ସ୍ୱାସ୍ଥ୍ୟରକ୍ଷା ଦିଗରେ ଧର୍ମଗୁରୁ ସଭା



କେନ୍ଦ୍ରାପଡା,୧୨ା୧:  କେନ୍ଦ୍ରାପଡା ଜିଲ୍ଲା ବାରୋଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ଏକ ଧର୍ମଗୁରୁ ସଭା ରବିବାର ଆୟୋଜିତ ହୋଇଯାଇଛି । ସମାଜରୁ କୁସଂସ୍କାର ଓ ଅନ୍ଧ ବିଶ୍ୱାସ ଦୂର କରିବାକୁ ଧାର୍ମିକ ବ୍ୟକ୍ତିବିଶେଷ ଲୋକଙ୍କୁ ସଚେତନ କରିବେ ତଥା ଅସୁସ୍ଥ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ସକାଶେ ସକାରାତ୍ମକ ଉପଦେଶ ଦେବେ । ଅତ୍ୟଧିକ ଶ୍ୱେତସାର ଜାତୀୟ ଖାଦ୍ୟ ଖାଇବା ଯୋଗୁଁ ଇନ୍‌ସୁଲିନର କାର୍ଯ୍ୟ ବାଧାପ୍ରାପ୍ତ ହେବା ଏବଂ ରୋଗ ସଂକ୍ରମଣ ଆଶଙ୍କା ରହୁଥିବା ନେଇ ଆଲୋଚନା ହୋଇଥିଲା । ସୁତରାଂ ଶ୍ୱେତସାର ଅପେକ୍ଷା ପୁଷ୍ଟିସାର ଖାଦ୍ୟକୁ ଅଧିକ ପରିମାଣରେ ଭୋଜନରେ ଗ୍ରହଣ କରିବାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପରାମର୍ଶ ଦେଇଥିଲେ । ପୁଷ୍ଟିସାର ଖାଦ୍ୟ ଶରୀର ଗଠନ, ବୃଦ୍ଧି, ମାଂସପେଶୀ ସତେଜ ରଖିବା, ଶରୀର କ୍ଷତକୁ ଶୀଘ୍ର ସୁସ୍ଥ କରିବାରେ ସହାୟକ ହୋଇଥାଏ । ଟିବିମୁକ୍ତ ଭାରତ ଅଭିଯାନରେ ଧର୍ମଗୁରୁମାନେ ସାମିଲ ହେବାକୁ ସଂକଳ୍ପ ନେଇଥିଲେ । ଆଗାମୀ ପିଢିକୁ ଧାର୍ମିକ ଚେତନାରେ ଉଦ୍‌ବୁଦ୍ଧ କରି ସେମାନଙ୍କୁ ବିପଥଗାମୀ ହେବାରେ ନିବୃତ୍ତ ହେବାକୁ ଧର୍ମଗୁରୁମାନେ ଦୃଢ ସଂକଳ୍ପ ନେଇଥିଲେ । ତମାଖୁ, ମାଦକ ଦ୍ରବ୍ୟ, ଆର୍ଥିକ କାରବାରରେ ଠକେଇ ଆଦି ଠାରୁ ଯୁବ ସମାଜକୁ ଦୂରେଇ ରଖିବା ପାଇଁ ପ୍ରୟାସ କରିବାକୁ ଧର୍ମଗୁରୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାବଗ୍ରାହୀ କଳାନିକେତନର ପ୍ରତିଷ୍ଠାତା ବିମଳ ପ୍ରସାଦ ପରିଡା, ବାରୋ ଗ୍ରାମର ନିରଞ୍ଜନ ପରିଡା, ଗୌରାଙ୍ଗ ପଣ୍ଡା, ସରସ୍ୱତୀ ସ୍ୱାଇଁ, ଅନ୍ନପୂର୍ଣ୍ଣା ପରିଡା, ତରାଣ୍ଡୋ ଗ୍ରାମର ରଞ୍ଜନ ମଲ୍ଲିକ, ଇଟିପୁର ଗ୍ରାମର ସୁଦର୍ଶନ ପଣ୍ଡା, ଗିରିମଠର ଧନେଶ୍ୱର ଦାସ, ସିଦ୍ଧମଠ ବାବା ନାରଣ ଦାସ ଓ ଉତ୍ତମ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ କୃଷ୍ଣାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading