ପଟ୍ଟାମୁଣ୍ଡାଇରେ ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ,ସାମାନ୍ୟ ବର୍ଷା ହେଲେ କଟୁଛି ବିଜୁଳି,ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ


ପଟ୍ଟାମୁଣ୍ଡାଇ ୧୬/୭ -ପଟ୍ଟାମୁଣ୍ଡାଇ ବିଦ୍ୟୁତ ବିଭାଗର କର୍ମଚାରୀ ଓ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପ ଏବଂ ଚରମ ଅବହେଳା ଯୋଗୁଁ ସ୍ଥାନୀୟ ଅଂଚଳରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ଘଂଟା ଘଂଟା ଧରି ବିଦ୍ୟୁତ ସେବା ବନ୍ଦ ରହଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ପାଖ ସାହୁପଡା ଏବଂ ଅଢାଯୋଡି ଷ୍ଟ୍ରକ୍ଚରରେ କୌଣସି ବୈଷୟିକ ସମସ୍ୟା ନଥିବା ବେଳେ ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖ ଅଂଚଳରେ ବାରମ୍ବାର ବିଦ୍ୟୁତ ସେବା ବନ୍ଦ ରହିବାକୁ ନେଇ ଉପଭୋକ୍ତାମାନଙ୍କ ମଧ୍ୟରେ ତୀବ୍ର ଉତେଜନା ଓ ଅସନ୍ତୋଷ ପ୍ରକାଶ ପାଇଛି।
ପଟ୍ଟାମୁଣ୍ଡାଇ ସହର ଓ ଆଖପାଖ ଅଂଚଳରେ ଆକାଶରେ ସାମାନ୍ୟ ମେଘ ଦେଖାଦେଲେ ବା ହାଲୁକା ବର୍ଷା ହେଲେ ତୁରନ୍ତ ବିଦ୍ୟୁତ କାଟ୍ କରିଦିଆଯାଉଛି। ବର୍ଷା ଛାଡିବାର ବହୁ ସମୟ ପରେ ମଧ୍ୟ ବିଦ୍ୟୁତ ସଂଯୋଗ ଦିଆଯାଉ ନାହିଁ। ସଦାବେଳେ କୌଣସି ନା କୌଣସି ବୈଷୟିକ ତ୍ରୁଟି ଦେଖାଦେଉଛି। ପ୍ରାୟ ସମୟରେ ଏଠାରେ ସ୍ପାର୍କିଂ ହେଉଛି । ଏହାର ସ୍ଥାୟୀ ପ୍ରତିକାର ପାଇଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ି । ଅନ୍ୟପକ୍ଷରେ ପାଖ ସାହୁପଡା ଅଢାଜୋରି ଷ୍ଟ୍ରକ୍ଚର ଅଂଚଳରେ ନିରବିଛିନ୍ନ ଭାବେ ବିଦ୍ୟୁତ ଯୋଗାଣ ଚାଲିଛି । ମାତ୍ର ସହରାଂଚଳରେ ଅନେକ ସ୍ଥାନରେ ବାରମ୍ବାର ବିଦ୍ୟୁତ ବନ୍ଦ ହେଉଛି। ବିଦ୍ୟୁତ ବନ୍ଦ ହେବା ଫଳରେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଏବଂ ଦୈନନ୍ଦିନ ଜୀବନ ବିପର୍ଯ୍ୟସ୍ତ ହେଉଛି । ବିଶେଷ କରି ଗରମ ଓ ବର୍ଷା ଋତୁରେ ଏଭଳି ବିଦ୍ୟୁତ ବିଭ୍ରାଟ ଲୋକଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଉଛି। ବିଦ୍ୟୁତ କାଟ ସମ୍ପର୍କରେ ସୂଚନା ପାଇଁ କିମ୍ବା ଅଭିଯୋଗ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ କଲେ ସେମାନେ ଫୋନ୍ ଉଠାଉ ନାହାନ୍ତି। କର୍ମଚାରୀମାନେ ନିଜ ମନମୁଖୀ ଢଙ୍ଗରେ କାର୍ଯ୍ୟ କରୁଥିବା ବେଳେ ଗ୍ରାହକମାନଙ୍କ ସମସ୍ୟା ପ୍ରତି ସମ୍ପୂର୍ଣ୍ଣ ଉଦାସୀନ ରହୁଛନ୍ତି। ଉପଭୋକ୍ତାମାନେ ନିୟମିତ ଭାବେ ବିଜୁଳି ବିଲ୍ ପୈଠ କରୁଥିଲେ ମଧ୍ୟ ସେମାନଙ୍କୁ ସର୍ବନିମ୍ନ ସେବା ମିଳୁନାହିଁ।ଟିକେ ବର୍ଷା ହେଲେ କେଉଁଠି ତାର ଛିଣ୍ଡିଲା ତ ଆଉ କେଉଁଠି ଷ୍ଟ୍ରକଚର ଜଳିଲା ବୋଲି ବାହାନା ଦେଖାଇ ଘଂଟା ଘଂଟା ଅନ୍ଧାରରେ ରଖାଯାଉଛି। ପଟ୍ଟାମୁଣ୍ଡାଇ ବିଦ୍ୟୁତ ବିଭାଗର ଏଭଳି ବେପରୁଆ କାର୍ଯ୍ୟଶୈଳୀ ଯୋଗୁଁ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ଜଳୁଛି। ଯଦି ତୁରନ୍ତ ମରାମତି କରାଯାଇ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦିଆନଯାଏ, ତେବେ ଆଗାମୀ ଦିନରେ ଅଂଚଳବାସୀ ରାଜପଥକୁ ଓହ୍ଲାଇବା ସହ ବିଜୁଳି ଅଫିସ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଏସଡିଓ ସନ୍ତୋଷ କୁମାର ଖୁଂଟିଆଙ୍କୁ ଯୋଗାଯୋଗ କରିବାରୁ ଗତ ଆଠ ଦିନ ହେବ କାର୍ଯ୍ୟରେ ଯୋଗ ଦେଇଛି । ଏପରି ସମସ୍ୟାର ସୁଧାର ଆଣିବାକୁ ଚେଷ୍ଟା କରିବି ।