ଅଗଷ୍ଟ ୧୬ରେ ରାଜ୍ୟସ୍ତରୀୟ ଶିକ୍ଷକ ଆନ୍ଦୋଳନ ପ୍ରସ୍ତୁତି , କେନ୍ଦ୍ରାପଡା ବ୍ଲକ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା



କେନ୍ଦ୍ରାପଡା ୬/୮: ବିଭିନ୍ନ ଦାବି ନେଇ ଅଗଷ୍ଟ ୧୬ରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଶିକ୍ଷକ ଆନ୍ଦୋଳନ ପାଇଁ ଶିକ୍ଷକମାନେ ପ୍ରସ୍ତୁତ ହେଉଛନ୍ତି । ଏଥି ପାଇଁ ବୁଧବାର ଦିବା ୧୦ ଘଟିକା ସମୟରେ କେନ୍ଦ୍ରାପଡା ବ୍ଲକ ସମ୍ମୁଖରେ ଓଡିଶା ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସମନ୍ୱୟ ସମିତି ଆନୁକୂଲ୍ୟରେ ଧାରଣା ଓ ପ୍ରତିବାଦ ସଭା ବ୍ଲକର ସଭାପତି ତପନ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସାନ ସଚୀବଙ୍କ ଉଦେଶ୍ୟରେ ଏକ ଦାବିପତ୍ର କେନ୍ଦ୍ରାପଡା ବିଡିଓ ଅଭିସେକ ସ୍ୱାଇଁଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ସଂପାଦକ ନାରାୟଣ ପଣ୍ଡା ଉକ୍ତ ସଭାର ଉଦ୍ଦେଶ୍ୟ ଜ୍ଞାପନ କରି ସରକାରଙ୍କ ଶିକ୍ଷା, ଶିକ୍ଷକଙ୍କ ଓ ଶିକ୍ଷାୟତନର ଅହେତୁକ ଅବହେଳା ପ୍ରତି ନିଜର କ୍ଷୋଭ ପ୍ରକାଶ କରିଥିଲେ । ଦୀର୍ଘଦିନ ଧରି ଯେଉଁ ଦାବି ଗୁଡିକ ଉପସ୍ଥାପନ କରାଯାଇଥିଲା ତାହା ପ୍ରତି ସରକାରଙ୍କ ସମ୍ବେଦନଶୀଳ ଥିଲେ ମଧ୍ୟ ଏଯାବତ କୈାଣସି ଗୋଟିଏ ଦାବି ପୂରଣ କରିବାରେ ଲୋକଙ୍କ ସରକାର ଅବହେଳା ପ୍ରଦର୍ଶନ କରିଛନ୍ତି । ଏହି ଦାବି ଗୁଡିକ ମଧ୍ୟରେ ଅଣ ଅନୁଦାନ ପ୍ରାପ୍ତ ଯୋଗ୍ୟ, ୧୯୪ ମାଧ୍ୟମିକ ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ, ଅବସରରେ ନେଉଥିବା ଓ ନେବାକୁଥିବା ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷାକର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ପ୍ରଦାନ ସହିତ ପେନସନ୍ ପ୍ରଦାନ ଖାଲି ପଡିଥିବା ପଦବୀରେ ନିଯୁକ୍ତିର ବ୍ୟବସ୍ଥା, ଗ୍ରେଡପେରେ ଥିବା ଅସଙ୍ଗତିର ସମାଧାନ, ୨୦୦୪ ରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତି ପାଉଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ଭାଇ ଭଉଣୀମାନଙ୍କୁ ଛଅଟି ନେସନାଲ୍ ଇନ୍‌କ୍ରିମେଣ୍‌ଟ ସହ ବରିଷ୍ଟତା ପ୍ରଦାନ, ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ସରକାରୀ କରଣ ଓ ଅବସର ବୟସ ସୀମା ୬୦ ରୁ ୬୨ କୁ ବୃଦ୍ଧି ଆଦି ଅର୍ନ୍ତଭୁକ୍ତ । ୧୯୮୧ ପେନ୍‌ସନ୍ ରୁଲ ଲାଗୁ ହେଉ । ଅବସରରେ ପରେ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷକ କର୍ମଚାରୀମାନଙ୍କ ପାଇଁ କୋର୍ଟର ନିଷ୍ପତ୍ତି ଥିଲା ମଧ୍ୟ ସେମାନଙ୍କୁ ପେନସନ୍ ମିଳୁନାହିଁ । ଅବସର ପରେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ମୂଲ୍ୟ ଲାଗିବା, ପାନ ଦୋକାନ କରିବା ସରକାରଙ୍କ ବିଫଳତାର ଉଦାହରଣ । ବିନା ଔଷଧରେ କେତେକ ମରି ହଜି ଗଲେଣି ତ କେତେକ ଶର୍ଯ୍ୟାଶାୟୀ ହେଲେଣି । ଉକ୍ତ ପ୍ରତିବାଦ ସଭାରେ ନିର୍ମଳ କୁମାର ନାୟକ, ଭଗବାନ ସାହୁ, ପ୍ରଣବ କୁମାର ଜେନା, ଧନେଶ୍ୱର ପାତ୍ର, ଅଜିତ କୁମାର ନାୟକ, ରାଜକିଶୋର ନାୟକ, ପ୍ରଭାତ କୁମାର ଦାଶ, ସରୋଜିନୀ ସ୍ୱାଇଁ, ଜ୍ଞାନେନ୍ଦ୍ର ଜେନା, ସସ୍ମିତା ମିଶ୍ର, ସୁରେଶ ଚନ୍ଦ୍ର ସ୍ୱାଇଁ, ଶାକ୍ୟ ସିହ୍ନା ରାଉତ, ପଙ୍କଜ କୁମାର ବେଉରା ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ସର୍ବଶେଷରେ ପ୍ରିୟରଞ୍ଜନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।


Be the first to comment

Leave a Reply

Your email address will not be published.