
ମଉଳି ଯାଉଛି ପୁନଃ ବିଧାନସଭା ଆସନ ଗଠନ ସ୍ୱପ୍ନ :

ପଟ୍ଟାମୁଣ୍ଡାଇ ୨୦ା୯-କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ବାଣିଜ୍ୟିକ ତଥା ରାଜନୈତିକ ପେଣ୍ଠସ୍ଥଳୀ ପଟ୍ଟାମୁଣ୍ଡାଇର ହୃତ ଗୌରବକୁ ଫେରାଇ ଆଣିବା ପାଇଁ ହେଉଥିବା ଦାବି ଏବେ ଧୀରେ ଧୀରେ ପ୍ରଭାବହୀନ ହେବାରେ ଲାଗିଛି। ପଟ୍ଟାମୁଣ୍ଡାଇ ବିଧାନସଭା ଆସନର ପୁନଃ ଗଠନ ଏବଂ ସବ୍-ଡିଭିଜନ୍ ମାନ୍ୟତା ପ୍ରଦାନ ସ୍ୱପ୍ନ ଏବେ ମଉଳିବାକୁ ବସିଛି। ଅଂଚଳର ସ୍ୱାର୍ଥ, ସ୍ୱାଭିମାନକୁ ଫେରାଇ ଆଣିବା ନିମନ୍ତେ କୌଣସି ଜୋରଦାର ସ୍ୱର ଉତୋଳନ କିମ୍ବା ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଉ ନଥିବାରୁ ସାଧାରଣରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇବାରେଲାଗିଛି।
ଓଡ଼ିଶାର ରାଜନୈତିକ ମାନଚିତ୍ରରେ ପଟ୍ଟାମୁଣ୍ଡାଇ ବିଧାନସଭା ଆସନର ଏକ ସ୍ୱତନ୍ତ୍ର ପରିଚୟ ଥିଲା। ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣ କରିବାରେ ଏହି ଅଂଚଳର ନେତୃବୃନ୍ଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଥିଲେ। ବିଭିନ୍ନ କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରଦର୍ଶନ କରିବା ସହ ଅର୍ଥନୈତିକ ଦୃଷ୍ଟିକୋଣରୁ ଏହା ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଭାବେ ସୁନାମ ଅର୍ଜନ କରିଥିଲା । ମାତ୍ର, ଗତ ୨୦୦୮ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାରେ ପ୍ରଶାସନିକ ତ୍ରୁଟି ଓ ରାଜନୈତିକ ଅବହେଳାର ଶିକାର ହୋଇ ଏହି ବିଧାନସଭା ଆସନଟି ସମ୍ପୂର୍ଣ୍ଣ ଲୋପ ପାଇଯାଇଥିଲା। ଏହି ଆସନକୁ ଭାଗ ଭାଗ କରି ଆଳି, ରାଜନଗର ଓ କେନ୍ଦ୍ରାପଡ଼ା ବିଧାନସଭା ମଣ୍ଡଳୀରେ ମିଶାଇ ଦିଆଯିବା ଫଳରେ ପଟ୍ଟାମୁଣ୍ଡାଇ ତାର ସତା ହରାଇ ବସିଛି। ଏହି ପ୍ରଶାସନିକ କୁଠାରାଘାତ ବିରୋଧରେ ପଟ୍ଟାମୁଣ୍ଡାଇର ସ୍ୱାଭିମାନ ରକ୍ଷା ପାଇଁ ଅଣରାଜନୈତିକ ଗଣସଂଗଠନ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ଦୀର୍ଘ ୧୬ ବର୍ଷ ଧରି କ୍ରମାଗତ ଭାବେ ସଂଗ୍ରାମ ଜାରି ରଖିଆସୁଥିଲା। ମାତ୍ର ସମ୍ପ୍ରତି ପରିଷଦର ପ୍ରତିଷ୍ଠାତାଙ୍କ ଅସୁସ୍ଥତା କାରଣରୁ ଏହି ଆନ୍ଦୋଳନର ଗତି ଧିମେଇ ଯାଇଛି। ଅନ୍ୟପଟେ ବ୍ଲକର ଜନପ୍ରତିନିଧି, ସ୍ଥାନୀୟ ନେତା, ବୁଦ୍ଧିଜୀବୀ ଓ ସମାଜିକକର୍ମୀମାନେ ନିଜ ନିଜ ସ୍ୱାର୍ଥରେ ବ୍ୟସ୍ତ ରହି ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଛନ୍ତି। ଅଂଚଳର ମୌଳିକ ଦାବି ଉପସ୍ଥାପନ କରିବାକୁ କେହି ଆଗେଇ ଆସୁନାହାନ୍ତି। ଆଗାମୀ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାରେ ପଟ୍ଟାମୁଣ୍ଡାଇ ପୁନର୍ବାର ନିଜର ଆସନ ଫେରିପାଇବ କି ନାହିଁ, ସେ ନେଇ ଅନ୍ୟ ବ୍ଲକର ନେତା ଓ ସାଧାରଣ ଜନତାଙ୍କ ମଧ୍ୟରେ ସନ୍ଦେହ ଓ ଆଲୋଚନା ଜୋର ଧରିଛି। ଯଦି ବର୍ତମାନଠାରୁ ଦୃଢ଼ ସ୍ୱର ଉୋଳନ କରାନଯାଏ, ତେବେ ପଟ୍ଟାମୁଣ୍ଡାଇ ପୁନଃ ବିଧାନସଭା ଆସନ ଗଠନ ପ୍ରକ୍ରିୟାରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରି ସେଠାକାର ନେତା ଓ ଗଣସଂଗଠନମାନେ ଆଗାମୀ ଡି-ଲିମିଟେସନ୍ ପୂର୍ବରୁ ଦାବି ଓ ପ୍ରତିବାଦ ଆରମ୍ଭ କରିଦେଲେଣି। ପଟ୍ଟାମୁଣ୍ଡାଇବାସୀ ଏବେ ବି ସଚେତନ ଓ ସଂଗଠିତ ନହେଲେ, ନିଜର ଆସନ ଫେରିପାଇବା ସ୍ୱପ୍ନ ସଦାସର୍ବଦା ପାଇଁ ମଉଳିଯିବ ବୋଲି ପଟ୍ଟାମୁଣ୍ଡାଇର ବିଭିନ୍ନ ଛକ ସ୍ଥାନରେ ଆଲୋଚନା ହେଲାଣି । ସମ୍ବିଧାନିକ ନୀତିନିୟମ ଅନୁସାରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରପରିଷଦର ଜନସଂଖ୍ୟା ଏବଂ ଭୌଗୋଳିକ ସୀମାର ନିରପେକ୍ଷ ବିଭାଜନ କରାଗଲେ, ଏହା ଏକ ସ୍ୱତନ୍ତ୍ର ବିଧାନସଭା ଆସନ ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ। ମାତ୍ର ଆସନ ଉଚ୍ଛେଦକୁ ୧୮ ବର୍ଷ ବିତିଯାଇଥିଲେ ବି ସ୍ଥାନୀୟ ଲୋକଙ୍କ ନୀରବତା ଓ କୌଣସି ଶକ୍ତିଶାଳୀ ସଂଗଠନର ଅଭାବ ଚିନ୍ତାଜନକ ବବୋଲି କୁହାବୋଲା ହେଳେଣି। ଏଥିସହିତ ପଟ୍ଟାମୁଣ୍ଡାଇକୁ ସବ୍-ଡିଭିଜନ୍ ମାନ୍ୟତା ପ୍ରଦାନରେ ହେଉଥିବା ଅହେତୁକ ବିଳମ୍ବ ସ୍ଥାନୀୟ ଲୋକଙ୍କ ନିରାଶାକୁ ଦ୍ୱିଗୁଣିତ କଲାଣି। ଏହି ପରିପ୍ରେକ୍ଷୀରେ, ଆଇନଜୀବୀ କ୍ଷୀରୋଦ ପ୍ରଧାନ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ବୁଦ୍ଧିଜୀବୀ ଓ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି । କେବଳ ଦଳଗତ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ପଟ୍ଟାମୁଣ୍ଡାଇ ବିଧାନସଭା ଆସନର ପୁନଃ ସୃଷ୍ଟି ଏବଂ ସବ୍-ଡିଭିଜନ୍ ମାନ୍ୟତା ଦାବି ଉପରେ ସମସ୍ତେ ମିଳିମିଶି ଫୋକସ୍ କରିବା ଆବଶ୍ୟକ। ଯଦି ଏବେ ବି ନେତା, ଗଣସଂଗଠନ ଓ ସମାଜସେବୀମାନେ ନିଦ୍ରାଭଙ୍ଗ ନକରନ୍ତି, ତେବେ ଆଗାମୀ ପିଢ଼ି ନିକଟରେ ସେମାନେ ଉତରଦାୟୀ ରହିବେ ବୋଲି ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି ।

Leave a Reply