କେନ୍ଦ୍ରାପଡାରେ ପଞ୍ଚୁଦୋଳ ମେଳଣ ଓ ହୋଲି ଉତ୍ସବ ପାଳିତ



କେନ୍ଦ୍ରାପଡ଼ା,୧୯ା୩: କେନ୍ଦ୍ରାପଡା ସହର ସମେତ ଆଖପାଖ ଅଞ୍ଚଳରେ ବଡ ଧୁମଧାମରେ ପଞ୍ଚୁଦୋଳ ମେଳଣ ଓ ହୋଲି ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଛାମୁ ମେଳଣରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ବିମାନରେ ସଜ୍ଜିତ ହୋଇ ବାଜାବଜାଇ, ବାଣଫୁଟାଇ ରୋଷଣିକରି ଯୋଗ ଦେଇଥିଲେ । ମଙ୍ଗଳବାର ରାତିରେ ବହୁ ଦୋଳ ବିମାନ ସହରସ୍ଥିତ ପୁରୁଣା ବସ୍‌ଷ୍ଟାଣ୍ଡରେ ଅନୁଷ୍ଠିତ ମେଲଣରେ ଏକାଠି ହୋଇଥିଲେ । ବୁଧବାର ପ୍ରତ୍ୟୁଷରୁ ବାଲିପାଟଣାର ଲଛମନଜୀୟୁଙ୍କ ସହିତ ଅନ୍ୟ ସମସ୍ତ ବିମାନ ଏକାଠି ହେବା ପରେ ସେଠାରେ ଭୋଗଲାଗି କରାଯାଇଥିଲା । ଏହି ଅବସରରେ ପୁରୁଣା ବସ୍‌ଷ୍ଟାଣ୍ଡରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବାଲିପାଟଣାର ଲଛମନଜୀୟୁ,ଗଣାମାହାଲସ୍ଥିତ ବିନୋଦ ବିହାରୀ,ପାହାଡପୁର ମଠର ନୃସିଂହଜୀଉ, ଚାଟରାପାଟଣାର ରାଧାଗୋବିନ୍ଦଜୀଉ, ବଣିଆମାଳର ନୃସିଂହନାଥ,ଗରାପୁରର ରଘୁନାଥଜୀଉ,ଗୁଲନଗରର ମଦନମୋହନ ଓ ବୁଢା ଗୋବିନ୍ଦଙ୍କ ସହିତ ପ୍ରାୟ ୧୭ଗୋଟି ବିମାନ ଏହି ମେଳଣରେ ଅଂଶଗ୍ରହଣ କରିଥିଲେ । ଇଚ୍ଛାପୁରସ୍ଥିତ ଶ୍ରୀ ବଳଦେବଜୀଉଙ୍କ ଛାମୁ ମେଳଣ ଶେଷ ହେବା ପରେ ଶ୍ରୀ ଲଛମନଜୀଉଙ୍କ ସମେତ ଅନ୍ୟ ବିମାନ ଗୁଡିକ ସହରର ବିଭିନ୍ନ ସ୍ଥାନରେ ଭୋଗ ଖାଇବା ପରେ ନିଜ ନିଜ ଅଞ୍ଚଳରକୁ ଫେରିଯାଇଥିଲେ। ଏହି ମେଲଣ ଦେଖିବାକୁ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ପ୍ରଭୁ ଶ୍ରୀ ବଳଦେବଜୀଉ ଆଜି ମେଳଣ ଆୟୋଜନ କରି ହୋଲି ଖେଳିବାର ପରମ୍ପରା ରହିଛି । ତେଣୁ କେନ୍ଦ୍ରାପଡାର ଲୋକମାନେ ଆଜି ହୋଲି ଖେଳରେ ସାମିଲ ହୋଇଥିଲେ । ଏହି ଅବସରରେ ଶ୍ରୀ ବଳଦେବଜୀଉଙ୍କର ସ୍ୱତନ୍ତ୍ର ଫଗୁ ବେଶ ଅନୁଷ୍ଠିତ ହୋଇଥିଲା । ସହର ଓ ଆଖପାଖ ଅଞ୍ଚଳରେ ଲୋକମାନେ ଉତ୍ସାହର ସହ ଆଜି ହୋଲି ଖେଳିଛନ୍ତି । କେନ୍ଦ୍ରାପଡାରେ ଆଜି ଶାନ୍ତିଶୃଙ୍ଖଳାର ସହ ହୋଲି ଖେଳ ଶେଷ ହୋଇଛି।


Next Post

ସରକାରୀ ଜମିକୁ ବେଆଇନ ଦଖଲ କରି କୋଠା ନିର୍ମାଣ ଅଭିଯୋଗ ,କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ

Wed Mar 19 , 2025
କେନ୍ଦ୍ରାପଡ଼ା,୧୯ା୩ : କେନ୍ଦ୍ରାପଡା ସହର କାକଟ ମୈାଜାରେ ସରକାରୀ ଜମିକୁ ଦଖଲକରି ଗୃହ ନିର୍ମାଣ କରିଥିବା ଜନୈକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉଚ୍ଚ ନ୍ୟାୟାଳୟ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଆସନ୍ତା ୪ସପ୍ତାହ ମଧ୍ୟରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହାର ତଥ୍ୟ ଉଚ୍ଚ ନ୍ୟାୟାଳୟରେ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି।  

You May Like