠାଇ ପାରିବେନି ବୋଲି ଖଣି ଅଧିକାରୀ ଶ୍ରୀ ବେହେରା କହିଥିଲେ। ପୋଲିସ ଉକ୍ତ ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିଥିଲା। ଏହାଦ୍ୱାରା ସଂଘର୍ଷକୁ ଏଡାଇ ଦିଆଯାଇଥିଲା। ଏହି ଘଟଣାର ଏକମାସ ନପୁରୁଣୁ ପୁନର୍ବାର ବାଲି ଉଠାଣକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।


Discover more from

Subscribe now to keep reading and get access to the full archive.

Continue reading