ନିକିରାଇ ଆଇଆଇସି ପଦ୍ମାଳୟା ପ୍ରଧାନଙ୍କୁ ଶିଶୁମିତ୍ର ପୋଲିସ ଅଧିକାରୀ ଭାବେ ସମ୍ବର୍ଦ୍ଧିତ

କେନ୍ଦ୍ରାପଡା,୬ା୬: ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଚାଇଲଡ ଫଣ୍ଡ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସଭାଗୃହରେ ଶିଶୁ ସୁରକ୍ଷା ଉପରେ ଅନଲାଇନରେ ଶିଶୁକୁ କରାଯାଉଥିବା ଯୌନ ଶୋଷଣ ଓ ଦୁର୍ବ୍ୟବହାର ସମ୍ପର୍କରେ ଆଇନଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦର ସଭାପତି ସୁଶ୍ରୀ ଲିଳିତା ଦାସ ଓ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ସଚେତନ ରଥର ଉଦ୍ଘାଟନ କରିଥିଲେ । ଏହାପରେ ସଚେତନତା ରଥ ସହର ପରିକ୍ରମା କରିଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଜିଲ୍ଲା ପରିଷଦ ସମିଳନୀ କକ୍ଷରେ ଆୟୋଜିତ ବୈଠକକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁମାନଙ୍କର ସାମ୍ପ୍ରତିକ ସ୍ଥିତି ଓ ପରିସ୍ଥିତି ଏବଂ ସେମାନଙ୍କ ଭବିଷ୍ୟତ କିଭଳି ଉଜ୍ଜ୍ୱଳମୟ ହୋଇପାରିବ ସେ ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଜିଲ୍ଲାରେ ସମସ୍ତ ଶିଶୁ ସୁରକ୍ଷିତ ରହି ତାଙ୍କର ଭବିଷ୍ୟତ ଗଠନ କରିବେ ତା’ ଉପରେ ସମସ୍ତ ବିଭାଗର ଅଧିକାରୀମାନେ ଯତ୍ନଶୀଳ ହେବା ଉଚିତ । ବାଲ୍ୟ ବିବାହ ନିରାକରଣ, ନାରୀ ନିର୍ଯାତନା, ଶିଶୁ ଯୌନ ଶୋଷଣ ଓ ଦୁର୍ବ୍ୟବହାର ସମ୍ପର୍କରେ ଥିବା ଆଇନଗତ ନିୟମାବଳୀ ସମ୍ପର୍କରେ ଡାକ୍ତର ବେଣୁଧର ସେନାପତି ସଂସାଧନ ଅଧିକାରୀଭାବେ ଯୋଗଦେଇ ଆଲୋଚନା କରିବା ସହ ସଦସ୍ୟମାନଙ୍କର ବିଭିନ୍ନ ସମସ୍ୟାଗତ ପ୍ରଶ୍ନଗୁଡିକର ଉତ୍ତର ରଖିଥିଲେ । ଶିଶୁ ଆଶା, ସରଳତା ଓ ଭବିଷ୍ୟତର ପ୍ରତିନିଧିତ୍ୱ କରନ୍ତି । ସେମାନଙ୍କ ସ୍ୱପ୍ନ, ଜିଜ୍ଞାସା ଏବଂ ସେମାନଙ୍କ ମଧ୍ୟରେ ଥିବା ସମ୍ଭାବନା ଆମକୁ ଏକ ଉତ୍ତମ ବିଶ୍ୱ ଗଠନ କରିବାପାଇଁ ପ୍ରେରଣା ଦିଏ । ଡିଜିଟାଲ ଦୁନିଆଁରେ ଇଣ୍ଟରନେଟ୍ର ବିକଶିତ ଉପଲବ୍ଧତା ଏବଂ ସଚେତନତା ଓ ସୁରକ୍ଷାତ୍ମକ ଉପାୟର ଅଭାବ ଯୋଗୁଁ ଶିଶୁମାନେ ଅନଲାଇନର ଶୋଷକମାନଙ୍କ ଦ୍ୱାରା ବିପଦଗ୍ରସ୍ତ ହୋଇଥାନ୍ତି । ଶିଶୁ ସହିତ ହେଉଥିବା ଅନଲାଇନ ଅପରାଧ ଓ ଯୌନ ଶୋଷଣକୁ ମୁକ୍ତ କରିବାରେ ଆଇନଗତ ଧାରା ସମ୍ପର୍କରେ ଯୋଗ ଦେଇଥିବା ପୋଲିସ ଓ ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତ୍ତାମାନେ ପ୍ରଶିକ୍ଷଣ ନେଇଥିଲେ । ଏହି ଅବସରରେ ହେଡକ୍ୱାର୍ଟଏର କନ୍ଷ୍ଟେବଳ ପ୍ରଦୀପ କୁମାର ନାୟକ ଓ ନିକିରାଇ ଆଇଆଇସି ପଦ୍ମାଳୟା ପ୍ରଧାନଙ୍କୁ ଶିଶୁମିତ୍ର ପୋଲିସ ଅଧିକାରୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧକ୍ଷା ସ୍ୱାଗତିକା ପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଚାଇଲଡ ଫଣ୍ଡ୍ ଇଣ୍ଡିଆର କର୍ମକର୍ତ୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରାଜ୍ୟର ଜଣାଶୁଣା ଶିଶୁ ସୁରକ୍ଷା ସକ୍ରିୟ କର୍ମକର୍ତ୍ତା ବେଣୁଧର ସେନାପତି ଡିସିପିୟୁ, ସିଡବ୍ଲୁସି, ଜେଜେବି, ଚିଏଚ୍ଏଲ୍, ଡବ୍ଲୁଏଚ୍ଏଲ୍, ଏସ୍ଜେପିୟୁ, ଶିକ୍ଷକ, ପୋଲିସ ଅଧିକାରୀମାନଙ୍କୁ ସ୍ଲାଇଡ୍ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସଂସାଧନ ଅଧିକାରୀ ଭାବେ ମଧ୍ୟ ଆଇନଜୀବୀ ଭୀମସେନ ଭୂୟାଁ ଓ ଚାଇଲଡ ଫଣ୍ଡ୍ ଇଣ୍ଡିଆର ଇସ୍ରାଏଲ ନନ୍ଦ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।














