

କେନ୍ଦ୍ରାପଡ଼ା,୨୭ା୭:ଗୋ ସମ୍ମାନ ଆହ୍ୱାନ ଅଭିଯାନ ଦ୍ୱିତୀୟ ଚରଣ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି। ଜୁଲାଇ ୨୫ତାରିଖରେ ଦେଶର ୭୯୦ଟି ଜିଲ୍ଲାରେ ୧୫କୋଟିରୁ ଉର୍ଦ୍ଧ୍ୱ ଦସ୍ତଖତ ସମ୍ବଳିତ ପ୍ରାର୍ଥନାପତ୍ର ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି। ଏଥିରେ ଗୋମାତାଙ୍କୁ ରାଷ୍ଟ୍ରମାତା ଭାବରେ ସ୍ୱୀକୃତି ପ୍ରଦାନ ଏବଂ ଗୋହତ୍ୟା ନିଷେଧ ଆଇନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଦ୍ୱାରା ସ୍ଥାପନ ଭଳି ୩୦ରୁ ଉର୍ଦ୍ଧ୍ୱ ଦାବି ଗୋମାତାଙ୍କ ସୁରକ୍ଷା ଦିଗରେ ସରକାରଙ୍କ ନିକଟରେ ପ୍ରାର୍ଥନା ପତ୍ର ମାଧ୍ୟମରେ ଦାବି ରଖାଯାଇଛି। ଗୋମାତାଙ୍କ ସେବା, ସୁରକ୍ଷା, ସମ୍ମାନ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ସଂଚଳିତ ଗୋସମ୍ମାନ ଆହ୍ୱାନ ଅଭିଯାନ ଦ୍ୱିତୀୟ ଚରଣ ବର୍ତ୍ତମାନ ପୂରା ହୋଇଛି। ବିଗତ ୬ମାସ ଧରି ଦେଶଭରି ସାଧୁ, ସନ୍ଥ, ଗୋସେବକ, ଗୋଭକ୍ତ ମାନଙ୍କ ନେତୃତ୍ୱରେ ଗୋ-ସମ୍ମାନ ଆହ୍ୱାନ ଅଭିଯାନ ଚାଲୁଅଛି। ଏହି ଅଭିଯାନ ମାଧ୍ୟମରେ ସମ୍ପୂର୍ଣ୍ଣ ଭାରତ ବର୍ଷରେ ଗୋହତ୍ୟା ନିଷେଧ ନିମନ୍ତେ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବା, ଗୋଚର ଭୂମି ଗୁଡିକରୁ ଜବରଦଖଲ ଉଛେଦ କରିବା, କେନ୍ଦ୍ରୀୟ ଗୋ -ମନ୍ତ୍ରଣାଳୟ ସ୍ଥାପନ କରିବା, କେନ୍ଦ୍ରୀୟ ଗୋ-ଚାରାନୀତି ପ୍ରସ୍ତୁତ କରିବା, କୃଷି, ଚିକିତ୍ସା, ପର୍ଯ୍ୟାବରଣ, ଶିକ୍ଷା ଏବଂ ମାନବଜୀବନ ସହିତ ଯୋଡି ହୋଇଥିବା ଅନେକ ମହତ୍ୱପୂର୍ଣ୍ଣ ବିଷୟ ଗୁଡିକୁ ଗୋ-କେନ୍ଦ୍ରିତ ରାଷ୍ଟ୍ରୀୟନୀତିର ଅଂଶ ବିଶେଷ କରାଇବା ସହିତ ୩୦ରୁ ଅଧିକ ପ୍ରମୁଖ ଦାବି ସରକାରଙ୍କ ନିକଟରେ ରଖାଯାଇଛି। ଏହି ଦାବି ଗୁଡିକ ସମଗ୍ର ଦେଶରେ ଏକ ଜନଜାଗୃତିର ରୂପ ନେଇଅଛି। ଏଠାରେ ସୂଚନା ଯୋଗ୍ୟ ଯେ ଅଭିଯାନର ପ୍ରଥମ ଚରଣ ଜୁଲାଇ ୨୫ତାରିଖରେ ପାଞ୍ଚହଜାର ତହସିଲ ଗୁଡିକରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ଚରଣରେ ୭୯୦ ଜିଲ୍ଲା ମୁଖ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାରେ ଦ୍ୱିତୀୟ ଚରଣରେ ୩ଲକ୍ଷରୁ ଉର୍ଦ୍ଧ୍ୱ ଦସ୍ତଖତ ସଂଗ୍ରହ କରାଯାଇ ସାଧୁସନ୍ଥମାନଙ୍କ ନେତୃତ୍ୱରେ ଏହି ଅଭିଯାନ ସମ୍ପୂର୍ଣ୍ଣ କରାଯାଇଛି। ଏହି ଅଭିଯାନରେ ଜିଲ୍ଲା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରମୁଖ ବିଶ୍ୱରୂପାନନ୍ଦ ସତସ୍ୱତୀ, ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ, ଜିଲ୍ଲା ସହପରିଚାଳକ ଶଶାଙ୍କ କୁମାର ଜେନାଙ୍କ ସମେତ ଶହ ଶହ ଗୋଭକ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଛନ୍ତି।

Leave a Reply