ସମାବେଶୀ ଗ୍ରାମସଭା”ପାଇଁ ପୁନର୍ବାସର ଦାବିପତ୍ର



କେନ୍ଦ୍ରାପଡା ୨୩/୯: ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଷ୍ଠିତ ହେବାକୁ ଯାଉଥିବା ଗ୍ରାମସଭାକୁ “ସମାବେଶୀ ଗ୍ରାମସଭା” ରୂପେ ଘୋଷଣା କରାଯିବା ନିମନ୍ତେ ପୁନର୍ବାସ ପକ୍ଷରୁ ପ୍ରସ୍ତାବ ପ୍ରଦାନ କରାଯାଇଛି। ଘୋଷିତ ଗ୍ରାମସଭାଗୁଡିକରେ ଉକ୍ତ ଗ୍ରାମର ଦିବ୍ୟାଙ୍ଗମାନେ ସାମିଲ ହୋଇ ପାରିଲେ,ଜୀ- ରାମ୍‌-ଜୀ,ସର୍ବସାଧାରଣ ଅନୁଷ୍ଠାନରେ ପ୍ରବେଶ ସୁଗମ୍ୟତା ଓ ଆବଶ୍ୟକ ସହାୟକ ଉପକରଣ ପ୍ରଭୃତି ଗ୍ରାମସଭାର ଅନୁମୋଦନ ପ୍ରାପ୍ତ ହେଲେ ସରକାରଙ୍କ ପକ୍ଷରୁ ଏହି ଦିଗ ପ୍ରତି ଆବଶ୍ୟକ ପାଣ୍ଠି ଉପଲବ୍ଧ ହୋଇ ପାରିବ। ଅଧିକନ୍ତୁ, ଏହାଦ୍ୱାରା ତୃଣମୂଳ ସ୍ତରରେ ଦିବ୍ୟାଙ୍ଗ ବ୍ୟକ୍ତିବିଶେଷମାନଙ୍କ ପଞ୍ଚାୟତରାଜ ଶାସନ ବ୍ୟବସ୍ଥାରେ ଯଥାର୍ଥ ଅଂଶଗ୍ରହଣ ସମ୍ଭବ ହୋଇ ପାରିବ ବୋଲି ପୁନର୍ବାସର ପ୍ରତିଷ୍ଠାତା ବିରଜା ରାଉତରାୟ ପ୍ରକାଶ କରିଛନ୍ତି। ଏହି ମର୍ମରେ ପୁନର୍ବାସ ପକ୍ଷରୁ ଏକ ଚିଠି ଓଡିଶା ସରକାରଙ୍କ ପଞ୍ଚାୟତରାଜ ବିଭାଗର କମିଶନର ଓ ଶାସନ ସଚିବଙ୍କୁ ପ୍ରେରଣ କରାଯାଇଅଛି। ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ବଂଶୀଧର ମହାନ୍ତି,ଶିବଚରଣ ସାମଲ, ଜ୍ୟୋତିରଞ୍ଜନ ନାୟକ, ଶେଷଦେବ ପ୍ରସାଦ ଦାସ, ମହମ୍ମଦ ଜାହିଦ୍ ଖାନ୍ ଓ ଦିବ୍ୟାଙ୍ଗ ପ୍ରତିନିଧି କମଳ ଲୋଚନ ମହାନ୍ତି ପ୍ରମୁଖ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟାର୍ ଏବଂ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତିଙ୍କୁ ଏହାର ଏକକିତା କପି ପ୍ରଦାନ କରି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ବିଭାଗକୁ ଆବଶ୍ୟକ ତ୍ୱରିତ ପ୍ରକ୍ରିୟା ଯୋଗେ ପ୍ରେରଣ ନିମନ୍ତେ ପ୍ରଦାନ କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ ଦିବ୍ୟାଙ୍ଗମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଓଡିଶାର ବିଭିନ୍ନ ସ୍ୱେଛାସେବୀ ସଂଗଠନର ମିଳିତ ମଞ୍ଚ ଓଏସ୍‌ଡିଏନ୍‌ର କାର୍ଯ୍ୟକାରୀ କମିଟି ଏହି ସମାବେଶୀ ଗ୍ରାମସଭା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।


Be the first to comment

Leave a Reply

Your email address will not be published.