ପ୍ରବଳ ବର୍ଷାରେ ଭିଜୁଛି ଓଡ଼ିଶା, ୨୭ ତାରିଖ ସକାଳ ପର୍ଯ୍ୟନ୍ତ ମିଳିବନି ନିସ୍ତାର


ଭୁବନେଶ୍ୱର ୨୫/୧୨-ପ୍ରବଳ ବର୍ଷାରେ ବେହାଲ ଉପକୂଳ ଓଡ଼ିଶା । କେନ୍ଦ୍ରାପଡା ସର୍ବାଧିକ ୧୨୫ ମିଲିମିଟର ବର୍ଷା ରେକର୍ଡ । ୨୭ ତାରିଖ ସକାଳ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ବର୍ଷା ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ । ପ୍ରବଳ ବର୍ଷା ନେଇ ୨୪ ଘଣ୍ଟା ପର୍ଯ୍ୟନ୍ତ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି । ୱେଲମାର୍କ ଲୋପ୍ରେସର ପ୍ରଭାବରେ ଆଜି ସାରା ରାଜ୍ୟରେ ବର୍ଷା ଜାରିଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବିଶେଷ କରି କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ଆସନ୍ତା କାଲି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, ନବରଙ୍ଗପୁର ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ୱେଲମାର୍କ ଲୋପ୍ରେସର ଏବେ ସକ୍ରିୟ ରହିଛି। ୨୪ ଘଣ୍ଟାରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ। ପରେ ଦକ୍ଷିଣ ଆନ୍ଧ୍ର ଏବଂ ଉତ୍ତର ତାମିଲନାଡୁ ଉପକୂଳ ମୁହାଁ ହେବ ଲଘୁଚାପ। ଏହାର ପ୍ରଭାବରେ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ୨୭ ତାରିଖ ବେଳକୁ ଆଉ ଏକ ପଶ୍ଚିମା ଝଡ ସୃଷ୍ଟି ହେବାକୁ ଯାଉଛି । ଯାହାର ପ୍ରଭାବରେ ପୁଣି ରାଜ୍ୟରେ କୋହଲା ପାଗ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଟାଙ୍ଗୀରେ ସର୍ବାଧିକ ବର୍ଷା ୭୪ ମିଲିମିଟର ରେକର୍ଡ ହୋଇଥିବା ବେଳେ କଳାହାଣ୍ଡି କୋକସରାରେ ୬୫ ମିଲିମିଟର, ନବରଙ୍ଗପୁର ଡାବୁଗାଁରେ ୬୨ ମିଲିମିଟର, ଜୁନାଗଡରେ ୫୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବର୍ଷା ସହ ଆସନ୍ତା କାଲି ଠାରୁ ଶୀତ ଏବଂ ଘନ କୁହୁଡି କଲବଲ କରିବ । ବିଶେଷ କରି ରାତିର ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ । ଏହାସହ ଆସନ୍ତା କାଲି ଘନ କୁହୁଡି ନେଇ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର ଏବଂ ବଲାଙ୍ଗିରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ୨୭ ତାରିଖରେ ଘନ କୁହୁଡି ନେଇ ସୋନପୁର, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ କ୍ଷମତା । ଫଳରେ ଗାଡି ଚଳାଚଳରେ ବ୍ୟାଘାତ ସୃଷ୍ଟି ହେବ ।


Next Post

ବକ୍ତାରପୁର ହାଇସ୍କୁଲରେ ନିଆରା ବନ୍ଧୁମିଳନ ଉତ୍ସବ : ଗୁରୁ ପୂଜନ, ଅସହାୟଙ୍କୁ କମ୍ବଳ ଓ ରୋଗୀଙ୍କୁ ଫଳ ବଣ୍ଟନ

Wed Dec 25 , 2024
ପଟ୍ଟାମୁଣ୍ଡାଇ ତା ୨୫/୧୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବକ୍ତାରପୁର ହାଇସ୍କୁଲର ୨୦୦୧ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପବିତ୍ର ବଡଦିନ ଅବସରରେ ନିଆରା ବନ୍ଧୁମିଳନ ଉତ୍ସବ ଆୟୋଜନ କରାଯାଇ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।  ଏହି ଉପଲକ୍ଷେ ପୁରାତନ ଛାତ୍ର ସଂସଦ ସଭାପତି ଆଡ଼ଭୋକେଟ ମନୋଜ କୁମାର ନାୟକଙ୍କ ପୌରହିତ୍ୟରେ ବକ୍ତାରପୁର ହାଇସ୍କୁଲ ଠାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ବକ୍ତାରପୁର ହାଇସ୍କୁଲ ପ୍ରଧାନଶିକ୍ଷକ […]

KANIKA