
ଉଚ୍ଚସ୍ତରୀୟ କମିଟି ତଦନ୍ତ ଓ ଆଲୋଚନା ପରେ ବି ସମାଧାନ ବାଟ ଫିଟିନାହିଁ

ପଟ୍ଟାମୁଣ୍ଡାଇ ତା ୧୪/୮ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ଗ୍ରାମ ପଂଚାୟତର ମାଳିପୁର ଗ୍ରାମର ଶନି ମନ୍ଦିର ନିକଟରେ ବ୍ଲକ ପକ୍ଷରୁ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଉଛି । ମାତ୍ର ସରକାରୀ ରାସ୍ତାରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଉଥିବା ଅଭିଯୋଗ କରି ଏହାକୁ ତୁରନ୍ତ ବନ୍ଦ କରିବା ଦାବିରେ ଗତ ୫ ତାରିଖ ବୁଧବାର ଠାରୁ ମାଳିପୁର ଗ୍ରାମର ପ୍ରଶାନ୍ତ ମହାନ୍ତି, ରମାକାନ୍ତ ଦାଶ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ପଟ୍ଟାମୁଣ୍ଡାଇ ତହସିଲଦାର ଅନଶନକାରୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଏହି ନିର୍ମାଣକାର୍ଯ୍ୟ ବ୍ଲକ ପକ୍ଷରୁ କରାଯାଉଥିବାରୁ କୌଣସି ନିଷ୍କର୍ଷ ବାହାରି ପାରି ନଥିଲା । ଏହି ଅନଶନର ୩ୟ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦେଶରେ ପୁନରାୟ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ ବିଡ଼ିଓ ଶୀତଲ ଅଗ୍ରୱାଲ ଅତିରିକ୍ତ ତହସିଲଦାର ସାଗରୀକା ସେଠୀ, ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ଅନଶନକାରୀ ସହିତ ବିଶଦ ଆଲୋଚନା କରିଥିଲେ । ତହସିଲଦାର ଓ ବିଡ଼ିଓ ସରକାରୀ ଜାଗାରେ ସ୍ୱଚ୍ଛ ଭାରତ ଯୋଜନାରେ ସରକାରୀ ପ୍ରକଳ୍ପ ହେଉଥିବା ନେଇ ଅନଶନକାରୀଙ୍କୁ ବୁଝାଇ ଅନଶନ ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ ମଧ୍ୟ ଅନଶନକାରୀମାନେ ସରକାରୀ ସର୍ବସାଧାରଣ ରାସ୍ତାରେ ନିର୍ମାଣା ଧୀନ ପ୍ରକଳ୍ପ ବନ୍ଦ କରାନଗଲେ ଅନଶନ ଜାରି ରହିବ ବୋଲି ଅଡ଼ି ବସିବାରୁ କୌଣସି ସମାଧାନର ବାଟ ଫିଟିନଥିଲା ।
ଅନଶନର ୭ମ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ପଟ୍ଟାମୁଣ୍ଡାଇ ତହସିଲ ଅଫିସରେ ତହସିଲସ୍ତରୀୟ ରାଜସ୍ୱ ଜନଶୁଣାଣୀ ଶିବିରରେ ଯୋଗ ଦେବାକୁ ଆସିଥିବାବେଳେ ଜନଶୁଣାଣୀ ପରେ ଅନଶନକାରୀ ପ୍ରଶାନ୍ତ ମହାନ୍ତି ଓ ରମାକାନ୍ତ ଦାସ, ତାଙ୍କ ସହଯୋଗୀ ଆଶିଷ ମଲ୍ଲିକ ଓ ଦଳିତ ସଂଘ ସଭାପତି କଳ୍ପତରୁ ମଲିକଙ୍କ ସହିତ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ ବିଡ଼ିଓ ଶୀତଲ ଅଗ୍ରୱାଲ ଓ ଅତିରିକ୍ତ ତହସିଲଦାର ସାଗରୀକା ସେଠୀଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଏକ ଉଚ୍ଚ ସ୍ତରୀୟ କମିଟି ଜରିଆରେ ଅନଶନକାରୀଙ୍କ ଦାବୀ ଓ ଅଭିଯୋଗ ଉପରେ ତଦନ୍ତ କରିବାକୁ ନିର୍ଦେଶ ଦେଇ ତଦନ୍ତ ରିପୋର୍ଟ ପରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ମଧ୍ୟ ଅନଶନକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ଅନଶନ ପ୍ରତ୍ୟାହାର କରିବାକୁ ଅଡ଼ି ବସିବାରୁ ସମାଧାନ ବାଟ ଫିଟି ପାରିନାହିଁ । ଆଜି ଅନଶନର ୯ମ ଦିନରେ ଜିଲ୍ଲାପାଳଙ୍କ ନିର୍ଦେଶରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ମଲ୍ଲିକ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି ଗୋଷ୍ଠୀ ଶୌଚାଳୟ ନିର୍ମାଣ ସ୍ଥଳ ପରିଦର୍ଶନ କରି ସବୁ ଦିଗରୁ ଅନୁଧ୍ୟାନ କରି ଫେରିବା ପରେ ତହସିଲଦାର ଅଫିସରେ ଅନଶନକାରୀଙ୍କ ସହିତ ବିଡ଼ିଓ ଶୀତଲ ଅଗ୍ରୱାଲ ଓ ତହସିଲଦାର ପଞ୍ଚାନନ ନାୟକ ଓ ଅତିରିକ୍ତ ତହସିଲଦାର ସାଗରୀକା ସେଠୀଙ୍କ ଉପସ୍ଥିତି ରେ ଆଲୋଚନା କରି ସରକାରୀ ନୀତି ନିୟମ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରିଥିଲେ ମଧ୍ୟ ଅନଶନକାରୀ ନିଜ ଦାବୀ ଉପରେ ଅଟଳ ରହିବାରୁ କିଛି ସମାଧାନ ବାଟ ଫିଟି ପାରିନାହିଁ । ୯ମ ଦିନରେ ପୂର୍ବବତ ଅନଶନ ଜାରି ରହିଛି । ଅନଶନସ୍ଥଳରେ ପୋଲିସ ମୁତୟନ କରାଯାଇଛି।

Leave a Reply