
କେନ୍ଦ୍ରାପଡା,୧୯ା୧୨:କେନ୍ଦ୍ରାପଡା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ପରିସରରେ ଜାତୀୟ ପେନସନ୍ ଦିବସ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଇଛି । ମୁଖ୍ୟ ପ୍ରବନ୍ଧକ ବିଶ୍ୱଜିତ୍ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ପାରାଦୀପ ଆଞ୍ଚଳିକ ପ୍ରବନ୍ଧକ ଦେବାଶିଷ ରଥ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ବ୍ୟାଙ୍କ ତରଫରୁ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ପୀତାମ୍ବର ଦାସ ଏବଂ ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅନୁରୂପ ଭାବେ ସଂଘ ତରଫରୁ ମୁଖ୍ୟ ଅତିଥି ଆଞ୍ଚଳିକ ପ୍ରବନ୍ଧକ ଦେବାଶିଷ ରଥ, ମୁଖ୍ୟ ପ୍ରବନ୍ଧକ ବିଶ୍ୱଜିତ୍ ରାଉତରାୟଙ୍କ ସହ ଉତ୍ତମ ସେବା ପ୍ରଦାନ ନିମନ୍ତେ ହିସାବ ରକ୍ଷକ ଜୟିରାମ ମାଝି, ବରିଷ୍ଠ ସହାୟକ ସୁକାନ୍ତ କୁମାର ମିଶ୍ର, ସହାୟିକା ହେମାଙ୍ଗିନୀ ସାହୁ ଏବଂ ଶୁଭାସିନୀ ଦାସଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶାଖା ଉପ ପ୍ରବନ୍ଧକ ସୁପ୍ରିୟା ମଲ୍ଲିକ ସ୍ୱାଗତ ଭାଷଣ ଦେବା ସହ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବ୍ରଜକିଶୋର ଜେନା, ରବିନ୍ଦ୍ରନାଥ ପତି, ଅଲେଖ ଚନ୍ଦ୍ର ଦାସ, ନରୋତ୍ତମ ଜେନା, ଦିଲ୍ଲୀପ କୁମାର ମିଶ୍ର ପ୍ରମୁଖ ପେନସନଧାରୀମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନାରେ ଭାଗ ନେଇଥିଲେ । ସଂଘର ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା ୯ଦଫା ଦାବି ସମ୍ପର୍କରେ ସୂଚନା ଦେବା ସହ ବ୍ୟାଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପ ନିମନ୍ତେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ରଥ ବ୍ୟାଙ୍କରେ ଏକ ସଭାଗୃହ ନିର୍ମାଣ ନିମନ୍ତେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟ ପ୍ରବନ୍ଧକ ଶ୍ରୀ ରାଉତରାୟ ସାଇବର ଅପରାଧ ସମ୍ପର୍କରେ ସୂଚନା ଦେବା ସହ ଅଧିକରୁ ଅଧିକ ଅର୍ଥ ଜମା କରିବା ନିମନ୍ତେ ଅନୁରୋଧ କରିଥିଲେ । ଏହି ଅବସରରେ ବ୍ୟାଙ୍କ ତରଫରୁ ପାନୀୟଜଳ ବିତରଣ ନିମନ୍ତେ ଏକ ସୁଶୀତଳ ଜଳ ପ୍ରଦାନ ଯନ୍ତ୍ରକୁ ଆଞ୍ଚଳିକ ପ୍ରବନ୍ଧକ ଉଦ୍ଘାଟନ କରିବା ସହ ସମାରୋହରେ ଯୋଗ ଦେଇଥିବା ସମସ୍ତ ପେନସନଧାରୀମାନଙ୍କୁ ଶୀତବସ୍ତ୍ର ଉପହାରସ୍ୱରୂପ ପ୍ରଦାନ କରାଯାଇଥିଲା । ଜଗନ୍ନାଥ ପଣ୍ଡା, ରାମେଶ୍ୱର ନାୟକ, ହିମାଂଶୁ ଶେଖର ଦାସ, ଧରଣୀଧର ଗୋଛାୟତ, ଲକ୍ଷ୍ମୀନାରାୟଣ ଗୋଛାୟତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।











