ଲଘୁଚାପ ବର୍ଷାରେ ଚାଷୀ ବେହାଲ



କେନ୍ଦ୍ରାପଡ଼ା, ୨୧ା୧୨: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ତତ୍ ପରବର୍ତ୍ତୀ ଅବପାତ ପ୍ରଭାବରେ ଶୁକ୍ରବାର ଠାରୁ ବର୍ଷା ଲାଗି ରହିଥିବାରୁ ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗତ କିଛି ଦିନ ହେବ ଚାଷୀମାନେ ବିଲରୁ ଧାନ କାଟି ସେହି ବିଲରେ ଶୁଖିବା ପାଇଁ ପକାଇଥିବା ବେଳେ ଏବେ ବର୍ଷା ହୋଇଯିବାରୁ ସେହି କଟା ହୋଇଥିବା ଧାନ ବିଲରୁ ଖଳାକୁ ଆଣିବା ଆଉ ସମ୍ଭବ ହୋଇ ପାରୁନି। କାରଣ ସେହି ଧାନ ବର୍ଷା ପାଣିରେ ଓଦା ହୋଇଯାଇଛି। ଏବେ ବର୍ଷା ପରେ ବିଲରେ ଧାନ କଟା ହୋଇ ପଡିଥିବା ବେଳେ ତାହା ଶୁଖିବା ବଦଳରେ ଅଧିକ ଓଦା ହୋଇଯିବାରୁ ବର୍ଷା ଯୋଗୁଁ ସେହି ଧାନ ବିଲରୁ ଉଠାଇ ଖଳାକୁ ଆଣିବା ଆଉ ସମ୍ଭବ ହୋଇନାହିଁ। ଫଳରେ ବିଲରେ କଟାହୋଇ ପଡିଥିବା ଧାନ ନଷ୍ଟ ହୋଇଯିବାର ସମ୍ଭାବନା ଦେଖାଦେଇଛି। ବର୍ଷ ସାରା ବିଲରେ ଖଟି ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀଟି ବିଲକୁ ଚାଷକରି ପାଣି ମଡେଇ ତଳି ରୋଇ ସାର ପକାଇବା ସହ ବଛାବଛି କରି ଫସଲ ଫଳାଇଛି। ବହୁ ପରିଶ୍ରମ ପରେ ବିଲରେ ଫସଲ ଦେଖି ଖୁସି ହୋଇଥିବା ଚାଷୀଟି କିନ୍ତୁ ଏବେ ଅମଳ ସମୟରେ ବର୍ଷା ହେବାରୁ ମୁଣ୍ଡରେ ହାତ ଦେଇ ବସିଛି। ଯଦି ଏଭଳି ବର୍ଷା ଲାଗି ରହେ ତେବେ ବିଲରେ କଟା ହୋଇ ପଡିଥିବା ଧାନ ମାଳେଇ ଓ କଟା ନହୋଇଥିବା ଧାନ ଫସଲ ମଧ୍ୟ ବିଲରେ ହିଁ ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ବହୁ କଷ୍ଟ ସ୍ୱୀକାର କରି ଚାଷୀଟି ବିଲରେ ବେଉଷଣ କରିଥିବା ବେଳେ ଏବେ ଲଘୁଚାପ ବର୍ଷା ଚାଷୀର ଚିନ୍ତା ବଢାଇ ଦେଇଛି। ବର୍ଷା ଫଳରେ ଚାଷୀମାନେ ଆଶା ଓ ଆଶଙ୍କା ଭିତରେ ଦେଇ ଗତି କରୁଥିବା ବେଳେ ସେମାନଙ୍କର ବର୍ଷକ ପାଇଁ ଖାଦ୍ୟ କେଉଁଠୁ ଆଣିବେ ସେ ଚିନ୍ତା ମଧ୍ୟ ସେମାନଙ୍କୁ ବ୍ୟତିବ୍ୟସ୍ତ କରି ପକାଇଛି।


Next Post

ରୁଦ୍ରାଣୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

Sat Dec 21 , 2024
କେନ୍ଦ୍ରାପଡା,୨୧ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମସ୍ଥିତ ରୁଦ୍ରାଣୀ ପବ୍ଲିକ ସ୍କୁଲ ଏବଂ କିଡସ୍ ପ୍ଲେ ସ୍କୁଲର ମିଳିତ ଆନୁକୂଲ୍ୟରେ ୨୦ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମଞ୍ଚ ଉନ୍ମୋଚନ କରି କହିଥିଲେ ଯେ ଆଜିର ଶିଶୁ କାଲିର ନାଗରିକ । ପ୍ରବଚକ ମାନସଭୂଷଣ ହୃଷିକେଶ ରଥ ଅତିଥର […]

KANIKA