ବୈଠକ ଓ ଭାଷଣ ବାଜୀରେ ଚାଲିଛି ପୌରପାଳିକା , ପୌରାଂଚଳବସୀ ମୌଳିକ ସୁବିଧାରୁ ବଂଚିତ



 
ପଟ୍ଟାମୁଣ୍ଡାଇ ୯/୪ – ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ପରିମଳ ଓ ବର୍ଯ୍ୟବସ୍ତୁ ପରିଚାଳନା,ଭିତିିଭୂମି ବିକାଶ ଓ ଜନସ୍ୱାସ୍ଥ୍ୟ ନେଇ ବିଭିନ୍ନ ସମୟରେ ବୈଠକ ହେଉଛି । ବୈଠକରେ ଜନକଲ୍ୟାଣ ଯୋଜନା ଓ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଲମ୍ବା ଲମ୍ବା ଭାଷଣ ଦିଆଯାଉଛି । ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରଶାରଣ ହେଉଛି । ହେଲେ ସହରର ବିକାଶମୂଳକ କାର୍ଯ୍ୟ, ପରିମଳ ବ୍ୟବସ୍ଥା, ରାସ୍ତାଘାଟ, ପାନୀୟ ଜଳ ଯୋଗାଣ, ଏବଂ ଆଲୋକୀକରଣ ଜନସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେପରି ଉନ୍ନତି ପରିଲକ୍ଷିତ ହୋଇନାହିଁ । ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ପୌର କର୍ତୃପକ୍ଷ ଦୃଷ୍ଟି ଦେଇନାହାନ୍ତି। ଫଳରେ ପୌରାଂଚଳବାସୀ ମୌଳିକ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ସହରର ଜନସଂଖ୍ୟା, ପରିବାର ଓ ଘରସଂଖ୍ୟା ବହୁ ପରିମାଣରେ ବଢି ଥିଲେ ସୁଦ୍ଧା ହୋଲ୍ଡିଂ ଟିକସ କମି ଯାଉଥିବାରୁ ଏଥିରେ ଦୁର୍ନିତିର ତିବ୍ର ଗନ୍ଧ ଆସୁଛି ।ରାଜ୍ୟ ସରକାର ଓ ଜିଲା ପ୍ରଶାସନ ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୁର୍ନୀତିଖୋର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳବାସୀ ଦାବି କରିଛନ୍ତି।


ସାମାଜିକାକର୍ମୀ ଅନନ୍ତ ଦାଶ କୁହନ୍ତି ପଟ୍ଟାମୁଣ୍ଡାଇ ସହର ସଫେଇ, ନାଳ ନର୍ଦ୍ଦମା ଓ ଆବର୍ଜନା ପରିଚାଳନାରେ ଘୋର ଅବହେଳା ପରିଲକ୍ଷିତ ହେଉଛି । ବ୍ଲିଚିଂ, ମଶା ତେଲ ନିୟମିତ ପକାଯାଉଥିବା ରିପୋର୍ଟ କରାଯାଉଥିଲେ ହେଁ ସହର ମଧ୍ୟରେ ମଶାର ପ୍ରାଦୁର୍ଭାବ ବଢି ବଢି ଚାଲିଛି । ବନ୍ଧ ପୋଖରୀକୁ ସଫା ରଖିବା ପରିବର୍ତେ ଆବର୍ଜନା କୁଣ୍ଡରେ ପରିଣତ ହୋଇପଡିଛିା ସହର ମଧ୍ୟରେ ଥିବା ପୋଖରୀ ଗୁଡିକରେ ପାଣି ମଣିଷ ବ୍ୟବହାର ଉପେଯାଗୀ ନାହିଁ । ପଟ୍ଟାମୁଣ୍ଡାଇର କଚେରୀ ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ୨୦୧୯ରେ ଦେଢକୋଟି ବ୍ୟୟରେ ଆରମ୍ଭ ହୋଇଥିଲେ ହେଁ ଅଦ୍ୟାବଧି ଅଧାପନ୍ତରିଆ ଓ ଅବହେଳିତ ହୋଇ କଚରା ଓ ଅପରିଷ୍କାର ହୋଇରହିଛି । ପୌରାଂଚଳ କର୍ତୃପକ୍ଷ ତଥା ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ କାର୍ଯ୍ୟ ହେରଫେର ଅଭିଯୋଗ ହେଉଛି ।


ବୁଦ୍ଧିଜିବୀ ଅଶୋକ ଲେଙ୍କା କୁହନ୍ତି ପଟ୍ଟାମୁଣ୍ଡାଇ ଫରାଂଚଳରେ ରାସ୍ତାର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଖାଲଖମାରେ ପାଣି ଜମିବା ଏବଂ ରକ୍ଷଣାବେକ୍ଷଣର ଅଭାବରୁ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି। ଯାହା ଦୁର୍ଘଟଣାର ଆଶଙ୍କା ବଢାଉଛି। ରାସ୍ତା ନିର୍ମାଣ ଓ ମରାମତିରେ ନିମ୍ନମାନର ସାମଗ୍ରୀ ବ୍ୟବହାର ଯୋଗୁଁ ରାସ୍ତା ଶୀଘ୍ର ଭାଙ୍ଗି ଯାଉଛି। କର୍ତୃପକ୍ଷଙ୍କ ଅବହେଳା ଯୋଗୁଁ ରାସ୍ତାର ରକ୍ଷଣାବେକ୍ଷଣ ସଠିକ ସମୟରେ ହେଉନାହିଁ। ସହରର ବିଭିନ୍ନ ରାସ୍ତାରେ ଗୃହନିର୍ମାଣ ସାମଗ୍ରୀ ଅବ୍ୟବସ୍ଥିତ ରୁପେ ରଖାଯାଇ ଟ୍ରାଫିକ ସମସ୍ୟା ଉପୁଜୁଛି । ସେ ଉପରେ ଲୋକଙ୍କୁ ଜରିମାନା କି ସଚେତନ କରାଯାଉ ନାହିଁ ।

ପୌରାଂଚଳବାସୀ ପ୍ରଦିପ ସାମନ୍ତରାୟ, ତପନ ମହାନ୍ତି, ଜୟଦେବ ଗିରି ପ୍ରମୁଖ କୁହନ୍ତି ସହର ସୌନ୍ଦର୍ଯ୍ୟକରଣ ନାମରେ ଆହାର କେନ୍ଦ୍ର ନିକଟରେ ଭେଜିଟେବୁଲ ଓ ଆମିଷ ମାର୍କେଟ ହେବାକୁ ଥିବା ବେଳେ ତାହାର କାର୍ଯ୍ୟ ଆରମ୍ଭ ହୋଇନାହିଁ। ବ୍ୟସ୍ତବହୁଳ ବାଇପାସ ରାସ୍ତାରେ ହାଟ ଚାଲିଛିି। ଯାହାକୁ ନେଇ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ୧ କୋଟି ଟଙ୍କା ବ୍ୟୟରେ ମଲ୍ଟି ଷ୍ଟୋରେଜ ମାର୍କେଟ କମ୍ପେ୍ଲକ୍ସ ଓ ଯଜ୍ଞ ପଡ଼ିଆର ଉନ୍ନତୀକରଣ କାର୍ଯ୍ୟର ୨୦୧୯ରେ ଶୁଭ ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା କାର୍ଯ୍ୟ ଆରମ୍ଭ ହୋଇନାହିଁ। ୧ କୋଟି ୫୧ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟରେ ୨୦ଟି ଇକୋ ଟଏଲେଟ ନିର୍ମାଣ କରାଯାଇଥିଲେ ହେଁ ୬ବର୍ଷ ହେଲା ବନ୍ଦ ପଡ଼ିଛି। ସେହିପରି ୨୦୨୨ରେ ମୁକ୍ତା ଯୋଜନାରେ ୨୦ଟି ୱାର୍ଡର ସବୁ ଛକରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ତାହା କର୍ଯ୍ୟକାରୀ ନହୋଇ ଅଳିଆ ରହୁଛି।ଗୋରୁଗୁଡ଼ିକ ରାସ୍ତାରେ ମେଳିବାନ୍ଧି ଛିଡାହୋଇ ରହୁଥିବାରୁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଡ୍ରେନେଜ୍ ସମସ୍ୟା ଲାଗିରହିଥିବା ବେଳେ ପ୍ରତିବର୍ଷ ନିର୍ମାଣ ନାମରେ ବ୍ୟାପକ ଅର୍ଥ ବାଟମାରଣା ହେଉଛି। କେତେଜଣ ବ୍ୟବସାୟୀ ଦୋକାନ ଗୃହ ମଡେଇ କରିଥିବାରୁ ରାସ୍ତା ସଙ୍କୁଚିତ ହୋଇ ଦୁର୍ଘଟଣା ଘଟି ଲୋକେ ଆହତ ହେଉଛନ୍ତି । ଯାହାକୁ ନେଇ ପୌରାଂଚଳବାସୀଙ୍କ ସମେତ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି।

ଏନେଇ ପୌରନିର୍ବାହୀ ଅଧିକାରୀ ରଞ୍ଜନ ଦାଶ କୁହନ୍ତି କଚେରୀ ପୋଖରୀ ପାଶ୍ୱ ଜବର ଦଖଲ ନେଇ ହାଇକୋଟରେ ଡବ୍ଲୁପିସି ନଂ ୨୦୯୭୮/୨୦୨୪ରେ କେସ ଚାଲିଛି । ଗୋଷ୍ଠୀଶୌଚାଳୟ ବନ୍ଦ ରହିଥିବାରୁ ଖରାପ ହୋଇଯାଇଥିଲା । ସଂପ୍ରତି ମରାମତି କାର୍ଯ୍ୟ ଚାଲିଛି ପରେ ବ୍ୟବହାର ଉପଯୋଗୀ ହେବ । ଅନ୍ୟପକ୍ଷରେ ମଶା ମରା ଧୂଆଁ ଗାଡି ଗଲେ ସ୍ଥାନୀୟ ଲୋକେ ପଦୁଷଣ ବଢିବା ନେଇ ଅଭିଯୋଗ କରୁଛନ୍ତି । ଯାହାକୁ ନେଇ ମଶା ଧୁଆଁ ବନ୍ଦ କରାଯାଇଛି ।


Leave a Reply

Your email address will not be published. Required fields are marked *