ଅଳପୁଆ – ବଲୁରିଆ ପୂର୍ତ୍ତ ବିଭାଗ ରାସ୍ତାରେ ରେନକଟ ଯୋଗାଯୋଗ ବିଛିନ୍ନ ସମ୍ଭାବନା!


ପଟ୍ଟାମୁଣ୍ଡାଇ ତା ୨୩/୭- ପଟ୍ଟାମୁଣ୍ଡାଇ (ନରେନ୍ଦ୍ର ଧଳ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ଦେଇ ଯାଇଥିବା ଅଳପୁଆ-ବଲୁରିଆ ପୂର୍ତ୍ତ ବିଭାଗ ରାସ୍ତାରେ ସୃଷ୍ଟି ହୋଇଛି ଗଭୀର ରେନକଟ। ପ୍ରବଳ ବର୍ଷା ଜଳ ଓ ଭାରିଯାନ ଚଳାଚଳ ପ୍ରଭାବରେ ରାସ୍ତାର ମାଟି ଧୋଇଯାଇ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିବାରୁ, ଯେକୌଣସି ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ଦେଖାଦେଇଛି।
ଲଗାଣ ବର୍ଷା ଓ ସୃଷ୍ଟ ବନ୍ୟା ପରିସ୍ଥିତି ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ୍‌ର ଧୋୟାଞ୍ଚଳର ଅଳପୁଆରୁ ବଲୁରିଆକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ (ଚଡଊ) ରାସ୍ତାରେ ବଡବଡ ଗଭୀର ଖାଲଖମା ସୃଷ୍ଟି ହୋଇ ପାଣି ଜମି ରହିଛି । ଫଳରେ ଭାରିଯାନ ଯାତାୟତ ଯୋଗୁ ଗଭୀର ’ରେନକଟ’ (ଜବସଦ୍ଭ ଉଙ୍କଗ୍ଧ ) ମାଟି ଧୋଇ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେବାର ଆଶଙ୍କା ଦେଖାଦେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଉପରେ ଅଳପୁଆ, ବଲୁରିଆ, ଅଣ୍ଢରା, ଅମୃତମଣୋହୀ, ତରଡ଼ିପାଳ ଆଦି ପଞ୍ଚାୟତର ହଜାର ହଜାର ଜନସାଧାରଣ ନିର୍ଭର କରନ୍ତି। ରାସ୍ତାଟି ସମ୍ପୂର୍ଣ୍ଣ କଟିଗଲେ ଏହିସବୁ ଗ୍ରାମଗୁଡ଼ିକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିବେ। ସ୍କୁଲ-କଲେଜ ଛାତ୍ରଛାତ୍ରୀ, ରୋଗୀ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନ ପାଇଁ ସ୍ଥାନୀୟ ଲୋକେ ଗଭୀର ଦୁର୍ଦ୍ଦଶାର ସମ୍ମୁଖୀନ ହେବେ । ଏହି ରାସ୍ତା ଦେଇ ଯାନବାହନ ଚଳାଚଳ ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ିଛି। ରାସ୍ତାରେ ସୃଷ୍ଟି ହୋଇଥିବା ରେନକଟ ଦିନକୁ ଦିନ ବୃଦ୍ଧି ପାଉଛି। ଯଦି ପ୍ରଶାସନ ତୁରନ୍ତ ବାଲିବସ୍ତା ଓ ମରାମତି କାର୍ଯ୍ୟ ନକରେ, ତେବେ ଯେକୌଣସି ମୁହୂର୍ତ୍ତରେ ରାସ୍ତାଟି ସମ୍ପୂର୍ଣ୍ଣ ଭାସିଯିବ। ଅଞ୍ଚଳବାସୀ ଓ ସ୍ଥାନୀୟ ପ୍ରତିନିଧିମାନେ ପୂର୍ତ୍ତ ବିଭାଗ (ଚଡଊ) ଏବଂ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଏହି ରେନକଟ ସ୍ଥଳରେ ପାଚେରୀ/ସୁରକ୍ଷା ବନ୍ଧ, ବାଲିବସ୍ତା ପ୍ୟାକିଂ ଏବଂ ଆବଶ୍ୟକ ମରାମତି କରିବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି। ଅନ୍ୟପକ୍ଷରେ ତରଡ଼ିପାଳ ସତ୍ୟସାଇ ଶିଶୁ ମନ୍ଦିର ଛକ, ହାଇସ୍କୁଲ ଛକ ସହିତ ତରଡ଼ିପାଳ ଠାକୁର ନିଗମାନନ୍ଦ ଶାଖା ସଂଘ ସମ୍ମୁଖରେ ରାସ୍ତାଟି ଅବସ୍ଥା ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଗତ ୨ସପ୍ତାହ ହେବ ଲଘୁଚାପଜନିତ ବର୍ଷା ଯୋଗୁଁ ଏଠାରେ ରେନକଟ ସୃଷ୍ଟି ହୋଇ ସମ୍ପ୍ରତି ଘାଇର ରୂପ ନେବାକୁ ବସିଛି। ଏବେ ଲଗାଣ ବର୍ଷା ଲାଗି ରହିଥିବାବେଳେ ଆଗକୁ ବନ୍ୟା ଆସିବାର ନିଶ୍ଚିତ ସମ୍ଭାବନା ସୃଷ୍ଟି ହୋଇଛି । ଯାହା ଫଳରେ ବନ୍ୟା ଯୋଗୁଁ ତରଡ଼ିପାଳ ଓ ଅଳପୁଆ ପଞ୍ଚାୟତର ୧୦ ଟି ପଡା ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହେବାର ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଅଞ୍ଚଳ ସହିତ ବରୀ ବ୍ଲକର କେତେକ ଅଂଚଳକୁ ମଧ୍ୟ ଯୋଗାଯୋଗ ବିଛିନ୍ନ ହେବାର ସମ୍ଭାବନା ରହିଛି ଓ ଅଣ୍ଢରା ହାଟକୁ ବରୀ ଅଞ୍ଚଳରୁ ଆସୁଥିବା ପନିପରିବା ପରିବହନ ମଧ୍ୟ ବାଧାପ୍ରାପ୍ତ ହେବ। ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ପୂର୍ତ୍ତ ବିଭାଗ ରାସ୍ତାରେ ସୃଷ୍ଟି ହୋଇଥିବା ଖଳଖମା ପୂରଣ କରି ବାଉଁଶ ଜାଫ୍ରି ଦେବାକୁ ବ୍ରାହ୍ମଣୀ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନିର୍ମଳ ଚନ୍ଦ୍ର ବିଶ୍ୱାଳ ଦାବି କରିଛନ୍ତି।


Be the first to comment

Leave a Reply

Your email address will not be published.