

କେନ୍ଦ୍ରାପଡ଼ା,୧୩ା୭:ପ୍ରବଳ ବର୍ଷାରେ ଗୁଲନଗର ହାଇସ୍କୁଲ ପରିସର ଉଦବୃତ ଜଳରେ ବୁଡି ରହିଛି।ଫଳରେ ଦୈନିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ବର୍ଷାପାଣି ଭିତରେ ପଶି ଯିବାଆସିବା କରୁଛନ୍ତି। ଏହି ଉଦବୃତ ଜଳ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଫିସ ଘର ଭିତରେ ପଶିଯିବାରୁ ଅଫିସ କାର୍ଯ୍ୟରେ ବାଧା ଉପୁଜିଛି। ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି ରହିଥିବା ବେଳେ ଅଫିସ ଘର ଭିତରେ ମଧ୍ୟ ଏକ ଫୁଟରୁ ଉର୍ଦ୍ଧ୍ୱ ପାଣି ଜମି ରହିଛି। ଛାତ୍ରଛାତ୍ରୀମାନେ ଦୈନିକ ସେହି ପାଣି ଭିତରେ ପଶି ସ୍କୁଲକୁ ଆସିିବା ଓ ଫେରିବା ଯୋଗୁଁ ସେମାନେ ଥଣ୍ଡା, କାଶ ଓ ଜ୍ୱର ପ୍ରଭୃତିରେ ଆକ୍ରାନ୍ତ ହେଉଛନ୍ତି। ଏଥିସହିତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଫିସ ଭିତରେ ଉଦବୃତ ବର୍ଷାଜଳ ପଶିଯିବାରୁ କାର୍ଯ୍ୟରେ ବାଧା ଉପୁଜିବା ସହ କାଗଜପତ୍ର ନଷ୍ଟ ହେବାର ସମ୍ଭାବନା ଦେଖାଦେଇଛି। ଏସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ତରାଇ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି। ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।କିନ୍ତୁ ଏପର୍ଯ୍ୟନ୍ତ ସେହି ସମସ୍ୟାର କୈାଣସି ସମାଧାନ ହୋଇନଥିବା ଜଣାପଡିଛି। ବିଦ୍ୟାଳୟର ପିଲାମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଛାତ୍ରାଭିଭାବକମାନେ ଦାବି କରିଛନ୍ତି।

Leave a Reply