ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କଲେ ମନ୍ତ୍ରୀ



କେନ୍ଦ୍ରାପଡା,୨୯ା୧୨: କେନ୍ଦ୍ରାପଡା ପ୍ରଦକ୍ଷଣ ଭବନରେ ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ସମ୍ପର୍କରେ ଓଡିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରବିବାର ସମୀକ୍ଷା କରିଛନ୍ତି । ଭାରପ୍ରାପ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମନ୍ତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା କ୍ଷୟକ୍ଷତିର ପ୍ରାରମ୍ଭିକ ଆକଳନ ସମ୍ପର୍କରେ ଅବଗତ କରାଇଥିଲେ । ପଞ୍ଚାୟତ ଓ ବ୍ଲକୱାରି ଯୁଗ୍ମ କମିଟି ଗଠନ କରାଯାଇ କ୍ଷୟକ୍ଷତିର ଆକଳନ କରାଯାଇଛି ବୋଲି ସେ ମତ ରଖିଥିଲେ । ଜିଲ୍ଲାରେ ସମୁଦାୟ ୧ଲକ୍ଷ ୨୪ହଜାର ୫୫୭ ହେକ୍ଟର ଧାନଚାଷ ମଧ୍ୟରୁ ପ୍ରାୟ ୭୦ହଜାର ୫୬ ହେକ୍ଟର ଜମିରୁ ଧାନ ଅମଳ ହୋଇଥିବା ବେଳେ ସେଥିମଧ୍ୟରୁ ପ୍ରାୟ ୫ହଜାରରୁ ଉର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ଚାଷୀଙ୍କ ୨୯୫ ହେକ୍ଟର ଜମିରେ ଫସଲ କ୍ଷୟକ୍ଷତି ହୋଇଛି ବୋଲି ଦାବି ହସ୍ତଗତ ହୋଇଛି । ବୀମାଭୁକ୍ତ ହୋଇନଥିବା କ୍ଷତିଗ୍ରସ୍ତ ଚାଷୀଙ୍କ ଫସଲ କ୍ଷୟକ୍ଷତି ଆକଳନ ସର୍ଭେ କାର୍ଯ୍ୟ ଚାଲୁ ରହିଛି । ବୀମାଭୁକ୍ତ ଓ ବୀମା କରି ନଥିବା ପ୍ରକୃତ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସର୍ଭେ ସମୟରେ ଚାଷୀମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡା ଗସ୍ତ ସମୟରେ ମନ୍ତ୍ରୀ ଜଣ୍ଟିଲୋ, ପଟ୍ଟାମୁଣ୍ଡାଇର ମୂଳବସନ୍ତ, ରାଜନଗରର ମହିଷାସୁର ଯାଇ ଫସଲ କ୍ଷୟକ୍ଷତି ସମ୍ପର୍କରେ ଚାଷୀମାନଙ୍କ ସହ ଆଲୋଚନା କରି ଫସଲ ବୀମା ଅର୍ଥରାଶି ଓ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସମୀକ୍ଷା ବୈଠକରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡା ବିଧାୟକ ଡ. ଦୂର୍ଗାପ୍ରସନ୍ନ ନାୟକ, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାୟ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ଉଦ୍ୟାନ କୃଷି ବିଭାଗର ସହକାରୀ କୃଷି ନିର୍ଦ୍ଦେଶକ ଦେବଦାସ ଦତ୍ତ, ସମବାୟ ସମିତି ସମୂହର ବରିଷ୍ଠ ସହକାରୀ ନିବନ୍ଧକ ସନ୍ତୋଷ କୁମାର ଦାସ, ଜିଲ୍ଲାର ସମସ୍ତ ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମକର୍ତ୍ତା, ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading