ବ୍ୟାପକ ବୃକ୍ଷରୋପଣ ବାତ୍ୟା ଉତ୍ପନ୍ନରେ କିଛିଟା ଲଗାମ ଦେଇପାରିବା


ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ । ସାଧାରଣତ ଏଠାରେ ଖରିଫ ଚାଷ ଶତ ପ୍ରତିଷତ ଜମିରେ କରାଯାଏ । ଅକ୍ଟୋବର ସମୟରେ ଏହି ଧାନରେ କେଣ୍ଡା ବାହାରି, ଧାନ ହାଟ କରୁଥାଏ । ମାତ୍ର ଗତ ଦୁଇ ଦଶଧି ଧରି ଅକ୍ଟୋବର ମାସ ଆସିଲେ ଉପକୂଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଠି ହୁଏ ।ଏହାର ପ୍ରମୁଖ କାରଣ ହେଉଛି ସାମୁଦ୍ରିକ ଝଡ । ଏହି ଅକ୍ଟୋବର ବାତ୍ୟା ଧାନ କେଣ୍ଡାକୁ ଝାଡିଦେଇ ଚାଷୀକୁ ଉପାୟଶୂନ୍ୟ କରିପକାଏ । ଯେପରି ଚଳିତ ବର୍ଷ ମୋନ୍ଥା ନାମକ ବାତ୍ୟା ଆସିଲା । ଚାଷୀ କୂଳ ହାତାସ ହୋଇପଡିଲେ । ହେଲେ ତାହାର ପ୍ରଭାବ ଉପକୂଳରେ ନପଡିବାରୁ ଚାଷୀ ରାହତ ମାରିଲେ ।
ଅତୀତରେ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଅକ୍ଟୋବର ମାସରେ ଅଧିକ ଥର ବାତ୍ୟା ହୋଇଛି। ୧୮୯୧ରୁ ୨୦୦୦– ୧୦୯ ବର୍ଷରେ ରାଜ୍ୟରେ ୯୮ ଥର ବାତ୍ୟା ହୋଇଥିବା ବେଳେ ୨୦୧୩ ଅକ୍ଟୋବର ୧୨ରେ ଓଡ଼ିଶା ଦେଖିଥିଲା ସାମୁଦ୍ରିକ ଝଡ ଫାଇଲିନର । ୨୦୧୪ ଅକ୍ଟୋବର ୧୨ ତାରିଖରେ ହୁଡହୁଡ ବାତ୍ୟା ବିଶାଖାପାଟନମରେ ସ୍ଥଳଭାଗ ଛୁଇଁଥିଲା କିନ୍ତୁ ଓଡ଼ିଶାରେ ପ୍ରଭାବ ରହିଥିଲା ।୨୦୧୮ ଅକ୍ଟୋବର ୧୧ରେ ତିତଲି ବାତ୍ୟା ଆସିଥିଲା । ଆନ୍ଧ୍ରର ପଲାସାରେ ଏହା ଲ୍ୟାଣ୍ଡଫଲ କରିଥିଲା । ଏତେଟା ବଡ ଧରଣର ପ୍ରଭାବ ଓଡ଼ିଶାରେ ପଡିନଥିଲା । ୨୦୨୪ ଅକ୍ଟୋବରରେ ଓଡ଼ିଶା ଉପକୂଳକୁ ଛୁଇଁଥିଲା ବାତ୍ୟା ଦାନା । ତାହା ତାଳଚୁଆ ହେନ୍ତାଣ ବଣ ନିକଟେରେ ସ୍ଥ୍‌ଳଭାଗ ଛୁଇଁ ଥିଲା । ମାତ୍ର ସେପରି କିଛି କ୍ଷତି କରିପାରିନଥିଲା । ସେହିଭଳି ଚଳିତ ବର୍ଷ ଆସିଲା ମୋନ୍ଥା ଯିଏ ଆନ୍ଧ୍ର ପ୍ରଦେଶ ସ୍ଥଳଭାଗ ଛୁଇଁଛି । ଚଳିତବର୍ଷ ଅକ୍ଟୋବର ୨୮ରେ ସାମୁଦ୍ରିକ ଝଡ ‘ମୋନ୍ଥା’ ପ୍ରଭାବରେ ଧାନଚାଷର କ୍ଷତି କରି ନ ଥିଲା। ଏ ବଡ଼ ବାତ୍ୟା ସାଙ୍ଗକୁ ଅନେକ ଛୋଟ ବାତ୍ୟା ସେ ସମୟରେ ଉତ୍ପନ୍ନ ହୋଇଥିଲା ଅକ୍ଟୋବର ମାସରେ। ସେସବୁ ସ୍ଥଳଭାଗ ଛୁଇଁବା ଆଗରୁ ସମୁଦ୍ରରେ ଲୀନ ହୋଇଯାଇଥିଲା । ଅକ୍ଟୋବର ପୂର୍ବରୁ ଓ ପରେ କେତେକ ବାତ୍ୟା ହୋଇଥିଲେ ମଧ୍ୟ ସେ ସବୁ ଧାନ ଉତ୍ପାଦନରେ ବିଶେଷ କ୍ଷତି ଘଟାଇ ନ ଥିଲେ।
ଏଠି ମନରେ ପ୍ରଶ୍ନ ଆସେ ଏ ବାତ୍ୟା ଉପରେ ଲଗାମ ଦେଇ ହେବ ନା ନାହିଁ – କିନ୍ତୁ ପ୍ରାକୃତିକ ପ୍ରକ୍ରିୟା ସାଙ୍ଗକୁ ମନୁଷ୍ୟ ଦ୍ୱାରା କରାଯାଉଥିବା ପରିବେଶ ଅବକ୍ଷୟ ବାତ୍ୟା ସୃଷ୍ଟି କରୁଛି। ପ୍ରାକୃତିକ ପ୍ରକ୍ରିୟାଗୁଡିକ ହେଲା ପୃଥିବୀର ଘୂର୍ଣ୍ଣନ, ସାମୁଦ୍ରିକ ସ୍ରୋତ ଏଲ୍‌ନିନୋ ଓ ସୂର୍ଯ୍ୟରଶ୍ମି ଦ୍ୱାରା ପୃଥିବୀର ବିଭିନ୍ନ ଅଞ୍ଚଳରେ ତାପମାନରେ ତାରତମ୍ୟ । ବିଷୁବମଣ୍ଡଳୀୟ ଅଞ୍ଚଳରେ ତାପମାନ ୫୦ ଡିଗ୍ରୀ ସେଲ୍‌ସିୟସ ବେଳେ ମେରୁ ଅଞ୍ଚଳରେ ତାପମାନ ଶୂନ୍ୟ ବା ବିଯୁକ୍ତ ଡିଗ୍ରୀ । ମନୁଷ୍ୟକୃତ ବାୟୁମଣ୍ଡଳୀୟ ଉତ୍ତାପ ବୃଦ୍ଧି ଘନଘନଝଡବାତ୍ୟା ସୃଷ୍ଟିର ପ୍ରମୁଖ କାରଣ ହେଉଛି । ।
ଉତ୍ତାପ ବୃଦ୍ଧି କରୁଥିବା ଗ୍ୟାସ ହେଲା ଅଙ୍ଗାରକାମ୍ଳ, ମିଥେନ, ନାଇଟ୍ରସ ଅକ୍ସାଇଡ ଇତ୍ୟାଦି। ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ ତଥ୍ୟରୁ ଜଣାଯାଇଛି ଯେ, ୧୯୭୦-୭୧ ମସିହା ବେଳକୁ ହିମାଚଳପ୍ରଦେଶର ସର୍ବୋଚ୍ଚ ତାପମାତ୍ରା ୨୮.୫ ଡିଗ୍ରୀ ସେଲ୍‌ସିୟସ ଥିବାବେଳେ ୨୦୧୪– ୧୫ ମସିହାରେ ଏହା ୩୩.୭ ଡିଗ୍ରୀ ସେଲ୍ସିୟସକୁ ବୃଦ୍ଧି ପାଇଥିଲା। ୨୦୦୧ରେ ସିମଲାର ସର୍ବୋଚ୍ଚ ତାପମାତ୍ରା ୨୨.୮ ଡିଗ୍ରୀ ଥିଲାବେଳେ ୨୦୧୨ ଜୁନ୍‌ରେ ଏହା ୩୦ ଡିଗ୍ରୀ ସେଲ୍ସିୟସ ହୋଇଥିଲା। ତାପମାତ୍ରା ବୃଦ୍ଧିର ମୁଖ୍ୟ କାରଣ ହେଉଛି ବାୟୁରେ ଅଙ୍ଗାରକାମ୍ଳ ଭାଗ ବୃଦ୍ଧି । ଏକ ଅନ୍ତର୍ଦେଶୀୟ ସଂଗଠନ ରିପୋର୍ଟ ଅନୁସାରେ ପୃଥିବୀରୁ ବାର୍ଷିକ ମୁଣ୍ଡପିଛା ଅଙ୍ଗାରକାମ୍ଳ ନିର୍ଗମନକୁ ୨-୩ ଟନ୍‌ରେ ସୀମିତ ରଖିଲେ, ବାୟୁମଣ୍ଡଳୀୟ ଉତ୍ତାପ ବୃଦ୍ଧିରେ ଲଗାମ ଦେଇ ହୁଅନ୍ତା । କିନ୍ତୁ ନିର୍ଗମନ ହେଉଛି ମୁଣ୍ଡ ପିଛା ୪.୮ ଟନ୍ ବୋଲି ୨୦୧୫ରେ ଆକଳନ କରାଯାଇଥିଲା।
ଭୁବନେଶ୍ୱରରୁ ମୁଣ୍ଡ ପିଛା ଦୈନିକ ୪ କିଲୋଗ୍ରାମ୍ ଅଙ୍ଗାରକାମ୍ଳ ନିର୍ଗମନ ହେଉଥିବାର ଖବର ୨୦୦୮ରେ ପ୍ରକାଶ ପାଇଥିଲା। ଶିଳ୍ପ ବିପ୍ଳବ ପୂର୍ବରୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଭାଗ ୨୦ ନିୟୁତାଂଶ ଥିବାବେଳେ ଏହା ଏବେ ୪୦୦ ନିୟୁତାଂଶ ହେବାକୁ ଯାଉଛି। ଯାନବାହନ, ବିଜୁଳିଶକ୍ତି ଓ ଇଣ୍ଟରନେଟ୍ ବ୍ୟବହାର ବଢିବାକୁ ତାଳଦେଇ ଅଙ୍ଗାରକାମ୍ଳ ନିର୍ଗମନ ବଢି ବଢି ଚାଲିଛି। ଏସବୁର ବହୁଳ ଅପବ୍ୟବହାରରେ ଲଗାମ ଦେଲେ ଅଙ୍ଗାରକାମ୍ଳ ନିର୍ଗମନ କମାଯାଇପାରିବା। ବାୟୁରେ ଅଙ୍ଗାରକାମ୍ଳ ଭାଗ କମାଇବାର ସହଜ ଉପାୟ ହେଲା ବ୍ୟାପକ ବୃକ୍ଷରୋପଣ। ଏସବୁ ପ୍ରତି ଆମର ନିଘା ରହିଲେ ଘନ ଘନ ବାତ୍ୟା ଉତ୍ପନ୍ନରେ କିଛିଟା ଲଗାମ ଦେଇପାରିବା ।

ବାତ୍ୟା ଉତ୍ପନ୍ନ ହୁଏ କିପରି।
ସମୁଦ୍ର ଉପରିସ୍ଥ ଜଳର ଉତ୍ତାପ ବଢିଲେ ସମୁଦ୍ର ଅଶାନ୍ତ ହୁଏ। ସମୁଦ୍ର ବକ୍ଷ ଆନ୍ଦୋଳିତ ହୋଇ ବାତ୍ୟା ସୃଷ୍ଟି ହୁଏ। ଜଳରେ ଅମ୍ଳଜାନ ଦ୍ରବୀଭୂତ ହୋଇ ଥିବାରୁ ସେଥିରେ ମାଛ, କଙ୍କଡା, ଅନ୍ୟ ଜୀବ ଓ ଜଳଜ ଉଭିଦ ବଞ୍ଚି ରହନ୍ତି। ସାଧାରଣତଃ ଏକ ଲିଟର ଜଳରେ ପାଖାପାଖୁ ୮ ମିଲିଗ୍ରାମ୍ ଅମ୍ଳଜାନ ଦ୍ରବୀଭୂତ ହୋଇଥାଏ। ସମୁଦ୍ର ଉପରିସ୍ଥ ଜଳର ଉତ୍ତାପ ବଢିଲେ ଦ୍ରବୀଭୂତ ଅମ୍ଳଜାନର ଭାଗ କମିଯାଏ। ଏ ଭାଗ ୨ ପ୍ରତିଶତ କମିଲେ ବାତ୍ୟା ସୃଷ୍ଟି ହୁଏ। ସମୁଦ୍ର ଉପରିସ୍ଥ ବାୟୁ ସୂର୍ଯ୍ୟରଶ୍ମିରେ ଉତ୍ତପ୍ତ ହେଲେ ତାହା ଜଳକଣା ଧରି ଊର୍ଷକୁ ଉଠେ। ବାୟୁର ସେ ଜାଗା ପୂରଣ କରିବାକୁ ଆଖପାଖ ଶୀତଳ ବାୟୁ ସେଠାକୁ ପ୍ରବାହିତ ହୁଏ। ବାୟୁ ଯେତେ ଅଧିକ ଉତ୍ତପ୍ତ ହେବ, ଏ ପ୍ରକ୍ରିୟା ସେତେ ତ୍ୱରାନ୍ୱିତ ହେବ ଓ ଜଳୀୟ ବାଷ୍ପର ଘନତ୍ୱ ସେତେ ବୃଦ୍ଧି ପାଇବ। ପୃଥିବୀର ଘୂର୍ଣ୍ଣନ ପ୍ରକ୍ରିୟା ଯୋଗୁ ଏ ଉର୍ଦ୍ଧ୍ୱଗାମୀ ଜଳୀୟ ବାଷ୍ପ ଗତିଶୀଳ ହୋଇ ଝଡ଼ ସୃଷ୍ଟି କରେ। ଏ ଝଡ଼ର ବେଗ ନିର୍ଭର କରେ ସମୁଦ୍ର ଜଳର ଉତ୍ତାପ ଓ ସ୍ଥଳଭାଗ ଉତ୍ତାପର ତାରତମ୍ୟ ଉପରେ। ଗ୍ରୀଷ୍ମମଣ୍ଡଳୀୟ ସମୁଦ୍ର ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରର ଜଳ ସୂର୍ଯ୍ୟଙ୍କ ରଶ୍ମିରେ ଅଧିକ ଉତ୍ତପ୍ତ ହୁଏ। ଆରବ ସାଗର ତୁଳନାରେ ବଙ୍ଗୋପସାଗର ଜଳ ଅଧିକ ଉତ୍ତପ୍ତ ହୁଏ। ଫଳରେ ଆମ ପୂର୍ବ ଉପକୂଳ ଅଧିକ ବାତ୍ୟାପ୍ରବଣ। ଯେତେବେଳେ ଜଳ ଉପରିସ୍ଥ ଉତ୍ତାପ ପାଖାପାଖୁ ୨୯ ଡିଗ୍ରୀ ଓ ୧୫୦ ଫୁଟ ତଳେ ଜଳର ଉତ୍ତାପ ୨୬ ଡିଗ୍ରୀ ସେଲ୍ସିୟସ ଛୁଏଁ ସେତେବେଳେ ସମୁଦ୍ରବକ୍ଷରେ ବଡ଼ ବାତ୍ୟା ଉତ୍ପନ୍ନ ହୁଏ ବୋଲି କୁହାଯାଉଛି।
ଏବେ ଆଲୋଚନା କରିବା ଅକ୍ଟୋବର ମାସରେ ବାତ୍ୟାକୁ ଏତେ ଭୟ କାହିଁକି। ପୂର୍ବରୁ କୁହାଯାଇଛି ଯେ କମ୍ ଉତ୍ତପ୍ତ ସ୍ଥଳଭାଗ ଓ ଅଧିକ ଉତ୍ତପ୍ତ ଜଳଭାଗ ବାତ୍ୟା ଉତ୍ପନ୍ନର କାରଣ। ଏପରି ପରିସ୍ଥିତି ସୃଷ୍ଟି ହୁଏ ମୌସୁମୀ ପ୍ରବାହ ପରେ ପରେ, ଅକ୍ଟୋବର ଓ ପର ମାସରେ ମଧ୍ୟ। ଏ ସମୟ ବାତ୍ୟା ପାଇଁ ଅନୁକୂଳ। ୧୯୯୯ରେ ଦୁଇଟି ବାତ୍ୟା ଅକ୍ଟୋବରରେ ଆସିଥିଲା। ୨୯ ତାରିଖରେ ଘଟିଥିବା ମହାବାତ୍ୟା ପୂର୍ବରୁ ୧୮ ତାରିଖରେ ଗଞ୍ଜାମ ଉପକୂଳରେ ବାତ୍ୟା ଦେଖା ଦେଇଥିଲା। ମହାବାତ୍ୟାରେ ୧୦ ହଜାର ପର୍ଯ୍ୟନ୍ତ ଲୋକ ଓ ଅଜସ୍ର ଗୃହପାଳିତ ପ୍ରାଣୀଙ୍କର ମୃତ୍ୟୁ ଘଟିଥିଲା। ସମୁଦ୍ରରୁ ୧୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ତରଙ୍ଗ ଉପକୂଳ ଅଞ୍ଚଳକୁ ମାଡି ଆସିଥିଲା। ଜାତିସଂଘ ଇତିହାସ କହେ, ଏ ମହାବାତ୍ୟା ସେ ସମୟରେ ବିଶ୍ୱରଏକ ବଡ ବିପର୍ଯ୍ୟୟ ଥିଲା।


Next Post

ଗୋ ନବରାତ୍ର ମହୋତ୍ସବ ପାଳନ

Thu Oct 30 , 2025
କେନ୍ଦ୍ରାପଡା ୩୦/୧୦- ଗୁଣ୍ଡିଚା ମନ୍ଦିର ସନ୍ନିକଟ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବସନ୍ତ ବଗିଚାରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଗୋତିର୍ଥରେ ଗୋ ନବରାତ୍ର ମହୋତ୍ସବ ପାଳନ ଶୁଭାରମ୍ଭ ହୋଇଅଛି। ଏହି ଉପାସନାତ୍ମକ ଉତ୍ସବ ୨୨ ଅକ୍ଟୋବର ଠାରୁ ୩୧ ଅକ୍ଟୋବର ପାଳନ କରାଯାଉଅଛି। ସିଦ୍ଧ କ୍ରିୟାୟୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ମାର୍ଗଦର୍ଶନରେ ଗୁରୁ ଗୋବିନ୍ଦ ଗୋ ସେବାଶ୍ରମ ଆନୁକୁଲ୍ୟରେ ସ୍ଥାନୀୟ ଗୋଭକ୍ତ ମାନଙ୍କ ଦ୍ୱାରା ଏହି ଗୋ ନବରାତ୍ର […]

KANIKA