
କେନ୍ଦ୍ରାପଡା,୨୮ା୧: ଜବର ଦଖଲରେ ରହିଛି କନିକା ରାଜାଙ୍କ ଜମି। କେତେକ ଦୁର୍ବୁତ୍ତ ରାଜାଙ୍କ ସମ୍ପତ୍ତିକୁ ଜବରଦଖଲ କରିଛନ୍ତି। ଏହି ଜବରଦଖଲକୁ ରାଜାଙ୍କ ପରିବାର ବିରୋଧ କଲେ ସେମାନଙ୍କୁ ମରଣାନ୍ତକ ଆକ୍ରମଣର ଧମକ ଦିଆଯାଉଛି। ଏନେଇ ଥାନାରେ ଅଭିଯୋଗ କଲେ ପୋଲିସ ଅଭିଯୁକ୍ତମାନଙ୍କ ସପକ୍ଷରେ କଥା କହୁଛି। ତେଣୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଭେଟି ଏହି ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି କନିକାରାଜ ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟି ତଥା କନିକାରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ। ଶ୍ରୀ ଭଞ୍ଜଦେବ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ କେତେକ ଦୁର୍ବୁତ୍ତ ରାଜକନିକା ବ୍ଲକର ଈଶ୍ୱରପୁର ମୈାଜାର ଟଣେଇପଦା ଗ୍ରାମର ରାଜ ଚାରିଟେବୁଲ ଟ୍ରଷ୍ଟର ୭ଟି ପ୍ଲଟରେ ରହିଥିବା ଜମିକୁ ଜବରଦଖଲ କରିଛନ୍ତି। ରାଜାଙ୍କ ମ୍ୟାନେଜର ଲମ୍ବୋଦର ରାଉତ ଜଣେ ଅମିନଙ୍କ ଦ୍ୱାରା ମାପଚୁପ କରୁଥିବା ବେଳେ ଜବରଦଖଲକାରୀଙ୍କ ପକ୍ଷରୁ ଆକ୍ରମଣ କରାଯାଇଛି। ଏହି ଘଟଣାରେ ରାଜକନିକା ଥାନା ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ ଜିଲ୍ଲାପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।











