ପଟ୍ଟାମୁଣ୍ଡାଇ ତା ୯/୩- ଭାରତବର୍ଷ କୁ ସବୁ ଦୃଷ୍ଟିରୁ ସୁରକ୍ଷିତ ରଖିବା ଓ ଅପରାଧମୁକ୍ତ ରାଷ୍ଟ୍ର ଗଠନ କରିବା ପାଇଁ କେନ୍ଦ୍ର ସରକାର ନୂତନ ଅପରାଧୀକ ଆଇନ ପ୍ରଣୟନ କରିବା ସହିତ ଏହାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବା ପାଇଁ ସବୁ ରାଜ୍ୟକୁ ନିର୍ଦେଶ ଦେଇଛନ୍ତି । ଓଡିଶା ସରକାର ଏହି ନୂତନ ଅପରାଧୀକ ଆଇନ ଲାଗୁ କରିବା ସହିତ ଏ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ନିର୍ଦେଶ ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଏସ ପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପକ୍ଷରୁ ନୂତନ ଅପରାଧୀକ ଆଇନ କାର୍ଯ୍ୟକାରୀତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା । ଏଥିରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ଭାଷଣ ଦେଇ ଦୁର୍ଘଟଣା, ଜାତିଗତ ଗଣ୍ଡଗୋଳ, ମହିଳା ନିର୍ଯ୍ୟାତନା ଗଣ ଦୁଷ୍କର୍ମ,ସାବାଳକ ପୁଅ ଝିଅ ପରିବାର ସ୍ୱୀକୃତି ବିନା ଭଲ ବିବାହ କରିବା ଆଦି କ୍ଷେତ୍ରରେ ଆଇନଗତ ବ୍ୟବସ୍ଥା ସଂପୂର୍ଣ୍ଣ ବଦଳି ଯାଇ ଲାଗୁ କରାଯାଇଥିବା ନୂତନ ଆଇନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିବା ସହିତ ଏ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ ୧୮୬୦ ମସିହାରେ ପ୍ରଣୀତ ଭାରତୀୟ ନ୍ୟାୟ ସଂଗୀତା ବହୁ ପୁରୁଣା ହୋଇଥିବାରୁ ଏହାର ବ୍ୟାପକ ପରିବର୍ତନ କରି କେନ୍ଦ୍ର ସରକାର ନୂତନ ଆଇନ ପ୍ରଣୟନ କରିଛନ୍ତି । ୧୯୭୩ମସିହାରେ ପ୍ରଣୀତ ନାଗରିକ ଅଧିକାର ସୁରକ୍ଷା ପାଇଁ ନାଗରିକ ସଂଗୀତାର ପରିବର୍ତନ କରାଯାଇଛି । ନୂତନ ଅପରାଧୀକ ଆଇନ ପ୍ରଣୟନ କରାଯାଇ ଜାତୀୟ ନିରାପତ୍ତା ତ୍ୱରିତ ନ୍ୟାୟ, ମହିଳା ଓ ଶିଶୁ ସୁରକ୍ଷା ପାଇଁ କଠୋର ଆଇନଗତ ବ୍ୟବସ୍ଥା କରାଯାଇଛି । ଏଥି ସହିତ ଡିଜିଟାଲ ଯୁଗରେ ସରକାରୀ ସେବା ଜନସାଧାରଣ ନିକଟରେ ପହଞ୍ଚାଇବା ପାଇଁ ସମୟ ନିର୍ଧାରିତ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଜଣେ ସାଧାରଣ ନାଗରିକ ସରକାରୀ ଅଫିସ ନଆସି ସମସ୍ତ ସରକାରୀ ସୁବିଧା ପାଇବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ଏହି ସଚେତନତା ସଭାରେ ପଟ୍ଟାମୁଣ୍ଡାଇ ଥାନା ଏସ ଆଇ ରତି ରଞ୍ଜନ ନାୟକ, ଚଉଦକୁଲାଟ ଫାଣ୍ଡି ଅଫିସର ନୃସିଂହ ମହାନ୍ତି ସମେତ ବହୁ ଲୋକପ୍ରତିନିଧି, ସରକାରୀ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇ ନୂତନ ଅପରାଧୀକ ଆଇନ ସମ୍ପର୍କରେ ମତ ବିନିମୟ କରିଥିଲେ ।