ଆମ୍ବେଦକରଙ୍କ ପ୍ରତି ଗୃହମନ୍ତ୍ରୀଙ୍କ ଅପମାନସୂଚକ ମନ୍ତବ୍ୟ ପ୍ରତିବାଦରେ ଆମ ଆଦମୀ ପାର୍ଟିର ବିକ୍ଷୋଭ



କେନ୍ଦ୍ରାପଡ଼ା, ୨୦ା୧୨: ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ସରକାରୀ ହାଇସ୍କୁଲ ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ପବିତ୍ର ସଂସଦ ପରିସରରେ ଭାରତର ସମ୍ବିଧାନ ପ୍ରଣେତା ଡ. ଭୀମ ରାଓ ଆମ୍ବେଦକରଙ୍କ ଉଦେଶ୍ୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କର ଆଶାଳୀନ ଓ ଅପମାନ ଜନକ ଟିପ୍ପଣୀ କୋଟି କୋଟି ଭାରତୀୟଙ୍କ ଭାବାବେଗକୁ କୁଠାରଘାତ କରିଛି। ସଂସଦରେ ଶୀତକାଳୀନ ଅଧିବେସନ ଚାଲିଥିବା ବେଳେ ସଂସଦୀୟ ମର୍ଯ୍ୟାଦା ଓ ଶୃଙ୍ଖଳା ଆବଦ୍ଧରେ ରହି ବିରୋଧୀ ଦଳର ଅନେକ ସାଂସଦ କେନ୍ଦ୍ର ସରକାରଙ୍କ ସମ୍ବିଧାନ ବିରୋଧୀ କାର୍ଯ୍ୟକଳାପର ଦୃଢ ପ୍ରତିବାଦ କରିବା ଅବସରରେ ବାବା ସାହେବ ଆମ୍ବେଦକରଙ୍କ ନାମ ବାରମ୍ବାର ଉଚ୍ଚାରଣ କରିବାର ଦେଖାଯାଇଥିଲା। କେନ୍ଦ୍ର ସରକାର ବିରୋଧୀ ଦଳର ସାଂସଦମାନଙ୍କର ଅଭିବ୍ୟକ୍ତିକୁ ସମ୍ମାନ ଜଣାଇବା ପରିବର୍ତ୍ତେ ଖୋଦ ସରକାରଙ୍କ ପ୍ରତିନିଧି ଗୃହମନ୍ତ୍ରୀ ଅମିତ ଶାହା ବାବାସାହେବଙ୍କ ନାମକୁ ଅତି ତାତ୍ସଲ୍ୟପୂର୍ଣ୍ଣ ଭଙ୍ଗୀରେ ଅପମାନ ଜନକ ଭାବେ ବ୍ୟବହାର କରି ଥିବାରୁ ତାଙ୍କର ଏଭଳି ଅସୈାଜନ୍ୟ ଟିପ୍ପଣୀ ବିଜେପି ନେତୃତ୍ୱାଧୀନ ସରକାରଙ୍କ ସମ୍ବିଧାନ ବିରୋଧୀ ମାନସିକତାକୁ ପଦାରେ ପକାଇଛି। ଗୃହମନ୍ତ୍ରୀଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେଶବାସୀଙ୍କୁ ଦାରୁଣ ଆଘାତ ପ୍ରଦାନ କରିଛି। ତେଣୁ ଏହାର ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟୀ କଲେକ୍ଟର ରମେଶ ଚନ୍ଦ୍ର ପଣ୍ଡାଙ୍କୁ ପ୍ରଦାନ କରାଯାଇଛି। ବିକ୍ଷୋଭ ପ୍ରଦର୍ଶନରେ ଓ ଦାବିପତ୍ର ପ୍ରଦାନ ସମୟରେ ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ତଥା ରାଜ୍ୟ ସଂଗଠନ ସମ୍ପାଦକ ସନ୍ଦୀପ ଦାସ, ସୂର୍ଯ୍ୟକାନ୍ତ ପରିଡା, ମହମ୍ମଦ ଜାକିର ରହେମନ, ଏମ.ଏ. ସାହିଲ ଫଇଜଲ, ରାକେଶ କୁମାର ରାଉତ, ଫହିମା ବେଗମ, ଜହିଦୂର ରହେମାନ, ରୁଦ୍ର ନାରାୟଣ ବେହେରା, ପ୍ରକାଶ କୁମାର ସେଠୀ, କୁମୁଦ କୁମାର ରାଉତ, ସୁହାନା ବିବି, ଅନୁସୂୟା ସେଠୀ, ଲାଜମୁନ ବିବି, ସୈାମ୍ୟକାନ୍ତ ପରିଡା, ସାଗରିକା ଦାସ, ମହମ୍ମଦ ଇସମାଇଲ୍ ପ୍ରମୁଖ ଉପସ୍ଥିତ ଥିଲେ।


Next Post

ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ

Fri Dec 20 , 2024
କେନ୍ଦ୍ରାପଡ଼ା,୨୦ା୧୨ : ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୋପବନ୍ଧୁ ଏକାଡ଼େମୀର ମହାନିର୍ଦ୍ଦେଶକ ଜି. ମାଥିଭାଥନନ୍ ଗୁରୁବାର କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ, ପଞ୍ଚାୟତରାଜ ଓ ପାନୀୟଜଳ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ସ୍କୁଲ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ, ମଙ୍ଗଳ ବିଭାଗ, ବେସାମରିକ ଯୋଗାଣ ବିଭାଗ, ସମବାୟ, ସାମାଜିକ ସୁରକ୍ଷା, ଶକ୍ତି, […]

KANIKA