
ପଟ୍ଟାମୁଣ୍ଡାଇ ତା ୩୦/୭-ପଟ୍ଟାମୁଣ୍ଡାଇ ରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ତେବେ ତୁହାକୁ ତୁହା ବର୍ଷା ବନ୍ୟା ବିପନ୍ନଙ୍କ ଦୁର୍ଦଶା ବୃଦ୍ଧି କରିଛି ।ଆଜି ସକାଳ ଠାରୁ ଲଗାଣବର୍ଷା ଲାଗି ରହିଛି । ବ୍ରାହ୍ମଣୀ ନଦୀରେ ଦେଖା ଦେଇଥିବା ୨ୟ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ସିଂହ ଗାଁ, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ଓ ବାଛରା ପଂଚାୟତର ଅନେକ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇରହିଛି । ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲାପାଳ ରଘୁରାମ ଆର ଆୟାର ପଟ୍ଟାମୁଣ୍ଡାଇ ବ୍ଲକର ବନ୍ୟା ବିପନ୍ନ ଶ୍ରୀରାମପୁର, ଡାମରପୁର ଓ ବଳଭଦ୍ରପୁର ପଂଚାୟତକୁ ବୋଟ ଯୋଗେ ଯାଇ ଗ୍ରାଉଣ୍ଡ ଜିରୋରୁ ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ସହିତ ବିପନ୍ନ ଲୋକମାନଙ୍କ ସହିତ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହିତ ପାଳ ପାଟଣା ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ । ବନ୍ୟା ବିପନ୍ନ ଶ୍ରୀରାମପୁର, ଡାମରପୁର ଓ ବଳଭଦ୍ରପୁର ଲୋକମାନଙ୍କ ଯାତାୟାତ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଗୋଟିଏ ଏସ ଆର ସି ବୋଟ ଯୋଗାଇ ଦିଆଯାଇଥିବା ବେଳେ ଆଉ ଏକ ବୋଟ ଯୋଗାଇ ଦେବାକୁ ଜିଲ୍ଲାପାଳ ତହସିଲଦାରଙ୍କୁ ନିର୍ଦେଶ ଦେବା ସହିତ ବନ୍ୟା ଞ୍ଚଳର ଗୃହପାଳିତ ପଶୁମାନଙ୍କ ପାଇଁ ଗୋଖାଦ୍ୟ ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦେଶ ଦେଇଥିଲେ । ବନ୍ୟାଞ୍ଚଳରେ ପିଇବା ପାଣି ଓ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱାରୋପ କରି ତଦନୁଯାୟୀ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ସହିତ ପଟ୍ଟାମୁଣ୍ଡାଇ ବିଡ଼ିଓ ଅଶୋକ ମହାନ୍ତି, ଗ୍ରାମ୍ୟଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ଇଂ ବିଶ୍ୱଜିତ ମିଶ୍ର, ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝାଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧି ବନ୍ୟା ଞ୍ଚଳ ପରିଦର୍ଶନ କରିଥିଲେ । ଜିଲ୍ଲା ପାଳ ବ୍ଲକ ବନ୍ୟାଞ୍ଚଳ ପରିଦର୍ଶନ ପରେ ଫେରିବା ବାଟରେ ପଟ୍ଟାମୁଣ୍ଡାଇ ପୌର ପରିଷଦର ୩ ଓ ୪ନଂ ୱାର୍ଡର ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ପରେ ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଞ୍ଚଳର ସିଂହଗାଁ ଓ ପେଣ୍ଠପାଳ ପଂଚାୟତ ଯାଇ ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିଲେ । ପେଣ୍ଠପାଳ ପଂଚାୟତ କୋଳଥିଆ ଯାଇ ଜେନାସାହି ନିକଟ ଘାଇ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦେବା ସହିତ ବନ୍ୟା ବିପନ୍ନ ସମସ୍ତ ପଂଚାୟତର ଲୋକମାନଙ୍କ ଅସୁବିଧା ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିଂହ ଗାଁ ପଂଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇପଡ଼ିଥିବାବେଳେ ମାଳି ପୁର ରାସ୍ତାରେ ବନ୍ୟା ସ୍ରୋତ ପ୍ରବାହିତ ଯୋଗୁଁ ଶ୍ରୀରାମପୁର ଡାମରପୁର ଓ ବଳଭଦ୍ରପୁର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି । ସେହିପରି ବାଛରା -ମଣ୍ଡପଡା ରାସ୍ତା ରେ ବନ୍ୟାର ପ୍ରଖର ସ୍ରୋତ ପ୍ରବାହିତ ହେଇଥିବାରୁ ବାଛରା – ମଣ୍ଡପଡା ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି । ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟ କ୍ଷତି ସାଙ୍ଗକୁ ଫସଲହାନୀ ଘଟି ଗରିବ ଖଟିଖିଆ ଓ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ବନ୍ୟା ଯୋଗୁଁ ଜଳମଗ୍ନ ହୋଇଥିବା ଅଂଚଳ ରୁ ବନ୍ୟା ପାଣି ଛାଡି ଯାଇଥିଲେ ମଧ୍ୟ ଚାଷଜମି ଗୁଡିକ ବୁଡି ରହିଥିଲା । ଚାଷଜମିରୁ ବନ୍ୟା ପାଣି ଶୁଖି ନଥିବାବେଳେ ବ୍ରାହ୍ମଣୀ ନଦୀରେ ପୁଣି ୨ୟ ବନ୍ୟା ଆସିଛି । ବାରମ୍ବାର ବନ୍ୟା ଆସିବା ଫଳରେ କ୍ଷୟକ୍ଷତି ଓ ଫସଲହାନୀ ଘଟିଛି । ବନ୍ୟାଞ୍ଚଳରେ କୁମ୍ଭୀର ଭୟ ଲାଗି ରହିଛି । ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଓ ପୌରାଞ୍ଚଳର ୧୧ଟି ୱାର୍ଡର ହଜାର ହଜାର ଏକର ଜମି ଜଳମଗ୍ନ ହୋଇରହିଛି । ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଂଚାୟତର ସିଂହଗାଁ, କୃଷ୍ଣଦାସପୁର ରାଉଳିଆଡିଆ, ପାଣିସାଉଁଳିଆ ଆଦି ଜଳମଗ୍ନ ହୋଇ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି । ଅଳପୁଆ ପଂଚାୟତ ଗୋଜିଆକଣ, ବିଲମଳିକସାହି, ବେହେରାସାହି, ମିଶ୍ରବାଗ, ସେଠୀସାହି, ଜେନାସାହି, ପାହାନ୍ତାସିଂହ ସାହି,ତରଡ଼ିପାଳ ପଂଚାୟତରପୋଖରୀକୂଳ,ଗୋପାଳପୁର, ଜେନାସାହି, ବିଶ୍ୱାଳ ସାହି, ନାଥସାହି, ମଳିକସାହି,ଘାଗରାଡିଆ ପେଣ୍ଠପାଳ ପଂଚାୟତର କୂଳସାହି, କୋଳଥିଆ, ବାଲିକିରା,ଦାଣ୍ଡିସାହି ଦାଣ୍ଡିସାହି,ଅଣ୍ଢରା ପଂଚାୟତର ବ୍ରହ୍ମପୁର,ବିଷ୍ଣୁପୁର, ବ୍ରାହ୍ମଣସାହି, ଦାଣ୍ଡିଉପର, ଅମୃତମଣୋହି ପଂଚାୟତର ନୂଆଡିଆ,ଜଗନ୍ନାଥ ପୁର, ଶାନ୍ତିପଡା, ସିଦ୍ଧବାଲି, ବଲୁରିଆ ପଂଚାୟତର ଫୁଲପାଟଣା ଆଦି ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇରହିଛି । ପେଣ୍ଠପାଳ ପଂଚାୟତ କୋଳଥିଆ ଜେନାସାହି ନିକଟରେ ଆର ଡି ରାସ୍ତା୫୦ ଫୁଟ ଘାଇ ହୋଇ ବନ୍ୟା ସୁଅ ଛୁଟିବା ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହୋଇଛି ।ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର, ଡାମରପୁର, ନୀଳକଣ୍ଠପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର ଶାସନ ଆଦି ପଂଚାୟତର ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇରହିଛି । ପଟ୍ଟାମୁଣ୍ଡାଇ ଜଳ ସମ୍ପଦ ବିଭାଗ ସହକାରୀଯନ୍ତ୍ରୀ ଇଂ ମନୋରଞ୍ଜନ ସାହୁ ଦୁର୍ବଳ ନଦୀ ବନ୍ଧ ସ୍ଥାନରେ ବାଲି ବସ୍ତା ପକାଇ ବନ୍ୟା ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକରେ ପୁନଃରାୟ ଦେଖା ଦେଇଥିବା ବନ୍ୟା ପରିସ୍ଥିତି ସଫଳ ମୁକାବିଲା ପାଇଁ ବ୍ଲକ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ କରାଯାଇ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବାଲିପଡ଼ା, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା, କଷଣଅଣ୍ଟା, ନୂଆଗାଁ, କାକୁଡିପଲ୍ଲୀ, ତନୁପୁର, ନନ୍ଦିନୀନଗର, ଷଣ୍ଢପଲ୍ଲୀ, ଅଳଭା ଆଦି ବିଭିନ୍ନ ଗ୍ରାମ ଓ ୧୧ଟି ୱାର୍ଡ ଜଳମଗ୍ନ ହୋଇପଡିବା ସହିତ ଶହ ଶହ ଏକର ଚାଷଜମି ମଧ୍ୟ ବୁଡି ରହିଛି । କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚକ କେତେକ ବନ୍ୟା ବିପନ୍ନ ଅଂଚଳ ପରିଦର୍ଶନ କରିଥିବା ଜଣାପଡିଛି । ପଟ୍ଟାମୁଣ୍ଡାଇ ଅଂଚଳରେ ବନ୍ୟା ସ୍ଥିତିରେ ସୁଧାର ଆସୁଥିଲେ ମଧ୍ୟ ତୁହାକୁ ତୁହା ବର୍ଷା ଯୋଗୁଁ ବିପନ୍ନମାନଙ୍କ ଦୁର୍ଦଶା ବୃଦ୍ଧି ପାଇଛି ।










