
କେନ୍ଦ୍ରାପଡ଼ା ୨୩ /୦୪: କେନ୍ଦ୍ରାପଡ଼ା ଶିକ୍ଷା ଜିଲ୍ଲା ଅନ୍ତର୍ଗତ ବତୀଘର ଗ୍ରାମ ପଞ୍ଚାୟତ ସ୍ଥିତ ଜ୍ଞାନମୟୀ ଉଚ୍ଚ ବିଦ୍ୟାଳୟର ବରକୋଳିଖୋଳା ପରିସରରେ ସେବା ନିବୃତ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ଅଭୟ କୁମାର ଦାସଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଧରଣୀଧର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାକାଳପଡ଼ା ବ୍ଲକ ନୋଡାଲ ପ୍ରଧାନ ଶିକ୍ଷକ ରଘୁନାଥ ଦାସ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉତ୍ସବ ଉଦଘାଟନ କରିଥିଲେ। ଶିକ୍ଷାବିତ୍ ଅଶୋକ କୁମାର ଓଝା ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶିବାନୀ ବିଜୁଳି, ସମିତି ସଭ୍ୟ କୃଷ୍ଣପଦ ମଣ୍ଡଳ, ରାମନଗର ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାମଲ, ଲାଇଟ୍ ହାଉସ୍ ହେଡକିପର ଜୟନ୍ତ ଚାଟାର୍ଜୀ, ଜିଲ୍ଲା ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ସମ୍ପାଦକ ବଙ୍କିମ ବିହାରୀ ମହାନ୍ତି, ଶିକ୍ଷକ ପବିତ୍ର କୁମାର ମାହୁନ୍ତ ଏବଂ ସମାଜସେବୀ ଅକ୍ଷୟ କୁମାର ତରାଇ ଆଦି ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷକଙ୍କ ଆଦର୍ଶ ସେବା ଜୀବନ ଉପରେ ଆଲୋକପାତ କରିଥିଲେ। ଜଣେ ଆଦର୍ଶ ଛାତ୍ରବତ୍ସଳ ପ୍ରଧାନ ଶିକ୍ଷକ ଭାବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଛତିଶି ବର୍ଷ ଧରି ଶିକ୍ଷକତା କରି ସୁନାମ ଅର୍ଜନ କରିଥିବା ବିଦାୟୀ ଗୁରୁ ଅଭୟ କୁମାର ଦାସଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଗ୍ରାମ ପଞ୍ଚାୟତ, ବିଭିନ୍ନ ଶିକ୍ଷକ ସଂଘ, ମହାକାଳପଡ଼ା ବିକାଶ ମଞ୍ଚ ଏବଂ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ରାଜଶ୍ରୀ ପରିବାର ତରଫରୁ ଅଙ୍ଗବସ୍ତ୍ର, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏତଦବ୍ୟତୀତ ବିଦ୍ୟାଳୟର ପୁରାତନ ବିଦାୟୀ ଶିକ୍ଷକ ଅଭୟ କୁମାର ନାୟକ, ଅଜାମିଳ ବେହେରା, ଅଜୟ କୁମାର ଚୌଧୁରୀ ହିମାଂଶୁ ଶେଖର ଦାସ ଏବଂ ପବିତ୍ର କୁମାର ରାଉତଙ୍କ ସମେତ ଛ ଜଣ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ପୁରାତନ ଛାତ୍ରଛାତ୍ରୀ ମାନେ ଯଥୋଚିତ ସମ୍ମାନିତ କରିଥିଲେ। ଇତ୍ୟବସରରେ ମହାକାଳପଡ଼ା ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ବିଶିଷ୍ଟ ପରିବେଶବିତ୍ କାଶୀନାଥ ରାଉତରାୟ ଏବଂ ମଞ୍ଚର ଉପଦେଷ୍ଟା ତଥା ରାଜଶ୍ରୀର ସମ୍ପାଦକ ଆଶୁ କବି ହେମନ୍ତ ଜେନା ମଞ୍ଚ ପକ୍ଷରୁ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ମାନପତ୍ର , ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ପୁରାତନ ଛାତ୍ର ଗୁରୁପଦ ବାରିକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ଗୁରୁବନ୍ଦନା ଗାନ କରିଥିବା ବେଳେ ଶିକ୍ଷକ ବିଭୁଭୂଷଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ୧୯୮୯ ମସିହାରୁ ୨୦୨୬ ମସିହା ପର୍ଯ୍ୟନ୍ତ ଶିକ୍ଷାଲାଭ କରୁଥିବା ଶତାଧିକ ପୁରାତନ ଛାତ୍ର ଛାତ୍ରୀଙ୍କ ସମେତ ଆଞ୍ଚଳିକ ଜନସାଧାରଣ, ଶିକ୍ଷାବିତ୍ ଏବଂ ବୁଦ୍ଧିଜୀବୀ ମାନେ ଉକ୍ତ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ଗୁରୁ ପରମ୍ପରାର ସୁଦୃଢ଼ ଭତ୍ତିଭୂମି ସ୍ଥାପନ କରିଥିଲେ।










