
କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତେରଗାଁ ପଞ୍ଚାୟତ ବଜ୍ରବୁଢୀ ବାଳିକା ଉଚ୍ଚ ବିଦ୍ୟାଳୟର “ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା” ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ଓ ଗଣିତ କ୍ଲବର ଛାତ୍ରୀମାନେ ବିଭିନ୍ନ ପ୍ରକାର ଗଣିତ ଓ ବିଜ୍ଞାନ ଭିତ୍ତିକ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରିୟମ୍ବଦା ମହାପାତ୍ର ଓ ପ୍ରିୟଦର୍ଶିନୀ ଦାସ ପ୍ରଦର୍ଶନୀର ବିସ୍ତୃତ ପରିସରକୁ ପ୍ରଶଂସା କରି କହିଥିଲେ, “ଆମର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସୃଜନଶୀଳତା ଏବଂ ନବସୃଜନର ସ୍ତର ପ୍ରକୃତରେ ଉଲ୍ଲେଖନୀୟ। ଏହିପରି କାର୍ଯ୍ୟକ୍ରମଗୁଡ଼ିକ କେବଳ ବୈଜ୍ଞାନିକ ଧାରଣା ପ୍ରତି ସେମାନଙ୍କର ବୁଝାମଣାକୁ ବୃଦ୍ଧି କରେ ନାହିଁ ବରଂ ବାସ୍ତବ-ବିଶ୍ୱ ପ୍ରୟୋଗ ଏବଂ ସମାଧାନ ବିଷୟରେ ଚିନ୍ତା କରିବାକୁ ମଧ୍ୟ ଉତ୍ସାହିତ କରେ।”ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରୋଦ ପ୍ରସାଦ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗୋପୀନାଥପୁର ଶାସନ ଉଚ୍ଚ ବିଦ୍ଯାଳୟର ପ୍ରଧାନଶିକ୍ଷକ କବିତା ମହାନ୍ତି ମୁଖ୍୍ୟ ଅତିଥି, ଅଲେଖ ଚନ୍ଦ୍ର ମହାନ୍ତି ସମ୍ମାନିତ ଅତିଥି ଓ ଗୋପୀନାଥପୁର ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟପକ ବିପିନ ବିହାରୀ ଦାଶ ମୁଖ୍୍ୟ ବକ୍ତା ରୂପେ ଯୋଗଦେଇ ଦୈନନ୍ଦିନ ଜୀବନରେ ବିଜ୍ଞାନ ଓ ଗଣିତର ଭୂମିକା ବିଷୟରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରି ବିଜ୍ଞାନର ଉନ୍ନତି ଦ୍ୱାରା ସମାଜର ପ୍ରଗତି ସାଧିତ ହୋଇଉପାରିବ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଅତିଥିଙ୍କ ଦ୍ୱାରା “ବିଜ୍ଞାନ ଓ ଗଣିତ କ୍ଲବ ” ତରଫରୁ ବିଭିନ୍ନ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ପୁରସ୍କାର ବିତରଣ କରାଯାଇଥିଲା। ପ୍ରାରମ୍ଭରେ ଶିକ୍ଷକ ପ୍ରସନ୍ନ ମାହାଳି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ଲୁକେଶ୍ୱର ପରୁଆ ଓ ଶିକ୍ଷକ ରୀକେଶ ଜେନା ପରିଚାଳନା କରିଥିବା ବେଳେ ଶିକ୍ଷକ ଶୁଭେନ୍ଦୁ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।











