୩୫ ବର୍ଷର ବିଚ୍ଛେଦର ଅବସାନ:୩୫ ବର୍ଷର ବିଚ୍ଛେଦର ଅବସାନ:


ମିଶନ ଅପନୋ ତକ୍ ପ୍ରୟାସରେ ପରିବାରକୁ ଫେରିବେ ପ୍ରମିଳା
ହିମାଚଳ ପ୍ରଦେଶକୁ ଯିବେ ପଟ୍ଟାମୁଣ୍ଡାଇ ପୋଲିସ ଟିମ୍

 


ପଟ୍ଟାମୁଣ୍ଡାଇ ୨୩/୯ -ଦୀର୍ଘ ୩୫ ବର୍ଷର ଦୁଃଖ, ଅପେକ୍ଷା ଓ ଅନିଶ୍ଚିତତାର ଅନ୍ତ ଘଟିଛି। ବର୍ଷ ବର୍ଷ ଧରି ନିଖୋଜ ହୋଇ ହିମାଂଚଳ ପ୍ରଦେଶରେ ରହୁଥିବା କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅଳପୁଆ ପଂଚାୟତର ପ୍ରମିଳା ମଲିକ ନିଜ ଭିଟାମାଟିକୁ ଫେରିବାକୁ ଯାଉଛନ୍ତି। ହିମାଚଳ ପ୍ରଦେଶ ପ୍ରଶାସନର ମିଶନ ଅପନୋ ତକ୍‌ର ନିରନ୍ତର ପ୍ରଚେଷ୍ଟା ଏବଂ ଓଡ଼ିଶା ପୋଲିସର ଉଦ୍ୟମ ବଳରେ ଏହା ସଂମ୍ଭବ ହେବାକୁ ଯାଉଛି । କେନ୍ଦ୍ରାପଡ଼ା ଏସପିଙ୍କ ନିର୍ଦ୍ଦେଶକ୍ରମେ ପ୍ରମିଳାଙ୍କୁ ସୁରକ୍ଷିତ ଭାବେ ଆଣିବା ପାଇଁ ଦୁଇ ଦିନ ମଧ୍ୟରେ ହିମାଚଳ ପ୍ରଦେଶକୁ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ପଠାଯିବ ବୋଲି ଆଇଆଇସି ମାନସ ମଲ୍ଲିିକ ସୂଚନା ଦେଇଛନ୍ତି। ଦୀର୍ଘ ଦଶନ୍ଧି ପରେ ହଜିଯାଇଥିବା ନିଜର ମଣିଷକୁ ପାଖରେ ପାଇବାକୁ ଥିବାରୁ ପ୍ରମିଳାଙ୍କ ପରିବାର ଓ ଅଳପୁଆ ପଂଚାୟତବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସ୍ଥାନୀୟ ଲୋକେ ପ୍ରଶାସନ ଓ ମିଶନ ଅପନୋ ତକ୍ ଟିମକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।
ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ଅଳପୁଆ ପଂଚାୟତ ନନ୍ଦଲାଲାପାଟଣା ଗ୍ରାମାର ସ୍ୱର୍ଗତ ଦୀନବନ୍ଧୁ ମଲିକଙ୍କ ପତ୍ନୀ ପ୍ରମିଳା ଗତ ୩୫ ବର୍ଷ ତଳେ ମାନସିକ ବିକାରଜନିତ ସ୍ୱାସ୍ଥ୍ୟ ସମସ୍ୟା ପିଡିତ ହୋଇଥିଲେ। ସେ ବିଭିନ୍ନ ସମୟରେ କାହାକୁ କିଛି ନକହି ଘରୁ ଚାଲି ଯାଉଥିଲେ। କ୍ରମାଗତ ଭାବେ ମାନସିକ ଅସ୍ଥିରତା ଲାଗି ରହିବାରୁ ପ୍ରମିଳା ତାଙ୍କ ବାପଘର ବଲୁରିଆ ପଂଚାୟତର ମହଲକଣା ପଡ଼ାରେ ରହୁଥବା ବେଳେ କୁଆଡେ ପଳାଇ ଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ତାଙ୍କ ସମ୍ପର୍କରେ କୌଣସି ଖୋଜଖବର ମିଳିନଥିଲା । ପରେ ପରିବାର ଲୋକେ ପ୍ରମିଳାଙ୍କ ଫେରିବା ଆଶା ଛାଡ଼ିଦେଇଥିଲେ । ଘରେ ତାଙ୍କର ଦେଢ ବର୍ଷର ଶିଶୁ ପୁତ୍ର ଥିଲା । ସେବେଠାରୁ ଦୀନବନ୍ଧୁ ନିଜ ଶାଳୀ ତଥା ପ୍ରମିଳାଙ୍କ ସାନଭଉଣୀ ଉର୍ମିଳାଙ୍କୁ ବିବାହ କରି ରହିଆସୁଥିବା ବେଳେ ଗତ ୩ ବର୍ଷପୂର୍ବେ ଦିନବନ୍ଧୁଙ୍କର ପରଲୋକ ଘଟିଥିଲା ।
ସେବେଠାରୁ ପ୍ରମିଳା ନିଜ ପରିବାରଠାରୁ ବିଚ୍ଛିନ୍ନ ହୋଇ ହିମାଚଳ ପ୍ରଦେଶରେ ରହିଆସୁଥିଲେ। ସେ ୨୦୧୧ ରୁ ୨୦୧୮ ପର୍ଯ୍ୟନ୍ତ ସିମଲାର ଏକ ମାନସିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଥିଲେ। ସେତେବେଳେ ସେ ରାମକାଲି ମାଲିକ ଭାବରେ ପରିଚିତ ଥିଲେ । ତା’ପରେ ସେ ସିମଲାର ନାରୀ ନିକେତନ ଏବଂ ପରେ ଭାଙ୍ଗରୋତୁର ବୃଦ୍ଧା ଆଶ୍ରମରେ ରହିଆସୁଥିଲେ । ମିଶନ୍ ଅପନୋ ତକର ଏସଡିଏମ୍ ସ୍ମୃତିକା ନେଗି, ତହସିଲ୍ କଲ୍ୟାଣ ଅଧିକାରୀ ଧର୍ମଶୀଳାଙ୍କ ସହିତ ଭାଙ୍ଗରୋଟୁର ବୃଦ୍ଧାଶ୍ରମ ପରିଦର୍ଶନ ଯାଇଥିଲେ । ସେମାନେ ପ୍ରମିଳାଙ୍କ ସହିତ କଥା ହୋଇଥିଲେ। ସେ ତାଙ୍କର ପରିଚୟ, ଘର ଏବଂ ପରିବାର ବିଷୟରେ ବୁଝାସୁଝା କରିଥିଲେ । ପରେ ପ୍ରମିଳାଙ୍କ ପ୍ରକୃତ ପରିଚୟ ଓ ଠିକଣା ଖୋଜିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ତାଙ୍କ ହାତରେ ଓଡ଼ିଆ ଭାଷାରେ ଏକ ନାମର ଟାଟୁକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥିଲା। କଥାବାର୍ତର୍ା ସମୟରେ ସେ କଟକ ଏବଂ ଓଡ଼ିଶାର ସ୍ଥାନଗୁଡ଼ିକୁ ମଧ୍ୟ ମନେ ପକାଇଲେ । ଯାହା କେନ୍ଦ୍ରାପଡ଼ା ଅଂଚଳର ସନ୍ଧାନକୁ ଆଗେଇ ନେବାରେ ସାହାଯ୍ୟ କରିଥିଲା। ଏହି ପ୍ରୟାସରେ ଓଡ଼ିଶା ପୋଲିସଠାରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ମିଳିଥିଲା। କଥାବାର୍ତାର ଭିଡିଓ ସବିତା ଚନ୍ଦା, ଇଣ୍ଡିଆ କେୟାର୍ସ ଏବଂ ଆଇପିଏସ୍ ଅରୁଣ ବୋଥ୍ରାଙ୍କ ସହ ସେୟାର କରାଯାଇଥିଲା। ଓଡ଼ିଶା ପୋଲିସର ସହଯୋଗରେ ଅମିତ କୁମାର ମଲିକ, ପ୍ରଣୟ ରାଉତ ଓ ରାଜା ମଲିକଙ୍କ ଦ୍ୱାରା ଯାଂଚ ପ୍ରକ୍ରିୟା କରାଯାଇଥିଲା।ଏହାପରେ କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ମାନସ ମଲ୍ଲିକ ଓ ଚଉଦକୁଲାଟ ଫାଣ୍ଡିଅଧିକାରି ନୃସଂହ ମହାନ୍ତି ସହ ପୋଲିସ ଟିମ ତଦନ୍ତ ଚଳାଇ ଅଳପୁଆ ପଂଚାୟତ ନନ୍ଦଲାଲାପୁରରେ ରହୁଥିବା ତାଙ୍କ ପରିବାର ସହ ଯୋଗାଯୋଗ କରିଥିଲେ। ସୋସିଆଲ ମିଡିଆ ଓ ପୋଲିସ ପ୍ରଶାସନର ମାଧ୍ୟମରେ ଭିଡିଓ କଲ୍‌ର କରାଯାଇଥିଲା। ୩୫ ବର୍ଷ ପରେ ସ୍କ୍ରିନ୍‌ରେ ପ୍ରମିଳାଙ୍କୁ ଦେଖି ପରିବାର ଲୋକେ ଭାବବିହ୍ୱଳ ହୋଇପଡ଼ିଥିଲେ। କାନ୍ଦ ବୋବାଳି ଓ ଆନନ୍ଦର ଅଶ୍ରୁ ଭିତରେ ଗାଁରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ପ୍ରମିଳା ପାଇଁ ମଧ୍ୟ ଏହା ବର୍ଷ ବର୍ଷ ଧରି ଅଲଗା ଥିବା ଲୋକଙ୍କ ଏବଂ ସମ୍ପର୍କ ସହିତ ପୁନଃ ସଂଯୋଗ କରିବାର ସୁଯୋଗ ଥିଲା।


Be the first to comment

Leave a Reply

Your email address will not be published.