

କେନ୍ଦ୍ରାପଡ଼ା,୨୦ା୯: କେନ୍ଦ୍ରାପଡ଼ା ଭାରତୀୟ ଜନତା ପାର୍ଟି ସଂଗଠନକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଇ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ବିଜେପି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ମଞ୍ଚାସିନ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମିଶ୍ର, ରାଜ୍ୟ ଉପସଭାପତି ବିଷ୍ଣୁ ଦାସ, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, କେନ୍ଦ୍ରାପଡ଼ା ବିଧାନସଭା ନେତ୍ରୀ ଗୀତାଞ୍ଜଳି ସେଠୀ, ତେଜେଶ୍ୱର ପରିଡା, କୃଷ୍ଣଚନ୍ଦ୍ର ପଣ୍ଡା, ଲଳିତ ବେହେରା, ଅଲେଖ ଜେନା, ସୁନାକର ବେହେରା, କିଶୋର ପଣ୍ଡା, ଦୁର୍ଯ୍ୟୋଧନ ସାହୁ, ଅମିତାଭ ସୁଆର ପ୍ରମୁଖ ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା ଏବଂ ଦଳୀୟ ପଦାଧିକାରୀମାନେ ଯୋଗଦେଇ ଦଳର ସାଂଗଠନିକ ସ୍ଥିତି ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ବୈଠକର ମୁଖ୍ୟ ଆଲୋଚ୍ୟ ବିଷୟ ଗୁଡ଼ିକ ମଧ୍ୟରେ ଜିଲ୍ଲାରେ ସାଂଗଠନିକ ସୁଦୃଢ଼ୀକରଣ ନିମନ୍ତେ ତୃଣମୂଳ ସ୍ତରରେ ବୁଥ୍ କମିଟିକୁ ସକ୍ରିୟ କରିବା ସହିତ ପ୍ରତ୍ୟେକ ପଞ୍ଚାୟତରେ ଶକ୍ତି କେନ୍ଦ୍ର ଓ ବୁଥ ସ୍ତରରେ ଦଳର ସ୍ଥିତିକୁ ଆହୁରି ମଜବୁତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜନକଲ୍ୟାଣ ଯୋଜନାର ପ୍ରଚାର କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଓ ବିକାଶମୂଳକ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ସ୍ଥାନୀୟ ସମସ୍ୟା ସମାଧାନ ନିମନ୍ତେ ଜିଲ୍ଲାର ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଦେଇ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ସକ୍ରିୟ ରହିବାକୁ ଆହ୍ୱାନ ଦିଆଯାଇଛି। ଶେଷରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଓ ରାଜ୍ୟ ସମ୍ପାଦିକା ପୂର୍ଣ୍ଣିମା ନାୟକ ଯୋଗଦେଇ ଜିଲ୍ଲାରେ ଆଗାମୀ ଦିନରେ ଦଳ କିପରି ସୁଦୃଢ଼ ହେବା ସହ ଜନକଲ୍ୟାଣକାରୀ ଯୋଜନା ଗୁଡିକ ଲୋକ ମାନଙ୍କ ପାଖରେ ପହଞ୍ଚି ପାରିବ ସେ ସମ୍ପର୍କରେ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନଙ୍କୁ ଦଳୀୟ ଶୃଙ୍ଖଳା ରକ୍ଷା କରି ଏକଜୁଟ ହୋଇ ସେବା ମନୋଭାବ ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ। ସଭାରେ ସମସ୍ତ ମୋର୍ଚ୍ଚା ସଭାପତି, ମଣ୍ଡଳ ସଭାପତି, ଜିଲ୍ଲା ସଦସ୍ୟ ଓ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply